ଫିଟୁନି ରହସ୍ୟ ! ଏୟାରପୋର୍ଟ ପରିସରରୁ ଜବତ ସୁନା-ରୁପାକୁ ନେଇ ତନାଘନା, ମିଳୁନି ହିସାବ

ଭୁବନେଶ୍ୱର ବିମାନ ବନ୍ଦର ପରିସରରୁ ଦୁଇ ଦୁଇଟି ଭ୍ୟାନରୁ ମିଳିଥିବା ବିପୁଳ ସୁନା, ରୁପା ଗଣତିରେ ଯବନିକା ପଡ଼ିଛି ସତ । କିନ୍ତୁ, ଫିଟୁନି ପ୍ରେରକ ଓ ଗ୍ରାହକଙ୍କ ସଂପର୍କିତ ରହସ୍ୟ ।

Raid in Bhubaneswar

ଭୁବନେଶ୍ୱର ବିମାନ ବନ୍ଦର ପରିସରରୁ ଦୁଇ ଦୁଇଟି ଭ୍ୟାନରୁ ମିଳିଥିବା ବିପୁଳ ସୁନା, ରୁପା ଗଣତିରେ ଯବନିକା ପଡ଼ିଛି ସତ । କିନ୍ତୁ, ଫିଟୁନି ପ୍ରେରକ ଓ ଗ୍ରାହକଙ୍କ ସଂପର୍କିତ ରହସ୍ୟ । ୪ ଦିନ ବିତିଗଲା, ମୁମ୍ବାଇରୁ ଭୁବନେଶ୍ୱରକୁ ବକ୍ସ ସହିତ ଆସିଥିବା ସୁନା ଗହଣା ଓ ରୁପା ମଧ୍ୟରୁ ଅଢ଼େଇ କେଜି ସୁନା ଓ ୮୦ କେଜି ରୁପାର ଦାବିଦାର କିଏ, ଏଯାଏଁ ତଥ୍ୟ ପାଉନି CT-GST ବିଭାଗ । ତେଣୁ ଏହି ସୁନା-ରୁପା ଥିବା କୋଠରୀକୁ ସିଲ୍ କରି ଅଦୃଶ୍ୟ ଦାବିଦାରଙ୍କ ଉଦ୍ଦେଶ୍ୟରେ ୪୮ ଘଣ୍ଟାର ମହଲତ ଦେଇଛି ।

ମୁମ୍ବାଇରୁ ଫ୍ଲାଇଟରେ ଉଡ଼ିକି ଆସିଲା ଭୁବନେଶ୍ୱର...ବିମାନ ବନ୍ଦରରେ ସୁରକ୍ଷିତ ଭାବେ ପହଞ୍ଚିଲା ସୁନା, ରୂପା...କେଜିଏ କି ଦୁଇ କେଜି ନୁହଁ...୫୦ କେଜି ସୁନା ଏବଂ ୨ କୁଇଣ୍ଟାଲ୍ ରୁପା ...ଆଉ ବିମାନ ବନ୍ଦରର କଷ୍ଟମ୍ ଯାଞ୍ଚକୁ ଭେଦି ସବୁ ସୁନାରୂପାକୁ ଧରି ଏୟାରପୋର୍ଟ ବାହାରକୁ ବାହାରିଲା BVC ଲଜିଷ୍ଟିକ୍ ଭ୍ୟାନ...

ହେଲେ କାହିଁକି ଆସିଥିଲା ଏତେ ପରିମାଣର ସୁନା ରୂପା ? କିଏ ପଠାଇଥିଲେ ମୁମ୍ବାଇରୁ ଭୁବନେଶ୍ୱର ? କାହା ପାଖକୁ ଆସିଥିଲା ଏତେ ? ୪ଦିନ ହେଲା ଲାଗିରହିଛି ହଟଚମଟ । ତା’ଭିତରେ ରାଜ୍ୟର ୨୦ଟି ଗହଣା ଦୋକାନର ମାଲିକ ସାମ୍ନାକୁ ଆସି ନିଜ ନିଜର ବୈଧ କାଗଜପତ୍ର ଦେଖାଇଛନ୍ତି ସତ, କିନ୍ତୁ ବଳକା ଅଢ଼େଇ କେଜି ସୁନା ଏବଂ ୮୦ କେଜି ରୂପାର ମାଲିକ କିଏ ? ସେନେଇ ଏବେ ବି ସସପେନ୍ସ ।

କାରଣ ଯେଉଁ ନାଁରେ ଏତେ ପରିମାଣର ସୁନା-ଗହଣା ଓଡ଼ିଶା ଆସିଛି, ସେମିତି କୌଣସି ଗହଣା ଦୋକାନ ନାହାଁନ୍ତି କିମ୍ବା ମାଲିକ ନଥିବା ଜାଣିବାକୁ ପାଇଛି ସିଟି-ଜିଏସଟି ବିଭାଗ । କେବଳ ଏତିକି ନୁହେଁ, ଗତ ୪ ଦିନ ଧରି ରାଜଧାନୀରୁ ରାଜ୍ୟବ୍ୟାପୀ ହଟଚମଟ ହେଉଥିଲେ ବି ଏଯାଏଁ ସନ୍ଦେହ ବଢ଼ାଉଥିବା ବଳକା ସୁନା-ରୂପାର ଦାବିଦାର କେହି ସାମ୍ନାକୁ ଆସିନାହାଁନ୍ତି ।

ତେଣୁ ସିଟି-ଜିଏସଟି ବିଭାଗ ସମସ୍ତ ସୁନା-ରୁପାକୁ ସୁରକ୍ଷିତ ଭାବେ ରଖିଥିବା କୋଠରୀକୁ ସିଲ୍ କରିଛି । ତା’ସହ ଦାବିଦାରଙ୍କ ଉଦ୍ଦେଶ୍ୟରେ ୪୮ ଘଣ୍ଟାର ମହଲତ ଦେଇଛି । ସେଦିନ ଥିଲା ସୋମବାର । ଦିନ ପ୍ରାୟ ୧୨ଟା । ଭୁବନେଶ୍ୱର ବିମାନବନ୍ଦର ବାହାରୁ ଏହି ୨ଟି ଲଜିଷ୍ଟିକ୍ ଭ୍ୟାନରୁ ମିଳିଥିଲା ସୁନା-ରୂପା ।

ସୁନାର ଇ-ୱେ ବିଲରେ ଲେଖାଥିଲା ୮୭ କେଜି, କିନ୍ତୁ ବକ୍ସ ଖୋଲିଲାବେଳକୁ ବାହାରିଲା ୩୦ କେଜିର ସୁନା । ସେହିପରି ରୁପାର ଇ-ୱେ ବିଲରେ ଲେଖାଥିଲା ୨ କୁଇଣ୍ଟାଲ । ବକ୍ସ ଖୋଲିବା ପରେ ମିଳିଲା ପ୍ରାୟ ଦେଢ଼ କୁଇଣ୍ଟାଲ । ତେବେ ଇ-ୱେ ବିଲର ତଥ୍ୟ ଓ ଓଜନରେ ଏତେ ତଫାତ୍ କାହିଁକି ?

ଏତେ ପରିମାଣର ସୁନା-ରୁପାକୁ କିଭଳି ବେନାମୀ ଭାବେ ପଠାଯାଉଥିଲା ? ଟିକସ ଫାଙ୍କିବା ଉଦ୍ଦେଶ୍ୟ ନା ଏହା ପଛରେ ରହିଛି ଚୋରାଚାଲାଣ ଲିଙ୍କ୍ ? ଏୟାରପୋର୍ଟ ଭଳି ହାଇସିକ୍ୟୁରିଟି ଜୋନକୁ କିଭଳି ଭେଦ କରି ପାରିହୋଇଗଲା ଲଜିଷ୍ଟିକ୍ ଭ୍ୟାନ୍ ? ବଳକା ବେନାମୀ ସୁନା-ରୂପାକୁ ଲଜିଷ୍ଟିକ ସଂସ୍ଥା କେଉଁଠି ଓ କାହା ପାଖରେ ଡେଲିଭରି କରିଥାନ୍ତା ? ସେନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ସବୁ ଦିଗକୁ ଧରି ଖୋଳତାଡ଼ କରୁଛି ସିଟି-ଜିଏସଟି ।

ରହସ୍ୟଘେରରେ ଥିବା ଅଢ଼େଇ କେଜିର ସୁନା ଓ ୮୦ କେଜିର ରୂପାର ଯଦି ଦାବିଦାର କେହି ସାମ୍ନାକୁ ନଆସନ୍ତି ଓ ସଂପୃକ୍ତ ଲଜିଷ୍ଟିକ୍ ସଂସ୍ଥା ନିଜ ଆଡୁ ବେନାମୀ ସୁନା-ରୁପାର ଟିକସ ଦାଖଲ ନକଲେ, ସେସବୁକୁ ଟ୍ରେଜେରି ଅଫିସକୁ ପଠାଇବ ସିଟି ଜିଏସଟି ବିଭାଗ ।

ତେବେ ଲଜିଷ୍ଟିକ ସଂସ୍ଥା ଯେହେତୁ ଏବେ ସ୍କାନରରେ ରହିଛି, ତେଣୁ ଗୁଡ଼ାଇ ତୁଡ଼ାଇ ଘାଣ୍ଟିବା ସହ ସୁନା-ରୁପା ପଠାଇଥିବା ମୁମ୍ବାଇର ଗହଣା ବ୍ୟବସାୟୀ କିମ୍ବା ସଂସ୍ଥା ପାଖରେ ପହଞ୍ଚିବା ପାଇଁ ଯୋଜନା ରଖିଛି ସିଟି ଜିଏସଟି ବିଭାଗ । ତେବେ ଏନେଇ BVC ଲଜିଷ୍ଟିକ୍ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।