ଭୁବନେଶ୍ବରରେ ଗ୍ୟାସ ଲିକକୁ ନେଇ ହଇଚଇ, ୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣ

ଗ୍ୟାସ ଲିକକୁ ଦେଖି ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟକୁ ବନ୍ଦ କରିଛି ପୋଲିସ । ବିଶେଷ କରି ପଟିଆରୁ ଇନଫୋସିଟି ରାସ୍ତାକୁ ପୋଲିସ ବନ୍ଦ କରିଥିବା ସୂଚନା ମିଳିଛି।

Gas Leak

ଭୁବନେଶ୍ବରର ଏକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକକୁ ନେଇ ହଲଚଲ୍ । ଚନ୍ଦକା ଶିଳ୍ପାଞ୍ଚଳରେ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ ଲିକ୍ ହୋଇଥିବା ଫ୍ୟାକ୍ଟ୍ରିର ନାଁ ହେଉଛି ଶିଭମ୍ କେମିକାଲ୍ସ । ଏଠାରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଥିବା କୁହାଯାଉଛି । ଏହି ଗ୍ୟାସକୁ ଆୟତ୍ତ କରିବାକୁ ୩ଟି ଅଗ୍ନିଶମ ଟିମ୍ ଉଦ୍ୟମ କରିଛନ୍ତି । ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍ ପ୍ରୟାସ ଚଳାଇଥିଲେ। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା ସୂଚନା ମିଳିଛି ।

ଗ୍ୟାସ ଲିକକୁ ଦେଖି ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟକୁ ବନ୍ଦ କରିଛି ପୋଲିସ । ବିଶେଷ କରି ପଟିଆରୁ ଇନଫୋସିଟି ରାସ୍ତାକୁ ପୋଲିସ ବନ୍ଦ କରିଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଗ୍ୟାସ୍ ଲିକ୍ ହୋଇଛି, ସେନେଇ ସଂପୃକ୍ତ ଫ୍ୟାକ୍ଟ୍ରି ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ତେବେ ଅଗ୍ନିଶମ ଡିଜିଙ୍କ ସୂଚନା ଅନୁଯାୟୀ, ଏହା ଏକ ପରିତ୍ୟକ୍ତ ଗ୍ୟାସ୍ ଫ୍ୟାକ୍ଟ୍ରି । ଗ୍ୟାସ୍ ଲିକ୍ ହେଉଥିବା ବ୍ଲିଚ୍ ଭର୍ତ୍ତି ସିଲିଣ୍ଡରକୁ ଚିହ୍ନଟ କରାଯାଇଛି । ତାକୁ ବାହାର କରି ଲିକ୍ ହେଉଥିବା ଗ୍ୟାସକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି । ତେବେ ମଣିଷ ପାଇଁ ସେଭଳି କୌଣସି ବିପଦ ନାହିଁ ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।