ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା, ୪ ଘଣ୍ଟା ଧରି ଜେରା ହେଲେ DFO

କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ ।

Forester Death

କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ । ଫରେଷ୍ଟରଙ୍କ ମୃତ୍ୟୁର ୧୭ ଦିନ ପରେ ଗତକାଲି ଥାନାରେ ହାଜର ହୋଇଥିଲେ ଡିଏଫଓ ଦେବେନ୍ଦ୍ର ବେହେରା ।

ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ନେଇ ଟାଉନ ଥାନାରେ ହାଜର ହୋଇଥିଲେ । ସେଠାରେ ୪ ଘଣ୍ଟା ଧରି ଏସଡିପିଓ ସୁନାରାମ ହେମ୍ବ୍ରମ ଓ ତଦନ୍ତ ଅଧିକାରୀ ଜେରା କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ମୃତ ଫରେଷ୍ଟରଙ୍କ ସୁଇସାଇଡ ନୋଟକୁ ଭୁବନେଶ୍ୱର ଫରେନସିକ୍ ଲ୍ୟାବକୁ ପଠାଯାଇଛି ।

ସିଲଭି କଲଚର୍ ନର୍ସରୀରେ ଚାରା ପ୍ରସ୍ତୁତ ଓ ମଞ୍ଜି କିଣିବା ବାବଦରେ ୭ଲକ୍ଷ ଟଙ୍କା ପିସି ମାଗିଥିବା ନେଇ ଡିଏଫଓଙ୍କ ବିରୋଧରେ ଅଭିଯୋଗ ଆଣି ସୁଇସାଇଡ୍ ନୋଟରେ ଲେଖିଥିଲେ ମୃତ ଫରେଷ୍ଟର ସଞ୍ଜୟ ନାୟକ । ଏପରିକି ବାରମ୍ବାର ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ପରିବାର ଲୋକ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, କଳାହାଣ୍ଡି ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଥିଲେ ସୁଇସାଇଡ୍ ନୋଟରେ । ଚାରା ରୋପଣ ନାଁରେ କେମିତି ଧଳାହାତୀଙ୍କ ପକେଟ୍ ଗରମ ହୁଏ, ତା’ର ଇଙ୍ଗିତ ବି କରିଥିଲେ ସଞ୍ଜୟ । ସେଭଳି ଜଣେ ଧଳାହାତୀ ହେଉଛନ୍ତି ଡିଏଫଓ ।

ଯାହାଙ୍କ ୭ ଲକ୍ଷର ପିସି ଡିମାଣ୍ଡ ସହ ମାନସିକ ନିର୍ଯାତନା ସହିନପାରି ସଞ୍ଜୟ ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ ତଦନ୍ତ କରି ଆକ୍ସନ ନେବୁ ବୋଲି ବିଭାଗୀୟ ମନ୍ତ୍ରୀ ଓ ପିସିସିଏଫ୍ କହିଥିବାବେଳେ ଚାରା ଦୁର୍ନୀତି ସହ କେମିତି ଚାଲେ ପିସି କାରବାର । ସେପଟେ ଗତ କିଛିଦିନ ତଳେ ସଞ୍ଜୟ ନାୟକଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ମଧ୍ୟ ବଡ଼ ବୟାନ ଦେଇଥିଲେ ।

ଅଭିଯୋଗ ଯଦି ସତ, ତେବେ ନିହାତି ସାଂଘାତିକ । ଅର୍ଥ ଲାଳସାରେ ଉବୁଟୁବୁ ବଡ଼ବାବୁମାନେ କେମିତି ଶୋଷଣ କରନ୍ତି ତଳିଆ କର୍ମଚାରୀଙ୍କୁ ତାହାର ଗୁମର ଖୋଲିଥିଲେ ପତ୍ନୀ ପ୍ରିୟଙ୍କା । ଡିଏଫଓ ଦେବେନ୍ଦ୍ର ବେହେରା, ୧୦ ଲକ୍ଷ ଟଙ୍କାର ପିସି ମାଗିବା ସହ ମାନସିକ ନିର୍ଯାତନା ଦେଉଥିବାରୁ ଶେଷରେ ସ୍ୱାମୀ ସଞ୍ଜୟ ଜୀବନ ହାରିଦେଇଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

ତାଙ୍କ କହିବା କଥା, ଚାରା ରୋପଣ ଦାୟିତ୍ୱରେ ଥିଲେ ସଞ୍ଜୟ । ନିଜ ହାତରୁ ହଳ କରାଇବା, ଘାସ ବଛା, ସାର ପ୍ରୟୋଗ ସହ ଶ୍ରମିକ ବାବଦ ଖର୍ଚ୍ଚ କରନ୍ତି । କିନ୍ତୁ ବିଲ୍ କଲାବେଳକୁ ଡିଏଫଓ ୫୦ ପ୍ରତିଶତ ପିସି ମାଗନ୍ତି ବୋଲି କହିଛନ୍ତି ପ୍ରିୟଙ୍କା । ଏଭଳି ଶୋଷଣ କରିବାରୁ ଶେଷରେ ସ୍ୱାମୀ ସଞ୍ଜୟ ନିଜ ପାଇଁ ଘର ଖଣ୍ଡେ ମଧ୍ୟ କରିପାରିନଥିବା ପ୍ରିୟଙ୍କା କହିଛନ୍ତି ।