Farmers in Plight: ଖୋଲା ଆକାଶ ତଳେ ପଡିରହିଛି ସୁନାର ଫସଲ...ଚାଷୀକୁ ବର୍ଷା ଚିନ୍ତା...

ଖୋଲା ଆକାଶ ତଲେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ସହର ପାଖରେ ଥିବାରୁ, ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।

ଅଦିନିଆ ବର୍ଷା ବିଗାଡ଼ିଦେଲା ଚାଷ

ବଲାଙ୍ଗିର ଜିଲ୍ଳାର ଅଧିକାଂଶ ଧାନମଣ୍ଡିର ଗୋଦାମ ଘର ନାହିଁ । ଖୋଲା ଆକାଶ ତଲେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ଏମିତି ସମୟରେ ଏବେ ଚାଷୀ ପାଇଁ କାଳ ସାଜିଛି ଅଦିନିଆ ବର୍ଷା । ବର୍ଷା ଯୋଗୁଁ ଭିଜିଯାଉଛି ଚାଷୀର ସୁନାର ଫସଲ । ଚାଷ ଜମି ଓ ଧାନଖଳାରେ ମଧ୍ୟ ଭିଜୁଛି ଧାନ । ଧାନ ଭିଜିଯାଉଥିବାରୁ ମଣ୍ଡି ମାନଙ୍କରେ କଟନୀ ଛଟନୀ ବଢିବାର ସମ୍ଭାବନା ବଢିଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଅନ୍ୟପଟେ ଚାଷୀ ମାନଙ୍କୁ ସତର୍କ କରାଇବା ସହ,କ୍ଷୟକ୍ଷତି ଉପରେ ନଜର ରଖିବା ପାଇଁ ତହସିଲଦାର ମାନଙ୍କୁ ନିର୍ଦେଶ ଦେଇଛି ଜିଲ୍ଳା ପ୍ରଶାସନ।

ଜୋରସୋରରେ ଚାଲିଛି ଧାନ ଅମଳ ପ୍ରକ୍ରିୟା । ଚାଷ ଜମିରୁ ଧାନକାଟିବା ପରେ ଖଳାରେ ଗଦା କରିଛି ଚାଷୀ । ଆଉ କିଛି ଚାଷୀ ଧାନ ମଡାଇବା ପରେ ବର୍ଷାରେ ଭର୍ତ୍ତି କରି ରଖିଛନ୍ତି । ଟୋକନ ଆସିନଥିବାରୁ ଅଧିକାଂଶ ଚାଷୀ ମଣ୍ଡିକୁ ଧାନ ନେଇପାରୁନାହାନ୍ତି । ଘରେ ମଧ୍ୟ ଧାନ ରଖିବା ପାଇଁ ସ୍ଥାନ ନାହିଁ । ଯାହା ଫଳରେ ଖଳାରେ ଧାନ ଗଦା କରିଥିଲେ ଚାଷୀ । କିନ୍ତୁ ଚାଷୀକୁ କାଳ ହୋଇଛି ଅଦିନିଆ ବର୍ଷା । ଏ ଦୃଶ୍ୟ ହେଉଛି ବଲାଙ୍ଗିର ଜିଲ୍ଳାର ଦାଦନ ପ୍ରବଣ ବେଳପଡା ବ୍ଳକ ବିଛୁବାହାଲି ଗାଁର । ଚାଷୀ ଯୋଗେନ୍ଦ୍ର ମାଝି ମୁଣ୍ଡି ଝାଳ ତୁଣ୍ଡରେ ମାରି ଧାନଚାଷ କରିଥିଲେ । ଅମଳ ଧାନ ଖଳାରେ ଥିବା ସମୟରେ ଏବେ ବର୍ଷାରେ ଭିଜି ନଷ୍ଟ ହେଉଛି ।

ସେପଟେ ସଇଁନ୍ତଲା ବ୍ଳକ ଭଦ୍ରା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ବସ୍ତା ବସ୍ତା ଧାନ । ଠିକ୍ ସମୟରେ ମଣ୍ଡିରୁ ଉଠୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହେଉଛି ଚାଷୀର ସୁନାର ଫସଲ । ସମାନ ଅବସ୍ଥା ତୁରେକେଲା ବ୍ଳକ କୁଇବାହାଲ ଧାନ ମଣ୍ଡିର । ଏଠି ମଧ୍ୟ ବାହାରେ ପଡିରହିଛି ବସ୍ତା ବସ୍ତା ଧାନ । ବର୍ଷାରେ ଧାନନଷ୍ଟ ହେଉଥିବାରୁ, ଏହାକୁ ନନଏଫଏକ୍ୟୁ ଧାନ କହି, ମିଲର୍ସ ଉଠାଇବା ପାଇଁ ମନା କରିବ । ଜୋରଦାର କଟନୀ ଛଟନୀ ହେବ । ତେଣୁ ଶୀଘ୍ର ଧାନ ଉଠାଇ ଦେବାକୁ ଦାବୀ କରିଛନ୍ତି ଚାଷୀ ।

ବଲାଙ୍ଗିର ସଦରମହକୁମା ସଦେଇପାଲି ଗାଁର ଥିବା ଧାନମଣ୍ଡିର ଅବସ୍ଥା କହିଲେ ନସରେ । ନା ଅଫିସ ଅଛି ନା ଗୋଦାମ ଅଛି । ଖୋଲା ଆକାଶ ତଳେ ଚାଲିଛି ଧାନ କିଣାବିକା କାରବାର। ଚାଷୀର ବସ୍ତା ବସ୍ତା ଧାନ ମଧ୍ୟ ଖୋଲା ଆକାଶ ତଳେ ପଡ଼ିଛି । ସହର ପାଖରେ ଥିବାରୁ ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।

ଚାଷୀଙ୍କ କହିବା କଥା ହେଉଛି, ଧାନ ବର୍ଷାରେ ଭିଜିଥିବାରୁ ଆମେ FAQ ମାନର ଧାନ ଦେଇପାରିବୁ ନାହିଁ। ପଳରେ କଟନି ଛଟନି ହେବ ଏବଂ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଇବେ ନାହିଁ। ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ଧାନଖଳାରେ ପଡ଼ିଥିବା ଧାନକୁ ମିଲର୍ସମାନେ ତୁରନ୍ତ ଉଠାଇବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ। ନହେଲେ ଚାଷୀମାନେ କ୍ଷତିରେ ପଡ଼ିବେ। 

ସାରା ଜିଲ୍ଳାରେ ୧୭୬ ଟି ଧାନ ମଣ୍ଡିରେ ଧାନ କିଣାବିକା ପ୍ରକ୍ରୀୟା ଜାରୀ ରହିଛି । ସେଥିରୁ ଅଧିକାଂଶ ମଣ୍ଡିରେ ଗୋଦାମ ନାହିଁ । ଭିତ୍ତିଭୂମିର ଅଭାବ ଯୋଗୁଁ, ଖୋଲା ଆକାଶ ତଳେ ଗଦା ହୋଇଛି ଧାନ । ଅଦିନିଆ ବର୍ଷା ଯୋଗୁଁ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ଶୀଘ୍ର ଚାଷୀଙ୍କ ଧାନକୁ ମିଲର୍ସ ମାନେ ଉଠାଇବା ପାଇଁ ଦାବୀ କରିଛନ୍ତି ଚାଷୀ । ଅନ୍ୟପଟେ ପଲିଥିନ ଢାଙ୍କି ଚାଷୀର ଧାନକୁ ସୁରକ୍ଷିତ ରଖିବା ପାଇଁ ମଣ୍ଡି ମାନଙ୍କୁ ନିର୍ଦେଶ ଦେଇଛି ଜିଲ୍ଳା ପ୍ରଶାସନ । ସମସ୍ତ ତହସିଲଦାର ମାନଙ୍କୁ ଚାଷୀଙ୍କ କ୍ଷୟକ୍ଷତି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଳାପାଳ ।