କେନ୍ଦୁଝରରେ ହାତୀ ଉପଦ୍ରବ, ଧାନ ସହ ଖାଇଦେଲେ ୧୦ ହଜାର ଟଙ୍କା !

ରବିନ୍ଦ୍ର ପାତ୍ରଙ୍କ ପତ୍ନୀ ସେହି ଡୁଲିରେ ରଖିଥିବା ୧୦ ହଜାର ଟଙ୍କା ବି ଛାଡ଼ିନଥିଲେ ହାତୀପଲ । ହାତୀ ଯିବା ପରେ ବହୁ ଖୋଜାଖୋଜି କଲେ ବି ଟଙ୍କା ମିଳିନଥିଲା ।

Elephant

ଧାନ ତ ଖାଇଲେ ଖାଇଲେ, ଶେଷରେ ଧାନଡୁଲିରେ ରଖାଯାଇଥିବା ୧୦ ହଜାର ଟଙ୍କା ବି ଖାଇଗଲେ ହାତୀପଲ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବେଣା ଗାଁର ମୁଣ୍ଡା ସାହିରେ । ସୂଚନା ଅନୁସାରେ ଗତକାଲି ରାତିରେ ୫ ଟିକିଆ ହାତୀ ପଲ ଜଙ୍ଗଲରୁ ବେଣା ଗାଁରେ ପଶିଥିଲେ ।

ଖାଦ୍ୟ ଅନ୍ୱେଷଣରେ ପଶିଥିବା ହାତୀପଲ ଗାଁର ମୁଣ୍ଡାସାହିର ବାବୁରାମ ମୁଣ୍ଡାଙ୍କ ମାଟିଘର ଭାଙ୍ଗିଥିଲେ । ଏହାପରେ ହାତୀପଲ ମୁଣ୍ଡାସାହିର ରବୀନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଧାନ ବସ୍ତା ଟେକିନେଇ ଖାଇ ଦେଇଥିଲେ । ହେଲେ, ରବିନ୍ଦ୍ର ପାତ୍ରଙ୍କ ପତ୍ନୀ ସେହି ଡୁଲିରେ ରଖିଥିବା ୧୦ ହଜାର ଟଙ୍କା ବି ଛାଡ଼ିନଥିଲେ ହାତୀପଲ । ହାତୀ ଯିବା ପରେ ବହୁ ଖୋଜାଖୋଜି କଲେ ବି ଟଙ୍କା ମିଳିନଥିଲା । ଧାନବସ୍ତା ଓ ଭଙ୍ଗାଡୁଲୀ ପାଇଥିଲେ ରବିନ୍ଦ୍ରଙ୍କ ପତ୍ନୀ । ଘଟଣା ନେଇ ଉଭୟ ପରିବାର ସହାୟତା ଲାଗି ବନ ବିଭାଗକୁ ନିବେଦନ କରିଛନ୍ତି । ସେପଟେ ଏ ନେଇ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିନି ।