• Astrospeak
  • Live TV
  • Read In English

Underutilized Bus in Odisha: ଜଗା ଦର୍ଶନ ସୁବିଧା ପାଇଁ ରାଜ୍ୟରେ ଗଡ଼ିଥିଲା ଡବଲ୍ ଡେକର୍ ବସ୍, ହେଲେ ଭିତର ଖାଁ ଖାଁ

ଡବଲ୍ ଡେକର୍ ବସ୍ ସୁବିଧା ପାଇଁ ଦୈନିକ ମେଣ୍ଟେନାନ୍ସରେ ମାତ୍ରାଧିକ ବ୍ୟୟ ହେଉଛି। କିନ୍ତୁ ଲୋକ ନ ହେବା ପଛରେ ସମନ୍ୱୟର ଅଭାବ, ନା ଲୋକେ ବସିବାକୁ ଭୟ କରୁଛନ୍ତି, ସେନେଇ ତର୍ଜମା କରିବାର ଆବଶ୍ୟକତା ରହିଛି...।

ଡବଲ୍ ଡେକର୍ ବସ୍
ଡବଲ୍ ଡେକର୍ ବସ୍

ରାସ୍ତାରେ ଘାଇଁ ଘାଇଁ ହେଇ ଡବଲ୍ ଡେକର୍ ବସ୍ ଗଡ଼ୁଛି, କିନ୍ତୁ ଯାତ୍ରୀ ବସକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। ଦୁଇ ଥାକିଆ ଏହି ଏସି ବସରେ ଯାତ୍ରା କରୁଛନ୍ତି ମାତ୍ର 5 ଜଣ। ସରକାର ଆରମ୍ଭ କରିଥଇବା ଡବଲ୍ ଡେକର୍ ବସ୍‌ରେ ଏବେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। 

ଜଗା ଦର୍ଶନ ସୁବିଧା ପାଇଁ ରାଜ୍ୟରେ ଗଡ଼ିଥିଲା ଡବଲ୍ ଡେକର୍ ବସ୍, ହେଲେ ଏବେ ବସ୍ ଅଣଦେଖା। ରାସ୍ତାରେ ଘାଇଁ ଘାଇଁ ହେଇ ଡବଲ୍ ଡେକର୍ ଗଡ଼ୁଛି, କିନ୍ତୁ ଯାତ୍ରୀ ବସକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। ଦୁଇ ଥାକିଆ ଏହି ଏସି ବସରେ ଯାତ୍ରା କରୁଛନ୍ତି ମାତ୍ର 5 ଜଣ। ସେଥିରେ ପୁଣି ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ଛାଡ଼ି ଦେଲେ ଯାତ୍ରୀ ସଂଖ୍ୟା ମାତ୍ର 3। ବସ୍ ଆସି ମାଷ୍ଚର କ୍ୟାଣ୍ଟିନରେ ଲାଗିଲା ବେଳକୁ ଜଣେ ଯାତ୍ରୀ ମିଳିବା ବି କଷ୍ଟ। ଦେଖିବାକୁ ଗଲେ ଅଟୋରେ ତ ୟା ଠୁ ଅଧିକ ଯାତ୍ରୀ ଯାଉଥିବେ। ତେବେ ଏହି ହାଇ ଷ୍ଟାଣ୍ଡାର୍ଡ ବସର ଏପରି ଅବସ୍ଥା ପଛର କାରଣ କଣ? କାହିଁକି ଡବଲ୍ ଡେକରରୁ ମୁହଁ ଫେରାଉଛନ୍ତି ଯାତ୍ରୀ...?

ଚଳିତ ବର୍ଷ ଜାନୁଆରୀ 17ରେ ପ୍ରଥମ ଥର ପାଇଁ ରାଜ୍ୟରେ ଆରମ୍ଭ ହୋଇଥିଲା ଡବଲ୍ ଡେକର୍ ବସ୍ ସୁବିଧା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀରୁ ଭୁବନେଶ୍ୱର ଗଡ଼ିଥିଲା ଡବଲ୍ ଡେକର୍। ଏହି 65 କିଲୋମିଟର ରାସ୍ତା ପାଇଁ 64 ସିଟ୍ ଥିବା 5ଟି ବସ୍ ବ୍ୟବସ୍ଥା ହୋଇଥିଲା। ପୁରୀରୁ 2ଟି ଭୁବନେଶ୍ୱରକୁ ଏବଂ ଭୁବନେଶ୍ୱରରୁ 3ଟି ପୁରୀକୁ ଯାତ୍ରୀ ନେଇ ଗଡୁଛି ଡବଲ୍ ଡେକର୍।

ଦିନକୁ ମୋଟ୍ 12 ଥର ଯା ଆସ କରୁଛି। ଭୁବନେଶ୍ୱର ମାଷ୍ଚର କ୍ୟାଣ୍ଟିନରୁ ପୁରୀ ଜଗନ୍ନାଥ ବଲ୍ଲଭ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ବସ୍ ଗଡ଼ୁଛି। ମାତ୍ର ଦିନ ତମାମ୍ ବସରେ ଯାତ୍ରୀଙ୍କ ମରୁଡ଼ି। ଟ୍ରେନ୍ ଓ ଅନ୍ୟାନ୍ୟ ବସରେ ଖଚାଖଚ ଭିଡ଼ ହେଉଥିବା ବେଳେ ଡବଲ୍ ଡେକରରେ କାଉ କୋଇଲି ବି ନାହାନ୍ତି। ମାଷ୍ଟର୍ କ୍ୟାଣ୍ଟିନରୁ ଛାଡ଼ିବା ବେଳେ ଯାହା ହାତ ଗଣତି କେତେ ଯାତ୍ରୀ ହେଉଛନ୍ତି, ମାତ୍ର ଫେରିବା ବେଳେ କୌଣସି ଦିନ ଯାତ୍ରୀଙ୍କ ସଂଖ୍ୟା 15 ଟପୁନି। ଏମିତି ଦିନେ କି ଦୁଇ ଦିନ ନୁହଁ, ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ଏମିତି ଅବସ୍ଥା।

ସେପଟେ ଏନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପଚାରିବାରୁ କହିଛନ୍ତି – କାହିଁକି ଡବଲ୍ ଡେକରରେ ଯାତ୍ରୀ ହେଉନାହାନ୍ତି ତା ଉପରେ ତର୍ଜମା କରାଯିବ। ଯଦି ଯାତ୍ରୀ ସଂଖ୍ୟା ନ ବଢିଲା, ତେବେ ଆଗକୁ ରୁଟ୍ ପରିବର୍ତ୍ତନ କରିବାକୁ ପ୍ଲାନ୍ କରାଯିବ।

ଡବଲ୍ ଡେକର୍ ବସ୍ ସୁବିଧା ପାଇଁ ଦୈନିକ ମେଣ୍ଟେନାନ୍ସରେ ମାତ୍ରାଧିକ ବ୍ୟୟ ହେଉଛି। କିନ୍ତୁ ଲୋକ ନ ହେବା ପଛରେ ସମନ୍ୱୟର ଅଭାବ, ନା ଲୋକେ ବସିବାକୁ ଭୟ କରୁଛନ୍ତି, ସେନେଇ ତର୍ଜମା କରିବାର ଆବଶ୍ୟକତା ରହିଛି...