Doctor Banjari Village in Gajapati District Sold Off
୧୦୦ ବର୍ଷର ରହଣୀ, ୩ ପିଢ଼ିର ବାସସ୍ଥାନ ଆଉ ୬୦ରୁ ଅଧିକ ପରିବାରର ଭିଟାମାଟି। ହେଲେ ଏତେସବୁ ପରେ ବି ବିକ୍ରି ହୋଇଛି ଗୋଟିଏ ଗାଁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି, ସତ। ନଜର ପକାନ୍ତ ଏ ଦୃଶ୍ୟ ଉପରେ। ଗଜପତି ଗୋଷାଣୀ ବ୍ଲକ୍ ପର୍ଶୁରାମପୁର ମୌଜାର ଇଏ ଡାକ୍ତର ବାଞ୍ଜାରୀ ଗାଁ। ଗାଁ ମଝିରେ ଲମ୍ବିଯାଇଛି ଓସାରିଆ ପକ୍କା ରାସ୍ତା। ଆଉ ରାସ୍ତାର ଦୁଇ କଡ଼େ ସୁନ୍ଦର ସୁନ୍ଦର ଛାତ ଘର। ଗାଁରେ ସରକାରୀ ପ୍ରାଥମିିକ ସ୍କୁଲ ଅଛି। ପିଲାଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ବି ଅଛି। କିନ୍ତୁ ଏ ପଡ଼ା ଗାଁର ମାଲିକ ଏଇ ଗ୍ରାମବାସୀ ନୁହଁନ୍ତି।
ପ୍ରାୟ ୩ ପୁରୁଷ ଏବଂ ୧୦୦ ବର୍ଷ ଧରି ଗାଁ ଲୋକେ ଏଇଠି ରହି ଆସୁଥିଲେ ବି, ଏବେ ଜାଣିବାକୁ ପାଇଛନ୍ତି, ସେମାନେ ରହୁଥିବା ଭିଟାମାଟି ସେମାନଙ୍କର ନୁହେଁ। ଆହୁରି ଆଶ୍ଚର୍ଯ୍ୟ କଥା, ସେମାନଙ୍କ ଘର, ଦ୍ବାର, ଜମି, ବାଡ଼ି, ସରକାରୀ ସୁବିଧା ସୁଯୋଗ ଯୋଗାଉଥିବା ସବୁ ଅନୁଷ୍ଠାନ ଏବେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦିଆଯାଇଛି। ଏକଥା ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସି ଭଳି ଅନୁଭବ କରିଛନ୍ତି ଗାଁ ଲୋକେ।
ଏବେ ନଜର ପକାନ୍ତୁ କଣ ଏ ମାମଲା। କେଉଁ ପରିସ୍ଥିତିରେ ବିକ୍ରି ହେଲା ଏ ପୁରା ଗାଁ। କୁହାଯାଉଛି, ଆଜିକୁ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏକ ଘରୋଇ ଜମି ଉପରେ ଗଢ଼ି ଉଠିଥିଲା ଡାକ୍ତର ବାଞ୍ଜାରୀ ଗାଁ। ଜମିଦାର ଏମ୍. ଚନ୍ଦ୍ରଶେଖର ରାଓଙ୍କ ନାଁରେ ଥିବା ପ୍ରାୟ ୪୨ ଏକର ଜମି ଉପରେ କିଛି ପରିବାର ପିଢ଼ି ପରେ ପିଢ଼ି ରହି ଆସୁଛନ୍ତି। ପ୍ରାୟ ୩ ପୁରୁଷ ଧରି ରହିବା ଭିତରେ ଗାଁର ଲୋକସଂଖ୍ୟା ବି ବଢ଼ିଛି।
ଗାଁର ପ୍ରାୟ ସମସ୍ତଙ୍କୁ ମିଳି ସାରିଛି ଆବାସ ଯୋଜନାରେ ଘର। ସବୁ ସରକାରୀ ବିଦ୍ଧି ବ୍ୟବସ୍ଥା ଏବଂ ସୁବିଧା ସୁଯୋଗ ବି ଉପଭୋଗ କରୁଛନ୍ତି ଏ ଗାଁ ଲୋକେ। କିନ୍ତୁ ପୁରା ଗାଁଟି ଥିବା ୪୨ ଏକ ଜମିର ମାଲିକାନା ରହିଛି ଚନ୍ଦ୍ରଶେଖରଙ୍କ ନାଁରେ। ଯାହାକୁ ତାଙ୍କ ପରିବାର ଲୋକେ ଏବେ ଅନ୍ୟ ଜଣକୁୁ ବିକ୍ରି କରି ଦେଇଛନ୍ତି। ହେଲେ ଗାଁ ବିକ୍ରି ପରେ ଗ୍ରାମବାସୀ ଗାଁ ଛାଡ଼ିବାକୁ ନାରାଜ୍। ଯାହାକୁ ନେଇ ଏବେ ଅଡୁଆରେ ପଡ଼ିଛି ପ୍ରଶାସନ। ଜିଲ୍ଲାପାଳ କହିଛନ୍ତି, କ୍ରେତା ଯେତେବେଳେ ପଟ୍ଟା ପାଇଁ ଆବେଦନ କରିବେ, ସେତେବେଳେ ମ୍ୟୁଟେସନ୍ ନିୟମ ଅନୁସାରେ ପଦକ୍ଷେପ ନିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752509114.jpg)