Cyclone Dana: ଗଛ ପଡ଼ିଥିଲେ ଏହି ନମ୍ବରରେ କରନ୍ତୁ କଲ୍, କଟାଯିବ ଗଛ

ବାତ୍ୟା ଦାନା ତାଣ୍ଡବ ରଚିବା ପରେ ଏବେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି ।

Cyclone Dana

ବାତ୍ୟା ଦାନା ତାଣ୍ଡବ ରଚିବା ପରେ ଏବେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି । ୨୪ ଘଣ୍ଟା ମଧ୍ୟରେ ଗଛକଟା ସାରି ରାସ୍ତା ଖୋଲି ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି । ସେହିପରି ଯେଉଁ ମାନଙ୍କ ଘର ଉପରେ ଗଛ ପଡିଛି ୧୧୨କୁ କଲ କରି ଜଣାଇଲେ, ଅଗ୍ନିଶମ ବାହିନୀ ପକ୍ଷରୁ ଗଛ କଟାଯିବ ବୋଲି କହିଛନ୍ତି ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ବିଶେଷ କରି ବାତ୍ୟା ଦାନାର ପ୍ରଭାବ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରପଡା ଉପରେ ଅଧିକ ଥିବା ବେଳେ, ଜଗତସିଂହପୁର ଜିଲ୍ଲା ଉପରେ ମଧ୍ୟ ପ୍ରଭାବ ପଡିଛି । ଏହି ସବୁ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ଅଗ୍ନିଶମ ଡିଜି କହିଛନ୍ତି । ସେପଟେ ପ୍ରବଳବର୍ଷା ପରେ ଫୁଲୁଛି ନଦୀ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ବାଙ୍ଗିରିପୋଷି ବ୍ଲକ୍‌ର ଜାମତାଳିଆ ପାଖରେ ନଦୀର ଉଗ୍ର ରୂପ । ଶିମିଳିପାଳ ଉପର ମୁଣ୍ଡରେ ଥିବା ଚହଲା ରେଞ୍ଜରେ ୧୩୦ ମିଲିମିଟର ବର୍ଷା ହୋଇଥିଲା ।

ନଅଣା ନର୍ଥ ରେଞ୍ଜରେ ୧୩୭ ମିଲିମିଟର ମିଟର ବର୍ଷା ହୋଇଥିଲା । ଏଥିସହ ବାରିପଦାରେ ୧୮ ମିଲିମିଟର ବର୍ଷା ହୋଇଛି । ପିଠାବଟା ରେଞ୍ଜର ସାଉଥ୍ ପଳପଳା ନଦୀ କୂଳରେ ୩୩ ମିଲିମିଟର ବର୍ଷା ହୋଇଛି । ଏସବୁ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀ ଫୁଲିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।

ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ସହ ଅତି ପ୍ରବଳ ବର୍ଷା ନେଇ ସୂଚନା ଦିଆଯାଇଛି ।

ଅନ୍ୟପଟେ ବାତ୍ୟା ଜନିତ ଏବଂ ତା’ପରବର୍ତ୍ତୀ ବର୍ଷାରେ ୧୬ ଜିଲ୍ଲାକୁ ଏବେ ଦେଖାଦେଇଛି ଫ୍ଲାସ୍ ଫ୍ଲଡ ଆଶଙ୍କା । ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ଅନୁଗୁଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ।