ମୁକ୍ତା ଯୋଜନାରେ ମୁକ୍ତ ଦୁର୍ନୀତି ! ଯୋଜନା କେବଳ ଧର୍ମକୁ ଆଖି ଠାର ଅଭିଯୋଗ

ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିଲା ଯୋଜନା । ଯୋଜନା କେବଳ ଧର୍ମକୁ ଆଖି ଠାର୍ ବୋଲି ଅଭିଯୋଗ । ବିଭିନ୍ନ ୱାର୍ଡରେ ୯୮ ପ୍ରକଳ୍ପରୁ ହୋଇଛି ମାତ୍ର ୪୧ଟିର କାମ ।

Mukta yojana

ମୁକ୍ତା ଯୋଜନାରେ ମୁକ୍ତ ଦୁର୍ନୀତି ! ଫେଲ୍ ମାରିଲା କି ସହରାଞ୍ଚଳ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇବା ଯୋଜନା? ତତ୍କାଳୀନ ବିଜେଡି ସରକାରଙ୍କ ଯୋଜନାକୁ ନେଇ ବଢୁଛି ଦ୍ୱନ୍ଦ୍ୱ । ମୁକ୍ତା ଯୋଜନା ଅନ୍ତର୍ଗତ ବାଲେଶ୍ୱର ସହରର ୩୧ଟି ୱାର୍ଡରେ ଆରମ୍ଭ ହୋଇଥିଲା ମିନି ପାର୍କ, ଓପନ୍ ଜିମ୍, ଶୌଚାଳୟ ଆଦି ନିର୍ମାଣ । ଏବେ ସ୍ଥିତିରେ ଭିନ୍ନ । ବିଭିନ୍ନ ୱାର୍ଡରେ ନିର୍ମାଣ ହୋଇଥିବା ୩୨ଟି ଶୌଚାଳୟ ମଧ୍ୟରୁ କେଉଁଠି ତାଲା ପଡ଼ି ରହିଛି ତ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି।

ସେହିପରି ୭ଟି ମିନି ପାର୍କର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ବଡ଼ ବଡ଼ ଗଛଲତାରେ ଲୁଚି ଯାଉଛି ମିନି ପାର୍କ। ଅନ୍ୟପଟେ ୮ଟି ପାଦ ଚଲା ରାସ୍ତାରେ ପଡ଼ିଥିବା ପେଭର ବ୍ଲକ ଭାଙ୍ଗିରୁଜି ଯାଇଥିବାବେଳେ, ୩୧ଟି ଓପନ୍ ଜିମର ଅବସ୍ଥା ନକହିଲେ ଭଲ। ଏନେଇ ସ୍ଥାନୀୟଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ବାଲେଶ୍ୱର ପୌରପାଳିକାରେ ମୁକ୍ତା ଯୋଜନା ଅନ୍ତର୍ଗତ ମୋଟ୍ ୧୦୩ଟି ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଥିବା ବେଳେ ୯୮ ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ଯାହା ପାଇଁ ୯ କୋଟି ଟଙ୍କା ଆକଳନ ମଧ୍ୟ କରାଯାଇଛି। ହେଲେ ଦୁର୍ଭାଗ୍ୟର ବିଷୟ ଯୋଜନାକୁ ୩ ବର୍ଷ ବିତି ସାରିଥିବା ବେଳେ ସରକାର ବି ବଦଳି ସାରିଲେଣି। କିନ୍ତୁ କାମ ମାତ୍ର ୪୧ଟିର ହୋଇଛି ।

୧୮ଟି ପ୍ରକଳ୍ପର ବର୍ତ୍ତମାନ କାମ ଚାଲୁଥିବା ବେଳେ ୨୫ଟି ପ୍ରକଳ୍ପର ଏଯାଏଁ କାମ ଆରମ୍ଭ ବି ହୋଇନି । ସେପଟେ ବାଲେଶ୍ୱର ପୌରଧ୍ୟକ୍ଷା କହିଛନ୍ତି, ବର୍ତ୍ତମାନ ପାଇଁ ଏହି ଯୋଜନା ସ୍ଥଗିତ ଅଛି, ଅର୍ଥାଭାବରୁ କାମ ଆରମ୍ଭ କରାଯାଇ ପାରୁନାହିଁ।