BRIDGE WORK
ଆସିଲା ବର୍ଷା, ପୁଣି ଉବୁଡୁବୁ ହେବ ମାଲକାନଗିରି। ଠପ୍ ହୋଇଯିବ ସାଧାରଣ ଜୀବନଯାତ୍ରା। ବର୍ଷା ଋତୁ ଆସିସାରିଥିବା ବେଳେ ଏବେ ଲୋକଙ୍କ ମନରେ ଘାରିଲାଣି ଏଭଳି ଭୟ। ଲୋକେ ଆଶା କରୁଥିଲେ ହାଇଲେବଲ ବ୍ରିଜ୍ କାମ ଶେଷ ହୋଇଗଲେ ଜଳବନ୍ଦୀ ଜୀବନରୁ ମିଳିବ ମୁକ୍ତି। ମାତ୍ର ଲୋକଙ୍କ ଆଶା ଆଶାରେ ରହିଯାଇଛି। ୩ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇପାରିନି ସେତୁ କାମ। ଜିଲ୍ଲାର ଅଧିକାଂଶ ସ୍ଥାନରେ ଲୋ-ଲେବେଲ ବ୍ରିଜ୍ ରହିଥିବାରୁ ଏଥର ବି ପୁଣି ଉପୁଜିପାରେ ସମାନ ସମସ୍ୟା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଗୋବିନ୍ଦପାଲ୍ଲୀରୁ ମୋଟୁ ଦେଢ ଶହ କିଲୋମିଟର ରାସ୍ତାରେ ୯ଟି ହାଇଲେବେଲ ସେତୁ ନିର୍ମାଣ ପାଇଁ NHAI ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେଥି ମଧ୍ୟରୁ ଜିଲ୍ଲାର ପାଙ୍ଗାମ, ପୋଟେରୁ, କାଙ୍ଗୁରୁକୋଣ୍ଡା ଓ ଏମଭି-୯୬ ସେତୁ କାର୍ଯ୍ୟ ଟେଣ୍ଡର ନେଇଥିଲେ ଛତିଶଗଡ ବିଳାଶପୁରର ଜଣେ ଠିକାଦାର। ମୋଟ ୫ଟି ସେତୁ ପାଇଁ ୧୦୨ କୋଟି ବଜେଟ ରହିଥିବା ବେଳେ କମ୍ପାନି ୭୯ କୋଟିରେ କରିବା ପାଇଁ ଚୁକ୍ତି କରିଥିଲା। ୨୦୨୨ ଜୁନ ମାସରେ ବ୍ରିଜ୍ କାମ ଆରମ୍ଭ ହୋଇ ୨୦୨୪ ଜୁଲାଇରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଠିକା କମ୍ପାନି ନିର୍ଦ୍ଧାରିତ ସମୟରେ ସାରିପାରିନି କାମ। ପ୍ରାୟ ୩ ବର୍ଷରେ ୩୦ ପ୍ରତିଶତ କାମ ହୋଇଥିବା ବେଳେ ଠିକା ସଂସ୍ଥା ୧୬ କୋଟି ଟଙ୍କାର ବିଲ୍ ନେଇ ଛୁ। ବ୍ରିଜ୍ ସାରିବା ପାଇଁ ବାରମ୍ବାର ତାଗିଦ ପରେ ବି ଠିକା ସଂସ୍ଥା କର୍ଣ୍ଣପାତ ନକରିବାରୁ ତାର କାର୍ଯ୍ୟାଦେଶକୁ ବରଖାସ୍ତ କରାଯିବା ସହ ୮ କୋଟି ଟଙ୍କା ଜରିମାନା କରାଯାଇଛି। ପୁଣି ଥରେ ଟେଣ୍ଡର କରାଯାଇ କାର୍ଯ୍ୟ ତରାନ୍ବିତ କରାଯିବ ବୋଲି ପ୍ରଶାସନ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753202024.jpg)