ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବି, ଓଡ଼ଗାଁ ଥାନା ଘେରିଲା ନୟାଗଡ଼ ବିଜେପି

ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ ।

BJP Protest

ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବିରେ ତାତିଲା ବିଜେପି । ଓଡ଼ଗାଁ ଥାନା ଘେରିଲା ନୟାଗଡ଼ ବିଜେପି । ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ । ବିଧାୟକ ଅରୁଣ ସାହୁଙ୍କ ଚାପରେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ ହୋଇଛି ।

ସୂଚନା ଅନୁସାରେ କିଛି ଦିନ ତଳେ ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଦୁଷ୍କର୍ମ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ଅଭିଯୁକ୍ତଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରି ନାହିଁ । ବାରମ୍ବାର ଦାବି ସତ୍ତ୍ୱେ ପୋଲିସ ନ ଶୁଣିବାରୁ ଆଜି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଥାନା ଘେରାଉ କରିଛି ନୟାଗଡ଼ ବିଜେପି । ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ରାସ୍ତାରୋକ କରିବା ସହ ଥାନା ଭିତରକୁ ଧସେଇ ପଶିଛନ୍ତି ।

ଅଧିକ ପଢ଼ନ୍ତୁ: ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିଆନ୍‌ଙ୍କ ଅପିଲ୍‌କୁ ବିଜେପିର କଟାକ୍ଷ

ପୋଲିସ ସହ ଧସ୍ତାଧସ୍ତି ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଶହ ଶହ ବିଜେପି କର୍ମୀ ପୀଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି । ଅନ୍ୟପକ୍ଷରେ, ପୋଲିସ ଅବହେଳା ଅଭିଯୋଗ ଭିତ୍ତିହୀନ ଏବଂ ପୋଲିସ ନିରପେକ୍ଷ ଭାବରେ ତଦନ୍ତ କରୁଥିବା କହିଛନ୍ତି ଶରଣକୁଳ SDPO ସୁଧାକର ସାହୁ ।