Advertisment

ଭରତପୁର ଥାନା କାଣ୍ଡ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା PSO

ଭରତପୁର ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ। କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
Bharatpur incident

Bharatpur incident

Advertisment

ଭୁବନେଶ୍ବର ଭରତପୁର ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ। କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି। ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ୍ ରୋମିଓଙ୍କ ଦ୍ବାରା 
ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ। ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ଭରତପୁର ପୋଲିସ ମଧ୍ୟ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ବିବାଦ ଲାଗିରହିଛି। 

Advertisment

ଏପଟେ ଭରତପୁର କାଣ୍ଡର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ । ତେବେ ଅଭିଯୋଗ-ପ୍ରତି ଅଭିଯୋଗରେ ସୀମିତ ଏହି ଅଘଟଣର କେମିତି ହେବ ତଦନ୍ତ ? ପୀଡ଼ିତାଙ୍କ ଚରିତ୍ରକୁ ସଂହାର କଲା ଭଳି କିଛି ଭିଡ଼ିଓ ଯାହା ଭାଇରାଲ୍ ହେଉଥିବା ବେଳେ ଶନିବାର ରାତିରେ ଥାନାରେ ଯାହା ଘଟିଲା, ତାହା ସାମ୍ନାକୁ ଆସିନି ।

ଏଭଳି ସ୍ଥିତିରେ କିଏ ହେବ ଦୋଷୀ ? ଅଭିଯୋଗ ଓ ପ୍ରତି ଅଭିଯୋଗର ପ୍ରମାଣ ପାଇଁ ସାଇଣ୍ଟିଫିକ୍ ତଦନ୍ତ ହେବ କି ଶେଷ ଭରସା ? ସେନେଇ ନାନା ପ୍ରଶ୍ନ ଭିତରେ କୋର୍ଟଙ୍କ ବିଚାର ହିଁ ସର୍ବମାନ୍ୟ ବୋଲି ମତ ରଖିଛନ୍ତି ଆଇନଜୀବୀ । ତେଣେ ପୀଡ଼ିତା କହିଛନ୍ତି, ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଁ ଖୁସି ନୁହଁ ।

Advertisment

ଭୁବନେଶ୍ୱରରୁ ସାରା ଭାରତବର୍ଷକୁ ଦୋହଲାଇଦେଲା ଭରତପୁର କାଣ୍ଡ । ହେଲେ ଏହି କାଣ୍ଡର କେମିତି ହେବ ବିଚାର ବିଭାଗୀୟ ତଦନ୍ତ ? କେଉଁ ସାକ୍ଷ୍ୟ ପ୍ରମାଣ ଆଧାରରେ କାହାକୁ ଦୋଷୀ ଏବଂ କାହାକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବେ ଜଷ୍ଟିସ ସିଆର୍ ଦାଶ କମିଶନ ? ତାକୁ ନେଇ ନାନା ଆଶା ଆଶଙ୍କା । କାରଣ ଗୋଟିଏ ପଟେ ମେଜର୍ ଓ ବାନ୍ଧବୀଙ୍କ ନିର୍ଯାତନା ଅଭିଯୋଗ, ଆରପଟେ ଭରତପୁର ପୋଲିସ ପକ୍ଷରୁ ପାଲଟା ଅଭିଯୋଗ ।

ହେଲେ ଉଭୟ ପକ୍ଷ ଆଣିଥିବା ଅଭିଯୋଗର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ଅଦ୍ୟାବଧି ସେଭଳି ପ୍ରମାଣ ସାମ୍ନାକୁ ଆଣିଛି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ । କେବଳ ଯାହା କିଛି ଭିଡ଼ିଓ କ୍ଲିପ୍ ପୀଡ଼ିତାଙ୍କ ବିରୋଧରେ ଚରିତ୍ରକୁ ସଂହାର କଲା ଭଳି ଭାଇରାଲ୍ କରାଯାଉଛି । ଯାହାକୁ ନେଇ ତଦନ୍ତ କମିଶନ ଅଧ୍ୟକ୍ଷ ନାପସନ୍ଦ ବି କରିଛନ୍ତି ।

Advertisment

ହେଲେ ଥାନା ଭିତରେ କ’ଣ ଘଟିଲା ? ମୋବାଇଲରେ ନିଜେ ପୀଡ଼ିତା ସୁଟ୍ କରିଥିବା ଭିଡ଼ିଓ ଗଲା କୁଆଡ଼େ ? ସିସିଟିଭି ହୀନ ଭରତପୁର ଥାନାର ୧୪ ସେପ୍ଟେମ୍ବର ରାତିର ରହସ୍ୟ ଉପରୁ ଏଯାଏଁ ପରଦା ହଟିନି । ଅର୍ଥାତ ଏହି ମାମଲାରେ ଯିଏ ଅଭିଯୁକ୍ତ, ସିଏ ହିଁ ସାକ୍ଷୀ । ଏଭଳି ସ୍ଥିତିରେ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ ବେଳେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ ।

ଶନିବାର ବିଳମ୍ବିତ ରାତି । ସମୟ ୨ଟାରୁ ୨ଟା ୩୦ ମିନିଟ୍ । ବିଚ୍ ରାସ୍ତାରେ କିଛି ଯୁବକଙ୍କ ଦ୍ୱାରା ଅସଦାଚରଣ ଏବଂ ଆକ୍ରମଣର ଶିକାର ଆର୍ମି ମେଜର୍ ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କହିଥିଲେ, ତୁରନ୍ତ PCR ପଠାଇ ସଂପୃକ୍ତ ଅସାମାଜିକଙ୍କୁ ଧରିବା ପାଇଁ । ତା’ବଦଳରେ କୁଆଡ଼େ ପୋଲିସ୍ ମାଗିଥିଲା ଲିଖିତ ଏତଲା । କିନ୍ତୁ ତା ଭିତରେ କ’ଣ ଘଟିଗଲା କେଜାଣି, ଅଭିଯୋଗ ପାଇଁ ଥାନାକୁ ଯାଇଥିବା ଉଭୟଙ୍କୁ ପାଲଟା ଅଭିଯୁକ୍ତ ସଜାଇ ଦେଲା କମିଶନରେଟ୍ ପୋଲିସ ।

ଗିରଫ କରି ପୀଡ଼ିତାଙ୍କୁ କରିଦେଇଥିଲା କୋର୍ଟଚାଲାଣ । ଏଭଳି ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ । ଭରତପୁର ଥାନା ଅଘଟଣ ପ୍ରସଙ୍ଗରେ ଦାୟାର ଏକ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ କହିଥିଲେ ଘଟଣାକ୍ରମକୁ ଦେଖିଲା ପରେ ଏହା ବିଚଳିତ କଲା ଭଳି ମନେ ହେଉଛି ।

ଥାନାକୁ ୨ ଜଣ ପ୍ରବେଶ କରିଥିଲେ କୌଣସି ଅପରାଧ ଭିଆଇବା ପାଇଁ ନୁହେଁ, ବରଂ ଅଭିଯୋଗ ଦାଖଲ ପାଇଁ । ସେହି ସମୟ ଭିତରେ ଥାନାରେ ଯାହା ଘଟିଲା ରହସ୍ୟମୟ, ଯାହାର ତଦନ୍ତ ଚାଲିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେତେବେଳେ ଉଭୟେ ଥାନାରୁ ବାହାରିଲେ, ସେତେବେଳେ ସେମାନଙ୍କ ନାଁରେ ଏକ FIR ସହ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ରହିଥିଲା ।

ଏଭଳି ଘଟଣା ଜାଣିବା ପରେ ଆଉ କେହି ଥାନାକୁ ଯିବେ କି ବୋଲି ପ୍ରଶ୍ନ କରିବା ସହ ପୋଲିସକୁ ଭର୍ତ୍ସନା କରିଥିଲେ ହାଇକୋର୍ଟ । ଅର୍ଥାତ ପ୍ରାଥମିକ ଭାବେ ଭରତପୁର ପୋଲିସର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ମାମଲାରେ ନିରପେକ୍ଷ ସାକ୍ଷୀ ନଥିବାରୁ ସାଇଣ୍ଟିଫିକ୍ ତଦନ୍ତ ହେବ କି ଶେଷ ଭରସା ? ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଆଧାରରେ ପ୍ରସ୍ତୁତ ତଦନ୍ତ ରିପୋର୍ଟକୁ ଗ୍ରହଣ କରିବେ ତ କୋର୍ଟ ?

ଏସବୁ ଭିତରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପୀଡ଼ିତା ଆଜି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୋତେ ଆଶ୍ୱସ୍ତ କରିଛି । କିନ୍ତୁ ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ଯାଏଁ ମୁଁ ଖୁସି ହେବି ନାହିଁ । ଭରତପୁର ଥାନା ଅଘଟଣକୁ ନେଇ ଗୋଟିଏ ପଟେ କ୍ରାଇମବ୍ରାଞ୍ଚର ତଦନ୍ତ, ଅନ୍ୟପଟେ ତଦନ୍ତ ପାଇଁ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ସିଆର୍ ଦାଶ କମିଶନ । ଆସନ୍ତା ସପ୍ତାହେ ଭିତରେ ମାମଲାର ତଦନ୍ତ ଆରମ୍ଭ କରିବେ ବୋଲି କହିସାରିଛନ୍ତି କମିଶନ ଅଧ୍ୟକ୍ଷ ।

Army Major
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ