Bharatpur Case: 'ଲାଏ ଡିଟେକ୍ସନ୍, ବ୍ରେନ୍ ମ୍ୟାପିଂ, ନାର୍କୋ ଟେଷ୍ଟ ରିପୋର୍ଟକୁ ଅପେକ୍ଷା'

ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼ ।

Bharatpur Case

ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼ । ଆଜି ମାମଲାର ତଦନ୍ତ ମିଶନ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଦ୍ୱିତୀୟ ବୈଠକ କରିଛନ୍ତି । ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ୱତନ୍ତ୍ର ସଚିବ ଗୃହ ବିଭାଗ ରାଧା କୃଷ୍ଣ ଶର୍ମା, ADG କ୍ରାଇମ୍ ବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ଥିଲେ ।

ଏହା ସହ ଦୁଇ ତଦନ୍ତକାରୀ ଅଧିକାରୀ DSP ନୀଳିମା ପଣ୍ଡା ଓ ନରେନ୍ଦ୍ର ବେହେରା ଉପସ୍ଥିତ ଥିଲେ । ନିକଟରେ ପୂରା ଟିମ୍ ଗୁଜୁରାଟ ଗାନ୍ଧୀନଗର ଯାଇ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଅଧିକାରୀଙ୍କ ହୋଇଛି ପଲିଗ୍ରାଫ ଗ୍ରାଫ ଟେଷ୍ଟ । ଏହା ସହ ଦୀନକୃଷ୍ଣଙ୍କ ହୋଇଥିଲା ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ।

ଆଜି କ୍ରାଇମ୍‌ବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନଙ୍କୁ ଅବଗତ କରାଯାଇଛି । ଏଯାଏ ତଦନ୍ତ କେତେଦୂର ଆଗେଇଛି ସେନେଇ ଟିକି ନିଖି ତଥ୍ୟ କମିଶନଙ୍କ ଆଗରେ ଉପସ୍ଥାପନା କରାଯାଇଛି । କମିଶନଙ୍କ ସହ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଶ ମିଶ୍ର କହିଛନ୍ତି ଗୁଜୁରାଟ ଗାନ୍ଧୀନଗରରେ ସମସ୍ତ ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ହୋଇ ସାରିଛି ।

ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସହ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ବର୍ତ୍ତମାନ ତାଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜିର ବୈଠକରେ କ୍ରାଇମବ୍ରାଞ୍ଚ ତଦନ୍ତ ସମ୍ପର୍କରେ କମିଶନଙ୍କ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ତଦନ୍ତ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କମିଶନ ।

ବୈଠକ ପରେ କମିଶନ ସଚିବ ଶୁଭେନ୍ଦ୍ର ମହାନ୍ତିଙ୍କ କହିଛନ୍ତି ତଦନ୍ତ ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ୍ ଅଧିକାରୀଙ୍କ ଠାରୁ ତଥ୍ୟ ନେଇଛୁ । ଯେହେତୁ ଗୁଜୁରାଟ ଗାନ୍ଧୀନଗରରୁ କୌଣସି ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତଗତ ହୋଇନି, ତେଣୁ ସେ ବିଷୟରେ ସେମାନେ କୌଣସି ସୂଚନା ଦେଇ ପାରିନାହାନ୍ତି । ସେପଟେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ରେକର୍ଡ ସରିଛି ।

ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏଯାଏଁ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ କ୍ରାଇମବ୍ରାଞ୍ଚ୍ କରିନାହିଁ ବୋଲି କମିଶନଙ୍କୁ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ବିନୟତୋଷ ମିଶ୍ର । ସେପଟେ ଅନେକ ସତ୍ୟପାଠ କମିଶନଙ୍କ ହସ୍ତଗତ ହୋଇଛି । ସମସ୍ତ ସତ୍ୟପାଠ ନିର୍ଦ୍ଧାରିତ ସମୟ ମଧ୍ୟରେ କମିଶନ ନିକଟରେ ହସ୍ତଗତ ହେବା ପରେ ସତ୍ୟପାଠ ଯାଞ୍ଚ ହେବ ଓ ସମନ ପ୍ରକ୍ରିୟା ଆରମ୍ଭ ହେବ । ତା ପରେ କମିଶନଙ୍କ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତଦନ୍ତ କମିଶନ ସଚିବ ।