ସବୁଠି ଅପମିଶ୍ରଣ, ଖାଦ୍ୟ ନାଁରେ ଲୋକ ଖାଉଛନ୍ତି ବିଷ

ବ୍ରହ୍ମପୁର ସହରରେ କାୟା ମେଲାଉଛି ନକଲି ସାମଗ୍ରୀ । ପ୍ରାୟ ସମୟରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ସାମଗ୍ରୀ । ଖାଦ୍ୟ ସାମଗ୍ରୀଠୁ ନେଇ ଗାଡିର ଇଂଜିନ ଅଏଲ ଯାଏ...ସବୁଠି ଲମ୍ବିଛି ନକଲି, ଅପମିଶ୍ରିତ ସାମଗ୍ରୀର ଚେର ।

Fake Goods Scandal

ନକଲି ...ନକଲି...ଆଉ ନକଲି... ଯେଉଁଠି ହାତ ରଖିବେ ବାହାରିବ ପୁଳା ପୁଳା ନକଲି ସାମଗ୍ରୀ । କେତେବେଳେ ଖାଇବା ତେଲ, ହଳଦୀ ଗୁଣ୍ଡ ତ ପୁଣି କେତେବେଳେ ମସଲା ଗୁଣ୍ଡ ଠୁ ନେଇ ନଡ଼ିଆ ତେଲ, ରାଶିତେଲ ଯାଏ । ସବୁଠି ଅପମିଶ୍ରଣ...ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଲୋକେ। ଖାଦ୍ୟ ନାଁରେ ଖାଉଛନ୍ତି ବିଷ । ବଡବଜାର ଅଂଚଳରେ ଧରାପଡିଥିବା ନକଲି ନଡିଆ ତେଲ । ଦୂରରୁ ନାମୀଦାମୀ ଅସଲି ବ୍ରାଣ୍ଡ ଭଳି ଦିଶୁଥିଲେବି ଇଏ ଅପମିଶ୍ରଣ ତେଲ । ନାଁ ଲେଖା ହୋଇଛି ଶିବାନୀ । ବ୍ରାଣ୍ଡେଡ କଂପାନୀର ତେଲ ଆଣି ଅପମିଶ୍ରଣ କରି ତିଆରି କରାଯାଉଥିଲା ନକଲି ତେଲ । ମୁନାଫା କମାଇବା ପାଇଁ ଲୋକାଲ ବ୍ରାଣ୍ଡରେ ଏହାକୁ ପ୍ରସ୍ତୁତ କରି ଲୋକଙ୍କୁ ଶସ୍ତାରେ ବିକ୍ରି କରାଯାଉଥିବା ବେଳେ ଧରାପଡିଛି । ଯେଉଁଥିରେ ପାରାଫିନ୍, ମୋବିଲ ଓ ପୋଡା ତେଲ ମିଶେଇ ମାର୍କେଟକୁ ଛଡାଯାଉଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏଭଳି ବେଆଇନ କାରବାର ଜାରି ରହିଥିଲା ଏଠାରେ । ଶେଷରେ କମ୍ପାନୀ ଜାଣି ପାରି ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପରେ ପୋଲିସ ଚଢ଼ାଉ କରି ବଡବଜାର ଅଂଚଳର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ବ୍ରାଣ୍ଡ, ଟ୍ରେଡ୍ ମାର୍କ, ଅକ୍ଷର ସହ ଅନ୍ୟାନ୍ୟ ସାମଗ୍ରୀ ବି ଜବତ ହୋଇଛି । ତେଣେ ବ୍ରହ୍ମପୁର ସହରରେ ଖାଦ୍ୟ ଅପମିଶ୍ରଣ, ଠକେଇ ଧରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି କମିଶନର । ତେବେ ଆଗକୁ ଏହାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି ।

କେବଳ ନକଲି ଜିନିଷ ତିଆରି କରୁଥିବା ବ୍ୟବସାୟୀ ନୁହେଁ, ନକଲି ସାମଗ୍ରୀ ଜାଣିବା ସତ୍ତ୍ବେ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ବି କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏହାସହ ଲୋକେ ବି ସଚେତନ ହେବା ନିହାତି ଆବଶ୍ୟକ ।