Bear
ଯିଏ ରାସ୍ତାରେ ଯାଉଥିଲା ତା ଆଡ଼କୁ ଧାଇଁ ଯାଉଥିଲା । ଗାଡି ଆଗରେ ଶୋଇ ଯାଉଥିଲା । ରାସ୍ତାଦେଇ ଯାଉଥିବା ଗୋଟିଏ ପରେ ଗୋଟିଏ ଗାଡିକୁ ସେ ଅଟକାଉଥିଲା । ଭଗବାନ ତାକୁ କଥା କହିବାର ସୁଯୋଗ ସିନା ଦେଇନାହାଁନ୍ତି କିନ୍ତୁ କଥା କହି ନପାରିଲେ ବି ଲୋକଙ୍କୁ ସେ ଜଣାଇବାକୁ ବୋଧେ ଚାହୁଁଥିଲା, ମୁଁ ଆହତ ହୋଇଛି ମୋତେ ଟିକିଏ ରକ୍ଷା କର । ମୋତେ ନେଇ କେଉଁଠି ଚିକିତ୍ସା କର, ମୁଁ ବଞ୍ଚିବାକୁ ଚାହେଁ । ହେଲେ ଗାଡିସବୁକୁ ଅଟକାଇ ରାସ୍ତା ଓଗାଳିବାର କାରଣ କେହି ବୁଝିପାରୁନଥିଲେ । କେହି କେହି ଆକ୍ରମଣ କରିବା ଭୟରେ ତା ପାଖକୁ ଯାଉନଥିଲେ ତ ଆଉ କେହି ତାକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ । କିଛି ଲୋକ ଦୂରରେ ଥାଇ ଜୀବଟିର ଏଭଳି କାରନାମାକୁ ଭିଡିଓ ମଧ୍ୟ କରୁଥିଲେ ।
ଜୀବଟି ବାରମ୍ବାର ଗାଡିସବୁକୁ ଅଟକାଇ ତାର ଦୁଃଖ ଜଣାଇବାକୁ ଚେଷ୍ଟା କରୁଥିଲା । ହେଲେ କେହି ବି ତାର ଅକୁହା କଥାକୁ ବୁଝିପାରିନଥିଲେ । ଦୀର୍ଘ ସମୟ ଧରି ଏହି ଜୀବଟି ଏଭଳି ଭାବେ ସମସ୍ତଙ୍କୁ ତାର ଦୁଃଖ ଜଣାଇଚାଲିଥିଲା । ବୀରମହାରାଜପୁର-ରେଢାଖୋଲ ରାସ୍ତାର ଡୁଲେଶ୍ୱର ଛକ ନିକଟରେ ଗତକାଲି ଅପରାହ୍ନରେ ଏକ ଗାଡ଼ଭାଲୁ ଲୋକଙ୍କ ରାସ୍ତା ଅବରୋଧ କରୁଥିଲା । ଗାଡିକୁ ଅଟକାଇ ତା ଆଗରେ ଶୋଇପଡୁଥିଲା । ହେଲେ ରାସ୍ତାଦେଇ ଯାଉଥିବା ଲୋକଙ୍କ କାହାର କିଛି କ୍ଷତି କରିନଥିଲା । ତେବେ ଏନେଇ ଜଣାପଡିବା ପରେ ସୁବଳୟାରୁ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ଭାଲୁଟିକୁ ଉଦ୍ଧାର କରିଥିଲେ ।
ବନ ବିଭାଗ ଦ୍ୱାରା ଗାଡ଼ଭାଲୁଟିକୁ ଉଦ୍ଧାର କଲାପରେ ଜଣାପଡିଥିଲା ଯେ, ଗାଡ଼ଭାଲୁଟି ଗୁରୁତର ଭାବେ ଆହତ ହୋଇଛି । ତାର ଡାହାଣ ଗୋଡ, ମୁହଁ ଏବଂ ପେଟରେ ଗୁରୁତର ଆଘାତ ଲାଗିଥିଲା । ବୋଧହୁଏ ଜଙ୍ଗଲରୁ ବାହାରି ରାସ୍ତା ପାରିହେବା ସମୟରେ କୌଣସି ଗାଡିରେ ଧକ୍କା ଖାଇ ଗାଡ଼ଭାଲୁଟିର ଏଭଳି ଅବସ୍ଥା ହୋଇଥାଇପାରେ । ତେବେ ବନ ବିଭାଗ ଦ୍ୱାରା ଗାଡ଼ଭାଲୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଆଣିବା ବାଟରେ ହିଁ ସେ ଜୀବନ ସହ ସଂଘର୍ଷ କରୁ କରୁ ଆରପାରିକୁ ଚାଲିଯାଇଥିଲା । ଆଜି ବନ ବିଭାଗ ଦ୍ୱାରା ମୃତ ଗାଡଭାଲୁଟିକୁ ପ୍ରାଣୀ ଚିକିତ୍ସକଙ୍କଦ୍ୱାରା ପୋଷ୍ଟମର୍ଟମ କଲାପରେ ପୋତି ଦିଆଯାଇଛି । ହେଲେ ଯେଉଁ ଲୋକମାନେ ଗତକାଲି ଏ ଗାଡ଼ଭାଲୁଟିର କାର୍ଯ୍ୟକଳାପକୁ ଦେଖି ଭୟଭୀତ ଥିଲେ କିମ୍ବା ତା ମନର ଭାଷାକୁ ବୁଝିପାରିନଥିଲେ ସେମାନେ ଆଜି ମନ ଦୁଃଖ କରୁଛନ୍ତି । ହୁଏତ ଗତକାଲି ଠିକ୍ ସମୟରେ ଗାଡ଼ଭାଲୁଟିର ଚିକିତ୍ସା କରାଇଥିଲେ, ତାର ଜୀବନ ହୁଏତ ବଞ୍ଚିଯାଇପାରିଥାନ୍ତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bear_1751540063.jpg)