ତେଜୁଛି RI ପରୀକ୍ଷା ଅସନ୍ତୋଷ, OSSSC କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଉଠିଲା ପ୍ରଶ୍ନ

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟୁଛି... ସହିବାର ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ତେଜିଛି ଅସନ୍ତୋଷ । ସରକାରୀ ଚାକିରି ଖଣ୍ଡିକ ଆଶାରେ ଥିବା ମଧ୍ୟବିତ୍ତ ପିଲାଙ୍କ ମଧ୍ୟରେ ବଢ଼ିଛି ଉତ୍ତେଜନା ।

OSSSC

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟୁଛି... ସହିବାର ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ତେଜିଛି ଅସନ୍ତୋଷ । ସରକାରୀ ଚାକିରି ଖଣ୍ଡିକ ଆଶାରେ ଥିବା ମଧ୍ୟବିତ୍ତ ପିଲାଙ୍କ ମଧ୍ୟରେ ବଢ଼ିଛି ଉତ୍ତେଜନା । ଭୁବନେଶ୍ୱରରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଏବଂ ଷ୍ଟେଟ୍ ଲାଇବ୍ରେରୀ ଆଗରେ ବିକ୍ଷୋଭ କରିଛନ୍ତି ପିଲା ।

କଟକରେ ବିଶାଳ ରାଲି କରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । ଶହ ଶହ ଯୁବକ ଯୁବତୀ, କିଏ RI ପାଇଁ ଆବେଦନ କରିଛନ୍ତି ତ ଆଉ କିଏ ଅମିନ ତ ଆଉ କିଏ I CDS ସୁପରଭାଇଜର୍ ପଦବୀ ପାଇଁ ଆବେଦନ କରିଛନ୍ତି । ହେଲେ ଏହି ନିଯୁକ୍ତି ପ୍ରକ୍ରିୟା ପଛରେ ବଡ଼ କେଳେଙ୍କାରୀ ଅଭିଯୋଗ ଆଣି ଆଜି କଟକ ଏବଂ ଭୁବନେଶ୍ୱରରେ ଏଭଳି ଗର୍ଜିଛନ୍ତି ଚାକିରି ଆଶାୟୀ ।

ତାମିଲନାଡୁର SIFY ଟେକ୍ନୋଲୋଜି ନାମକ ଏକ ଅଯୋଗ୍ୟ ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଇଥିବା ନିଯୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ସହ ଅନଲାଇନ୍ ନୁହେଁ, ବରଂ ଅଫଲାଇନ ମୋଡରେ ପରୀକ୍ଷା ଦାବି କରି କଟକରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ୨୦୨୩, ଡିସେମ୍ବର ୨୯ । OSSSC ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ରାଜ୍ୟର ପ୍ରାୟ ୫ ଲକ୍ଷ ଯୁବକ ଯୁବତୀ ଆବେଦନ କରିଥିଲେ ।

ପ୍ରଥମେ ପରୀକ୍ଷା ଆୟୋଜନରେ ବିଳମ୍ବକୁ ନେଇ ତେଜିଥିଲା ଅସନ୍ତୋଷ । ଆଉ ଏବେ ଗତ ୨୦ ତାରିଖରୁ ଅନଲାଇନ ମୋଡରେ ରାଜ୍ୟବ୍ୟାପି ଚାଲିଥିବା ପରୀକ୍ଷାକୁ ନେଇ ବିବାଦ । କାରଣ କେଉଁଠି ଘରୋଇ କମ୍ପ୍ୟୁଟର୍ ସେଣ୍ଟରରେ ତ ଆଉ କେଉଁଠି ମାର୍କେଟ କମ୍ପ୍ଲେକ୍ସର ଜନଗହଳି ପୂର୍ଣ୍ଣ ଇଲାକାରେ କରାଯାଉଛି ଗୁରୁତ୍ୱପୂର୍ଣ୍ଣ ସରକାରୀ ନିଯୁକ୍ତି ପରୀକ୍ଷା ।

ବୌଦ୍ଧ ଜିଲ୍ଲା ଦହ୍ୟା ସ୍ଥିତ ଓମ୍ କମ୍ପୁଟର ସେଣ୍ଟର । ଏହି କମ୍ପ୍ୟୁଟର ସେଣ୍ଟରରେ ହେଉଥିଲା RI ଅମିନ ପରୀକ୍ଷା । କିନ୍ତୁ ଆଶ୍ଚର୍ଯ୍ୟର କଥା, ଅସଲ ମାଲିକ ସମ୍ବିତ ବେହେରାଙ୍କ ନାଁରେ ଜାଲ୍ କାଗଜପତ୍ର ତିଆରି କରି ଏଠି ସେଣ୍ଟର ଚଳାଉଥିଲେ ସୁବଳ କଅଁର ନାମକ ଜଣେ ଯୁବକ । ଯାହାଙ୍କୁ ଗତକାଲି ଧରିନେଇଥିଲା ପୋଲିସ ।

OSSSCର ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ଅଭିଯୋଗ ନୂଆ ନୁହେଁ । ଗତ ସେପଟେମ୍ବରରେ ସରକାରୀ ଚାକିରି ବିକ୍ରି ଅଭିଯୋଗ ଆଣି ଗର୍ଜିଥିଲେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭଷ୍ଟକ ଇନସ୍ପେକ୍ଟର ପରୀକ୍ଷାର୍ଥୀ । ଆଉ ଏବେ RI ଅମିନ ପରୀକ୍ଷାରେ ବିଭ୍ରାଟ ସହ ଅନିୟମିତତା ଅଭିଯୋଗ ।

୨୦୨୨ରେ ପେପର୍ ଲିକ୍ ବିବାଦରେ ଛନ୍ଦି ହୋଇଥିବା SIFY ଟେକ୍ନୋଲୋଜିକୁ ୨୦୨୩ରୁ ଏହି ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା ସହ ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ଯାଉଥିବା ଅଭିଯୋଗ ଉଠିଛି । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲେ ।

ଅଥଚ ଏଯାଏଁ ସେଭଳି କୌଣସି ନିଷ୍ପତ୍ତି ନିଆ ଯାଇନଥିବା ବେଳେ ପ୍ରଶ୍ନ ଉଠୁଛି, କ’ଣ ହେବ ଅନଲାଇନରେ ଚାଲିଥିବା ଏହି RI ଅମିନ ପରୀକ୍ଷାର ଭାଗ୍ୟ ? ଖୋଲାମେଲାରେ ଚାଲିଥିବା ଏଭଳି ନିଯୁକ୍ତି ପ୍ରକ୍ରିୟା ପଛର ରହସ୍ୟ କ’ଣ ? ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ଗତ କିଛିଦିନ ହେଲା ବିବାଦ ମୁଣ୍ଡ ଟେକିଥିବାବେଳେ OSSSC କର୍ତ୍ତୃପକ୍ଷ କାହିଁକି ନିଜ ଆଡୁ ମୁହଁ ଖୋଲୁନାହାଁନ୍ତି, ତାହା ସବୁଠୁ ବଡ଼ ପ୍ରଶ୍ନ ।