ପ୍ରାଥମିକ ଯାଞ୍ଚ ଶେଷ; ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି, ଆଇନ ମନ୍ତ୍ରୀ ଦେଲେ ସୂଚନା

ଚାବି ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ଖୁଲାସା ହେବ । ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Ratna Bhandar

ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ ଏଏସଆଇ । ପ୍ରାଥମିକ ଯାଞ୍ଚ ସରିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ମହାପ୍ରଭୁଙ୍କ ରୀତିନୀତିରେ ଯେଭଳି କୌଣସି ଅସୁବିଧା ନହୁଏ ତାକୁ ପ୍ରାଥମିକତା ଦିଆଯାଉଛି ।

ଏସମ୍ପର୍କରେ ସେବାୟତଙ୍କ ସହ ହୋଇଛି ଆଲୋଚନା । ରତ୍ନଭଣ୍ଡାର ମରାମତି କାମ ଖୁବ ଶୀଘ୍ର ଆରମ୍ଭ କରିବ ଏଏସଆଇ । ପ୍ରଥମେ ବାହାର ରତ୍ନଭଣ୍ଡାର ମରାମତି କରାଯିବ । ଭିତର ରତ୍ନଭଣ୍ଡାର ମରାମତି ପାଇଁ ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ଏଥିସହ ଆଇନ ମନ୍ତ୍ରୀ କହିଛନ୍ତି, ଚାବି ହଜିବାର ତଦନ୍ତ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବଶୀଘ୍ର ସରକାର ପଦକ୍ଷେପ ନେବେ ।

ଚାବି ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ଖୁଲାସା ହେବ । ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ତେବେ ଗତ କିଛିଦିନ ତଳେ ରତ୍ନ ଗଣତି ମଣତି ପାଇଁ SOP ପ୍ରସ୍ତୁତ ହୋଇଛି ବୋଲି ସୂଚନା ଦେଇଥିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାର ମରାମତି ପରେ ଗଣତି, ମଣତି ଆରମ୍ଭ ହେବ । ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ ରଥ କହିଥିଲେ ।

ବାହାର ଓ ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ମନ୍ଦିର ମଧ୍ୟରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ରତ୍ନଭଣ୍ଡାର ଖୋଲାଯିବା ପରେ ବି ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଥମୁନି । କାରଣ ଭିତର ଭଣ୍ଡାରରୁ ରତ୍ନ ସ୍ଥାନାନ୍ତରକୁ କିଛି ଦିନ ବିତିଯାଇଥିଲେ ମଧ୍ୟ ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ କେବେ ଲେଜର ସ୍କାନିଂ ଏବଂ GPRS ହେବ, ଏଥିପାଇଁ ନୂଆ SOP କେବେ ଆସିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

କେହି କେହି କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ବି ଏଣ୍ଡୋସ୍କୋପି ଉପରେ ଜୋର ଦେଇଛନ୍ତି । ତେବେ ରତ୍ନଭଣ୍ଡାରର ସ୍ଥାୟୀତ୍ୱ ସହ ଭଣ୍ଡାରରୁ ବାହାରିଥିବା ରତ୍ନ-ଅଳଙ୍କାର ସବୁର ଚିହ୍ନଟ, ଗଣତି-ମଣତି କାମ ବି ଶୀଘ୍ର ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ପ୍ରଥମେ ଲେଜର ସ୍କାନିଂ ଓ ଜିପିଆରଏସ୍ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କାର୍ଯ୍ୟ ସରିଲା ପରେ ଯଦି ବାସ୍ତବରେ ସେଭଳି କିଛି ଗୁପ୍ତ କୋଠରୀର ସନ୍ଧାନ ମିଳେ, ତାହେଲେ ସେ ଭିତରେ କଣ ରତ୍ନ ଅଳଙ୍କାର ଅଛି, ତାର ଯାଞ୍ଚ ସହ ସଂରକ୍ଷଣ ବି ଜରୁରୀ ।

ତେଣୁ ସେଇ ଅନୁସାରେ ପରବର୍ତ୍ତୀ ସମୟରେ ଏଏସ୍ଆଇକୁ ମରାମତି ପାଇଁ ଦିଆଯିବା ଦରକାର ବୋଲି ସେ କହିଛନ୍ତି । ସେହିପରି ଅନ୍ୟତମ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସରକାର ଏନେଇ ଏସଓପି ଆଣି, ଦରକାର ପଡ଼ିଲେ କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ଢାଞ୍ଚାଗତ ଦୁର୍ବଳତା ଓ ଅନ୍ୟ ରହସ୍ୟ ଉନ୍ମୋଚନ ପାଇଁ ଏଣ୍ଡୋସ୍କୋପି ଉପରେ ଜୋର୍ ଦେଇଛନ୍ତି ।

ଅପରପକ୍ଷେ ବିଶେଷଜ୍ଞଙ୍କର ବି ମତ ଲେଜର ସ୍କାନିଂ ଏବଂ ଏଣ୍ଡୋସ୍କୋପି ଜରିଆରେ ବହୁ ପୁରାତନ ମନ୍ଦିର ଏବଂ ମନୁମେଣ୍ଟ ଭିତରେ ଥିବା ଢାଞ୍ଚାଗତ ଦୋଷ ଦୁର୍ବଳତା ଏବଂ ଭିତରର ରହସ୍ୟ ସଂପର୍କରେ ଜାଣିବାରେ କୌଣସି ଅସୁବିଧା ହେବନି ।