ପାଖେଇ ଆସୁଛି ଗଣେଶ ପୂଜା, ନିଖୁଣ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ବଢ଼ୁଛି ମାଟି ମୂର୍ତ୍ତିର ଚାହିଦା । ବିଘ୍ନ ବିନାଶକଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରଦାର ।

Ganesh Puja

ପାଖେଇ ଆସିଲାଣି ଗଣେଶ ପୂଜା । ଏନେଇ ସବୁଠି ଆନନ୍ଦ, ପ୍ରସ୍ତୁତି ଜୋରଦାର । ହାତରେ ଆଉ ଅଳ୍ପ ଦିନ ଥିବାରୁ କାରିଗରଙ୍କୁ ବିଶ୍ରାମ ବି ନାହିଁ । ବିଭିନ୍ନ ଡିଜାଇନର ମୂର୍ତ୍ତି ନେବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ । ବିଘ୍ନ ବିନାଶକଙ୍କୁ ଆବାହନ ପାଇଁ ଭଞ୍ଜନଗର, କଟକ ଓ ରାଉରକେଲାରେ ଜୋରଦାର ପ୍ରସ୍ତୁତି ।

ନିଖୁଣ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ଛୋଟରୁ ବଡ, ଭଳିକି ଭଳି ଆକର୍ଷଣୀୟ ଗଣେଶ ମୂର୍ତ୍ତି । ହାତରେ ଆଉ ମାତ୍ର ଅଳ୍ପ କେଇଦିନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବିଘ୍ନ ବିନାଶକଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରଦାର । ଦିନକୁ ୧୦ରୁ ୧୨ ଘଣ୍ଟା ଧରି ମୂର୍ତ୍ତି ଗଢିବାରେ ବ୍ୟସ୍ତ ସେମାନେ । ତେବେ ମାଟି ମୂର୍ତ୍ତିର ଚାହିଦା ଏବେ ବଢୁଥିବା କହିଛନ୍ତି କାରିଗର । ୫୦ ଟଙ୍କାରୁ ଆରମ୍ଭ କରି ୩୫ ହଜାର ପର୍ଯ୍ୟନ୍ତ ବିକ୍ରି ହେଉଛି ମୂର୍ତ୍ତି । ତେଣେ ଅର୍ଡର ନେବାକୁ ଲୋକଙ୍କ ଭିଡ଼ ବି ବେଶ୍ ଜମୁଛି । 

ତେଣେ ଶ୍ରୀଗଣେଶଙ୍କ ଆବାହନ ପାଇଁ ଚଳଚଞ୍ଚଳ ସିଲଭର ସିଟି କଟକର କୁମ୍ଭାର ସାହି । ସିଦ୍ଧି ବିନାୟକ, ଲାଲବାଗ୍ ଗଣେଶ ଶୈଳୀରେ ଭିନ୍ନ ଭିନ୍ନ ମୂର୍ତ୍ତି ନିର୍ମାଣ କାମ ଚାଲିଛି । ବରାଦ ଅନୁଯାୟୀ ଏକ ଫୁଟରୁ ୧୨ ଫୁଟ୍ ଉଚ୍ଚ ମୂର୍ତ୍ତି କାମରେ ଲାଗିପଡିଛନ୍ତି କାରିଗର। ନଡାବନ୍ଧା, ଏକମାଟିଆ, ଦୋ ମାଟିଆ କାମ ସହ କିଛି କିଛି ଜାଗାରେ ଖଡିଲାଗି ବି ଆରମ୍ଭ ହେଲାଣି । ତେବେ ଶିଳ୍ପୀ କୁମ୍ଭାର ସାହି ମୂର୍ତ୍ତିର ଚାହିଦା ଥିବାରୁ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଅନ୍ୟ ଜିଲ୍ଲାକୁ ମଧ୍ୟ ପଠାଯାଏ । ସେପଟେ ଜିଲ୍ଲାର ବଧିର ସଂଘ ବି ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି। ଚଳିତବର୍ଷ ହନୁମାନଙ୍କ କୋଳରେ ବସିଥିବା କୁନି ଗଣେଶ ଆକୃତି ତିଆରି କରୁଛନ୍ତି ଦିବ୍ୟାଙ୍ଗ କାରିଗର । 

ତେଣେ ମିନି ଇଣ୍ଡିଆ ରାଉରକେଲାରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି । ମୂର୍ତ୍ତି କାମ ପାଖାପାଖି ସରି ଆସିଥିବାବେଳେ ଆଉ କିଛି ସ୍ଥାନରେ ଚାଲିଛି ରଙ୍ଗକାମ। ସହରର ବନ୍ଧମୁଣ୍ଡା ଅଞ୍ଚଳରେ ପ୍ରତିବର୍ଷ ମୂର୍ତ୍ତି କାମ ପାଇଁ ୪ ମାସ ଆଗରୁ ଆସି ଡେରା ପକାନ୍ତି ପଶ୍ଚିମବଙ୍ଗ କାରିଗର । ଚଳିତବର୍ଷ ବି ବିଭିନ୍ନ ସୁନ୍ଦର ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି କାରିଗର ।

ଗଣେଶ ପୂଜାକୁ ନେଇ ପୋଲିସ ପ୍ରଶାସନର ରହିଛି ସ୍ୱତନ୍ତ୍ର ଗାଇଡଲାଇନ । ପ୍ରଭୁ ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି ହେଲେ ଆୟୋଜକ ଓ ମୂର୍ତ୍ତି କାରିଗରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ପୂଜା ବା ଭସାଣିବେଳେ ଡିଜେ ବାଜିବା ଉପରେ ରୋକ୍ ଲଗାଇଛି ପ୍ରଶାସନ ।