ସ୍ମାର୍ଟ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଭିଡ଼ ନିୟନ୍ତ୍ରଣ ପାଇଁ ଲାଗିବ AI 

CCTV ବା ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ । ଟ୍ରାଫିକ୍, ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ବ । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ରହିବ ନଜର ।

Puri Srimandir

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉତ୍ତରଦ୍ୱାର, ପୂର୍ବଦ୍ୱାର, ଦକ୍ଷିଣଦ୍ୱାର ଓ ପଶ୍ଚିମଦ୍ୱାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟ କରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ । କିନ୍ତୁ କେବେ ଏହା ସିଷ୍ଟମାଇଜ ହେବ ? କେବେ ଶ୍ରୀମନ୍ଦିର ଭିତରେ ଓ ବାହାରେ AI କ୍ୟାମେରା ଲଗାଯିବ ? ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯଦି ବା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ, ଚୋରି ରୋକିବା କ୍ଷେତ୍ରରେ ଏହି CCTV ଅଭେଦ୍ୟ ରିପୋର୍ଟ ପ୍ରଦାନ କରିବ ।

ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ ସିସିଟିଭି କ୍ୟାମେରା। ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସିସିଟିଭି ବଳୟ ଭିତରେ ରଖାଯାଉ ବୋଲି ଦାବି ଜୋର୍ ଧରିଛି । ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ । ଶ୍ରୀମନ୍ଦିର ଚାରି ଦ୍ୱାର ସହିତ ଥିବା ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ । ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ହୋଇପାରିବ ।

ସେହିପରି ମୋବାଇଲ୍ ଫୋନ୍ ଚିହ୍ନଟ କରିପାରୁଥିବା AI ଜ୍ଞାନକୌଶଳ ଯୁକ୍ତ କ୍ୟାମେରା ମଧ୍ୟ ଶ୍ରୀମନ୍ଦିରରେ ଲଗାଯାଇପାରିବ, ସେଥିପ୍ରତି ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ବୋଲି କହିଛନ୍ତି ସେବାୟତ । ସେପଟେ ସିସିଟିଭି ଲଗାଯିବା ଆରମ୍ଭ ହୋଇଗଲାଣି । ପରବର୍ତ୍ତୀ ସମୟରେ ଏ AI କ୍ୟାମେରା ଲଗାଯିବ । ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ କଣ୍ଟ୍ରୋଲ ରୁମ କରାଯିବ । ଫଳରେ ସମସ୍ତ ସିସିଟିଭିକୁ ଅନୁଧ୍ୟାନ କରାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।