Advertisment

କିଏ ଠିକ୍, ମେଜରଙ୍କ ବାନ୍ଧବୀ ନା ଭୁବନେଶ୍ବର ଡିସିପି ? କାଠଗଡ଼ାରେ କମିଶନରେଟ୍ ପୋଲିସ...

ଭରତପୁର ଥାନା କଳଙ୍କିତ ଘଟଣାରେ ପୀଡ଼ିତାଙ୍କ ସଂଗୀନ ଆରୋପ । ଏଣେ ଖାପଖାଉନି ଭୁବନେଶ୍ବର ଡିସିପିଙ୍କ ପୁରୁଣା ବୟାନ । ସାମ୍ନାକୁ ଆସିଲା ଭରତପୁର ଥାନାର ଆଉ ଏକ ମିଛ ପ୍ରମାଣ ।

undefined

Army Major

Advertisment

କିଏ ସତ, କିଏ ମିଛ ? ଆହତ ମେଜରଙ୍କ ବାନ୍ଧବୀ ନା ଭୁବନେଶ୍ବର ଡିସିପି ? ଭରତପୁର ଥାନାର କଳଙ୍କିତ ଅଧ୍ୟାୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗୋଟିଏ ପଟେ ନିଜେ ପୀଡ଼ିତା ପୋଲିସ ନାଁରେ ସଂଗୀନ ଅଭିଯୋଗ ଆଣୁଥିବାବେଳେ ଡିସିପି କିନ୍ତୁ ଲଗାଇଛନ୍ତି ଓଲଟା ଆରୋପ । ତେଣେ ରାଜଧାନୀର ଏକ ଆଦର୍ଶ ଥାନାରେ ସିସିଟିଭି ନଥିବାବେଳେ ଭାଇରାଲ୍ ହେଉଥିବା ଘଟଣା ଦିନର ଭାଇରାଲ୍ ଭିଡିଓ କିନ୍ତୁ ବୟାନ କରୁଛି, ପୋଲିସର ମନଗଢ଼ା କାହାଣୀ। ୟା ଭିତରେ ଆଜି ସାମ୍ନାକୁ ଆସିଛି କମିଶନରେଟ୍ ପୋଲିସର ଆଉ ଏକ ମିଛ ପ୍ରମାଣ। 

Advertisment

ଡିସିପି କାହିଁକି ମୁହଁ ଖୋଲୁନଥିଲେ ?  ସିପି କଣ ପାଇଁ ଚୁପ୍ ବସିଥିଲେ ?  ଡିଜିପିଙ୍କ ଯାଏଁ କଥା ଗଲା କାହିଁକି ? ରାଜ୍ୟରୁ ଦେଶ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଭୁବନେଶ୍ବର ଭରତପୁର ଥାନାର କଳଙ୍କିତ କାହାଣୀକୁ ନେଇ ଏମିତି ମାଳ ମାଳ ପ୍ରଶ୍ନ। ତେବେ ଗତକାଲି ଗଣମାଧ୍ୟମ ଆଗରେ ପୀଡ଼ିତାଙ୍କ ସଂଗୀନ ଅଭିଯୋଗ ପରେ ଯେମିତି ପୁରା କାଠଗଡ଼ାକୁ ଆସି ଯାଇଛି କମିଶନରେଟ୍ ପୋଲିସ୍। 

ଏଣେ ଥାନା ଭିତରେ ଘଟଣା ଦିନ ରାତିର ଚିତ୍ରକୁ ନେଇ କିଏ ସତ କହୁଛି- ଭୁବନେଶ୍ବର ଡିସିପି ନା ମେଜରଙ୍କ ବାନ୍ଧବୀ ? ତାକୁ ନେଇ ବି ବିରାଟ ଦ୍ବନ୍ଦ୍ବ। ଥାନା ଭିତରେ ତାଙ୍କ ସହ ବର୍ବୋରଚିତ୍ର ଆଚରଣ ପ୍ରଦର୍ଶନ ହୋଇଥିବା ନେଇ ନିଜେ ପୀଡ଼ିତା କାନ୍ଦି କାନ୍ଦି କହିଥିବାବେଳେ, ଡିସିପି କିନ୍ତୁ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଓଲଟା ଆରୋପ ଲଗାଇଥିଲେ। ପୀଡ଼ିତା ଅଭିଯୋଗ କହିଛନ୍ତି- ତାଙ୍କୁ ଥାନା ଭିତରେ ସେଦିନ ଏକାଧିକ ପୁରୁଷ ଓ ମହିଳା ପୋଲିସ ବିବସ୍ତ୍ର କରି ପିଟିବା ସହ ଆଇଆଇସି ଦୁଷ୍କର୍ମ ଧମକ ଦେଇଥିଲେ। ହେଲେ ଡିସିପି କିନ୍ତୁ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୋଷାରୋପ କରି ଉଭୟେ ଥାନାରେ ହଙ୍ଗାମା ଓ ଦୁର୍ବ୍ୟବହାର କରିବାରୁ ତାଙ୍କୁ ଗିରଫ କରାଯାଇଥିବା କହିଥିଲେ।

Advertisment

କିଏ ସତ ? ପୀଡ଼ିତା ନା ଡିସିପି ? ଏ ଦ୍ବନ୍ଦ୍ବ ଭିତରେ ପୂର୍ବରୁ ଗଣମାଧ୍ୟମକୁ ଆସିଥିବା ପୀଡ଼ିତାଙ୍କ ରକ୍ତ ଛିଟା ଲଗା ପୋଷାକ ଫଟୋ ପରେ ଆଜି ସାମ୍ନାକୁ ଆସିଛି ତାଙ୍କ ଭଙ୍ଗା ହାତ ଏକ୍ସରେ ସହ ଓଠରେ ଆଘାତର ଫଟୋ। ଯାହାକୁ ନେଇ ପୁଣି ପ୍ରଶ୍ନ- ତାହାଲେ କଣ କମିଶନରେଟ୍ ପୋଲିସ୍ ମାମଲାକୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛି ? କଣ ଲୁଚାଇବାକୁ ଚାହୁଁଛି ? ଏସବୁର ଉତ୍ତର ଖୋଜା ଭିତରେ ଆଜି ସାମ୍ନାକୁ ଆସିଛି ଭରତପୁର ପୋଲିସର ଆଉ ଏକ ମିଛ ଅଭିଯୋଗ। 

ଗତ ୧୫ ତାରିଖରେ ଡିସିପି ଜାରି କରିଥିଲେ ପ୍ରେସ ରିଲିଜ୍- ଯେଉଁଥିରେ ଦର୍ଶାଯାଇଛି- ଜଣେ ଯୁବତୀ ନିଜ ପୁରୁଷ ସହଯୋଗୀଙ୍କ ସହ ଭରତପୁର ଥାନାକୁ ଆସି ଥାନାରେ ଉପସ୍ଥିତ ମହିଳା ଅଫିସରଙ୍କ ସହ ଦୁର୍ବ୍ୟବହାର କରି ଖରାପ ଭାଷାରେ ଗଳିଗୁଲଜ ସହ ଆକ୍ରମଣ କରିଥିଲେ। ଜଣେ ମହିଳା ଅଫିସର ତାଙ୍କୁ ବାରଣ କରିବାରୁ ସେ ଉତକ୍ଷିପ୍ତ ହୋଇ ଓ ଥାନାର କମ୍ପ୍ୟୁଟର ଆଦିକୁ ଭଙ୍ଗାରୁଜା କରିଥିଲେ। ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ମେଜର ଓ ତାଙ୍କ ବାନ୍ଧବୀ କି ଅଭିଯୋଗ ନେଇ ଥାନାକୁ ଆସିଥିଲେ, ସେ ସମ୍ପର୍କରେ ପ୍ରେସ୍ ରିଲିଜରେ ରାମ ବିଷ୍ଣୁ ଲେଖା ନାହିଁ। ତେବେ ଆଜି ସାମ୍ନାକୁ ଆସିଥିବା ଭିଡିଓରେ ଶୃଙ୍ଖଳିତ ଭାବେ ଥାନାରେ ମେଜର ଓ ତାଙ୍କ ବାନ୍ଧବୀ ଲିଖିତି ଅଭିଯୋଗ କରୁଥିବାବେଳେ ସେ ଭିଡିଓ କରନ୍ତୁ ବୋଲି କେହି ଜଣେ ପୋଲିସ କର୍ମଚାରୀ କହୁଛନ୍ତି ।

Advertisment

ତେଣୁ ସଭିଙ୍କ ମୁହଁରେ ସେଇ ଗୋଟିଏ କଥା- ଭରତପୁର ଥାନା ଭିତରେ କଣ ଘଟିଥିଲା ୧୫ ତାରିଖ ବିଳମ୍ବିତ ରାତିରେ ? ତାହା ଚୁଟକିରେ ସ୍ପଷ୍ଟ ହୋଇ ଯାଇଥାନ୍ତା ଯଦି ଥାନାରେ ସିସିଟିଭି ଲାଗିଥାନ୍ତା। ଯେହେତୁ ଗତ ମାର୍ଚ୍ଚ ୧୧ ତାରିଖରେ ଏ ଆଦର୍ଶ ଥାନା ଉଦଘାଟନ ଦିନ ନିଜେ ପୋଲିସ୍ କମିଶନର ଏଠି ସିସିଟିଭି ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଥିବା ଜୋର ଦେଇ କହିଥିଲେ, କିନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀ ଘଟଣାବେଳର ଫୁଟେଜ୍ ଖୋଜିଲା ବେଳକୁ ମିଳିଲାନି, ତେଣୁ ବଡ଼ ପ୍ରଶ୍ନ ସତରେ କଣ ଥାନାରେ ସିସିଟିଭି ନଥିଲା ? ନା ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ନିଲମ୍ବିତ ଥାନା ଅଧିକାରୀ ତାକୁ ଗାଏବ କରି ଦେଇଛନ୍ତି ? 

ଭରତପୁର ଥାନାର କଳା କାହାଣୀକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଚର୍ଚ୍ଚାରେ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର। ଗତବର୍ଷ ସେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବାବେଳେ ବାଲିଯାତ୍ରା ସାଇକେଲ ଷ୍ଟାଣ୍ଡଧାରୀଙ୍କଠୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଛନ୍ଦି ହୋଇଥିଲେ। ହେଲେ ପୂର୍ବ ସରକାର ତାଙ୍କୁ କେବଳ ବଦଳି କରି, କାହା ସୁପାରିସ୍ ରେ ଭରତପୁର ଥାନାଧିକାରୀ ଭାବେ ନିଯୁକ୍ତି ଦେଲେ, ତାକୁ ନେଇ ଚାଲିଛି ଆଲୋଚନା।

Police Bhubaneswar DCP Army Major DCP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ