ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଥିବା ନେଇ ବିଜେଡିର ଆରୋପ ପରେ କଡ଼ା କାଉଣ୍ଟର କରିଛନ୍ତି ରାଜ୍ୟ ସରକାର । ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ ସ୍ପଷ୍ଟ କରିଛନ୍ତି, ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ କୁଆଡ଼େ ଯାଉନି । ବରଂ କେନ୍ଦ୍ରାପଡ଼ାରେ ଏହାର ପ୍ରସ୍ତାବିତ ପ୍ଳାଣ୍ଟ ସ୍ଥାପନ ଦିଗରେ ପ୍ରକ୍ରିୟା ଜାରି ରହିଛି । ପୂର୍ବ ବିଜେଡି ସରକାରକୁ ଆଟାକ୍ କରି ମନ୍ତ୍ରୀ କହିଛନ୍ତି, ସେମାନଙ୍କ ସମୟରେ ଓଡ଼ିଶାରୁ ମୁହଁ ଫେରାଇଥିବା କମ୍ପାନି ଏବେ ରାଜ୍ୟକୁ ଫେରୁଛନ୍ତି ।
ନିବେଶକ ଓଡ଼ିଶା ଛାଡ଼ିବା ଗୁଜବକୁ ନେଇ ବିଜେଡିର ଆରୋପ, ଆଉ ବିଜେପିର କଡ଼ା କାଉଣ୍ଟର । କିଛିଦିନ ତଳେ JSW-EV, ଆଉ ଏବେ ଆର୍ସେଲର ମିତ୍ତଲ- ନିପନ୍ ଷ୍ଟିଲ ବା AMNSକୁ ନେଇ । କେନ୍ଦ୍ରାପଡ଼ା ମହାକାଳପଡ଼ାରେ AMNSର ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ଆନ୍ଧ୍ରପ୍ରଦେଶକୁ ଚାଲିଯାଇଛି ବୋଲି ବିଜେଡି ନେତା ପ୍ରତାପ ଜେନା ଅଭିଯୋଗ ଆଣିବା ପରେ ତେଜିଛି ରାଜନୀତି ।
ପ୍ରତାପଙ୍କ ଅଭିଯୋଗ, ରାଜ୍ୟର ନିକମା ବିଜେପି ସରକାର ପାଇଁ ଆନ୍ଧ୍ରକୁ ଚାଲିଯାଉଛି ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ । ନବୀନଙ୍କ ସମୟରେ ନିବେଶକ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଉଥିଲେ । କିନ୍ତୁ ବର୍ତ୍ତମାନର ସରକାର ଉପରେ ନିବେଶକ ଭରସା କରିପାରୁନାହାନ୍ତି । ଯାହାର କଡ଼ା କାଉଣ୍ଟର କରିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, ବିଜେଡି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି ।
Also Read
ଆର୍ସେଲର ମିତ୍ତଲ- ନିପନ୍ ଷ୍ଟିଲ କୁଆଡ଼େ ଯାଉନି । ବରଂ ଏବେ ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ କମ୍ପାନିର ୨୦୦ କର୍ମଚାରୀ କାମ କରୁଛନ୍ତି । ଏମିତିକି ସଂପୃକ୍ତ ଅଞ୍ଚଳର ୬୦ ଡିପ୍ଲୋମାଧାରୀଙ୍କୁ ପ୍ଲାଣ୍ଟରେ ନିଯୁକ୍ତି ଦେବାକୁ ତାଲିମ ଦେଉଛି । ଶିଳ୍ପମନ୍ତ୍ରୀ ଏହା ବି କହିଛନ୍ତି, ବିଜେଡି ଶାସନ ବେଳେ ରାଜ୍ୟରୁ ମୁହଁ ଫେରାଇ ନେଇଥିବା କମ୍ପାନି ଏବେ ଓଡ଼ିଶା ମୁହାଁ ହେଉଛନ୍ତି ।
ସେପଟେ ବିବାଦ ତେଜିବା ପରେ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି, କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପରୁ କଂପାନୀ ଓହରିନି । ପ୍ରକଳ୍ପ କାମ ଆରମ୍ଭ ପାଇଁ ଆବଶ୍ୟକ ସରକାରୀ ଅନୁମୋଦନ ପ୍ରକ୍ରିୟାରେ ରହିଛି । କେବଳ କେନ୍ଦ୍ରାପଡ଼ା ନୁହେଁ, ପାରାଦୀପରେ ବି AMNSର ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ କାମ ଆଗେଇ ଚାଲିଛି ।
୧ ଲକ୍ଷ ୪୫ ହଜାର କୋଟି ଟଙ୍କା ନିବେଶରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ୨୦୨୧ ମାର୍ଚ୍ଚରେ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ କରିଥିଲା AMNS । ଏଥିପାଇଁ ୨୦୨୩ ଡିସେମ୍ବରରେ ଗ୍ରାମ ସଭା ବସିଥିଲା । ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ମହାକାଳପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ସମୟରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଏମିତିକି ମାର୍ଶାଘାଇଠାରୁ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ରାସ୍ତା ପ୍ରଶସ୍ତୀକରଣ ମଧ୍ୟ ଚାଲିଛି ।