ଭୁବନେଶ୍ୱର ଏମ୍ସରେ ଦୁଇ ଘଣ୍ଟା ହାର୍ଟବିଟ୍ ବନ୍ଦ ଥିବା ଜଣେ ସୈନିକଙ୍କୁ ନିକଟରେ ନୂଆ ଜୀବନ ଦେଇଛି- ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରାନ୍ସ ଅକ୍ସିଜିନେସନ୍ ବା ଏକମୋ ମେସିନ୍। ଏକମୋର ଏଭଳି ଚମତ୍କାରିତାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା। ତେବେ କୋଭିଡ୍ ସମୟରେ ରାଜ୍ୟକୁ ପ୍ରଥମ ଥର ପାଇଁ ଆସିଥିବା ୯ ଏକମୋ ମେସିନ୍ ଏବେ କରୁଛି କ’ଣ ? ଏହା ସହାୟତାରେ କିଭଳି ଚାଲିଛି ଚିକିତ୍ସା ସେବା? କେତେ ରୋଗୀଙ୍କୁ ନୂଆ ଜୀବନ ଦେଲାଣି ଏ ଲାଇଫ୍ ସେଭିଙ୍ଗ୍ ମେସିନ୍ ?
Also Read
କିଛି ଦିନ ତଳେ ଆମେ କହିଥିଲୁ, ଭୁବନେଶ୍ୱର ଏମ୍ସରେ ଏକମୋର ଚମତ୍କାରିତା । ଏକମୋ ସହ ସିପିଆର୍ ଯୋଗୁଁ ୨ ଘଣ୍ଟା ହୃତ୍ସ୍ପନ୍ଦନ ବନ୍ଦ ସତ୍ତ୍ୱେ ନୂଆ ଜୀବନ ପାଇଥିଲେ ଜଣେ ୨୪ ବର୍ଷୀୟ ସୈନିକ। ଏବେ ସେହି ଏମ୍ସରେ ଏକମୋ ସହାୟତାରେ ବଞ୍ଚିବାର ରାହା ଖୋଜୁଛି ଫୁସଫୁସ୍ ସମସ୍ୟାରେ ପୀଡ଼ିତ ଜଣେ ୩ ବର୍ଷ ବୟସର ଶିଶୁ।
ଏମ୍ସ ଏକମୋ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ କହିବା କଥା, କୋଭିଡ୍ ସମୟରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବାକୁ ଭୁବନେଶ୍ୱର ଏମ୍ସକୁ ଆସିଥିଲା ଦୁଇଟି ଏକମୋ ମେସିନ୍। କୋଭିଡ୍ ଯିବା ପରେ ମଧ୍ୟ ଯେଉଁଠି ଆବଶ୍ୟକ ହେଉଛି, ଗୁରୁତର ହୃଦରୋଗ ଓ ଫୁସଫୁସ ରୋଗୀଙ୍କୁ ଏକମୋ ଜରିଆରେ ଚିକିତ୍ସା କରାଯାଉଛି। ଗୋଟିଏ ମେସିନ୍କୁ ଓଟି ପରବର୍ତ୍ତୀ ଚିକିତ୍ସା ସେବା ପାଇଁ ରିଜର୍ଭ ରଖାଯାଇଥିବା ବେଳେ ଅନ୍ୟଟିକୁ ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି।
ଏକମୋ ପାଇଁ ଏମ୍ସରେ ଡେଡିକେଟେଡ୍ ୟୁନିଟ୍ ନଥିବା ସତ୍ତ୍ବେ ଗତ ବର୍ଷକ ମଧ୍ୟରେ ୧୦ ଜଣ ରୋଗୀଙ୍କୁ ଏହା ଜରିଆରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଜୀବନ ବି ବଞ୍ଚାଯାଇପାରିଛି। ଡେଡିକେଟେଡ୍ ୟୁନିଟ୍ ହୋଇପାରିଲେ ଆଗାମୀ ଦିନରେ ରୋଗୀଙ୍କୁ ଆହୁରି ଉତ୍ତମ ଚିକିତ୍ସା ଦିଆଯାଇପାରିବ।
ସେହି କୋଭିଡ୍ ସମୟରେ, ୨୦୨୧ ଅଗଷ୍ଟରେ ରାଜ୍ୟ ସରକାର କଟକ SCBରେ ଆରମ୍ଭ କରିଥିଲେ ଏକମୋ ସେବା। ପ୍ରଥମେ ୬ଟି ଓ ପରେ ଆଉ ୩ଟି, ଏମିତି ମୋଟ ୯ଟି ଏକମୋ ମେସିନ୍ ଯୋଗାଇ ଦିଆଯାଇଥିଲା। ଏକମୋ ପରିଚାଳନା ପାଇଁ ପ୍ରଶିକ୍ଷିତ ଡାକ୍ତର, ପର୍ଫ୍ୟୁଜନିଷ୍ଟ, ନର୍ସ, ଟେକ୍ନିସିଆନଙ୍କୁ ମିଶାଇ ଏକ ୨୨ ଜଣିଆ ଟିମ୍ ବି ଗଠନ ହୋଇଥିଲା। ହେଲେ କୋଭିଡ୍ ଯିବା ପରେ ଏବେ ଏହି ୟୁନିଟର କର୍ମଚାରୀ ସଂଖ୍ୟା ୧୧କୁ ଖସିଆସିଛି। ଏମିତିକି SCB ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଏକମୋ ଆସିବା ପରଠୁ ବର୍ତ୍ତମାନ ସୁଦ୍ଧା ୨୩ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ମାତ୍ର ୪ ଜଣଙ୍କୁ ବଞ୍ଚାଯାଇପାରିଛି।
ଏସ୍ସିବି ଏକମୋ ନୋଡାଲ୍ ଅଫିସରଙ୍କ କହିବା କଥା, ଆବଶ୍ୟକ ସ୍ଥଳେ ଏକମୋ ବ୍ୟବହାର କରାଯାଉଛି। ଡାକ୍ତରମାନେ ଅଧିକ ସଚେତନ ହେଲେ ଓ ସମନ୍ୱୟ ରହିଲେ, ରୋଗୀ ଏହାର ଅଧିକ ଲାଭ ପାଇପାରିବେ।
ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, ଦୁଇଟି ଏକମୋ ମେସିନ୍ ସହାୟତାରେ ଏମ୍ସ ଭୁବନେଶ୍ୱର ବର୍ଷକରେ ୮ ଜଣଙ୍କ ଜୀବନ ବଞ୍ଚାଇ ପାରିଥିବା ବେଳେ ୯ଟି ଏକମୋ ମେସିନ୍ ଥିବା ଏସ୍ସିବିରେ କାହିଁକି ହୋଇପାରୁନି ଏହାର ସଦୁପଯୋଗ ?