ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍

ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

AI Treatment

ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଥିପାଇଁ ଭୁବନେଶ୍ୱରରେ ଏକ ବାୟୋ ଏଆଇ ହବ୍ ସ୍ଥାପନ ପାଇଁ ଯୋଜନା ରଖିଛି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ । ତେବେ କିଭଳି କାମ କରିବ ଏ ପ୍ରସ୍ତାବିତ ବାୟୋ ଏଆଇ ହବ୍? ରୋଗୀଙ୍କ ପାଇଁ କେତେ ଫାଇଦା ଦେବ ?

ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI । ଡାକ୍ତରଙ୍କୁ ଦେବ ସଠିକ୍ ଉପଚାର ପରାମର୍ଶ । ଏମିତି ଏକ ପ୍ରକଳ୍ପ ଦିଗରେ ଆଗଉଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ- ILS । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ କରିବ ବାୟୋ ଏଆଇ ହବ୍ । ପ୍ରସ୍ତାବିତ ବାୟୋ ଏଆଇ ହବ୍ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନସ୍ଥ ବାୟୋ ଟେକ୍ନୋଲଜି ବିଭାଗ ଏବଂ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗକୁ ପ୍ରସ୍ତାବ ଦେଇଛି ILS ।

ବାୟୋ ଏଆଇ ହବ୍ ପାଇଁ ଆବଶ୍ୟକ ରୋଗୀଙ୍କ ତଥ୍ୟ ଓ ଡାକ୍ତରଙ୍କ ପ୍ରେସକ୍ରିପସନ ଯୋଗାଇ ଦେବାକୁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ILS । ଚନ୍ଦ୍ରଶେଖରପୁରସ୍ଥିତ ନିଳାଦ୍ରୀ ବିହାରରେ ପ୍ରସ୍ତାବିତ ବାୟୋ ଏଆଇ ହବ୍ ରେ ପ୍ରାରମ୍ଭିକ ଭାବେ କର୍କଟ ରୋଗୀଙ୍କ ପାଇଁ ସଠିକ୍ ଉପଚାର ମଡେଲ ପ୍ରସ୍ତୁତ କରିବ ।

ତେବେ AI କିଭଳି ରୋଗର ଚିକିତ୍ସା ପଦ୍ଧତି ବତାଇବ? ILSର ପ୍ରସ୍ତାବିତ ବାୟୋ ଏଆଇ ହବ୍ ଏଥିରେ କି ସହାୟତା କରିବ ? ILS ନିର୍ଦ୍ଦେଶକ କହିଛନ୍ତି, ବାୟୋ ଏଆଇ ହବ୍‌କୁ ଆସିବାକୁ ଥିବା ସମସ୍ତ ରୋଗୀ ତଥ୍ୟକୁ ଏଆଇ ବିଶ୍ଳେଷଣ କରିବ । ଏଆଇ ଦ୍ୱାରା ବିଶ୍ଳେଷଣ ହୋଇଥିବା ରିପୋର୍ଟ ଆଧାରରେ କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ସଠିକ୍, ତାହାର ମଡେଲ ଡାଟା ଇଞ୍ଜିନିୟର ବନାଇବାପରେ ଆକ୍ୟୁରେସି ଲେଭଲ ନିର୍ଦ୍ଧାରଣ ହେବ ।

ଏହାପରେ ରୋଗୀଙ୍କ ପାଇଁ ବ୍ୟବହାର ପୂର୍ବରୁ ମଡେଲକୁ ମୂଲ୍ୟାଙ୍କନ କରିବେ ବିଶେଷଜ୍ଞ ଡାକ୍ତର । ଏବେ ସମସ୍ତଙ୍କ ଅପେକ୍ଷା, ILS ଦ୍ୱାରା ପ୍ରସ୍ତାବିତ ବାୟୋ ଏଆଇ ହବ୍ କେତେ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ଓ ଚିକିତ୍ସା ସେବାରେ ଆଣିବ ଯୁଗାନ୍ତକାରୀ ପରିବର୍ତ୍ତନ ।