Advertisment

ଭାତଥାଳି ଉପରେ ମହଙ୍ଗା ମାଡ଼, ଛାନିଆ ଗ୍ରାହକ: ଡାଲି, ତେଲ ପରେ ବଢିଲା ପରିବା ଦର...

ଡାଲି, ତେଲ ଦର ବଢ଼ିବା ପରେ ପରିବା ଦର ବି ବଢ଼ିଛି । ଟ୍ବିନ୍ ସିଟିରେ ଆଜି ପରିବା ଦର ବଢ଼ିବା ପରେ ଏବେ ଛାନିଆ ଗ୍ରାହକ।

ଅଦ୍ୟତନ ହୋଇଛି
vegetable prices Hike In Odisha

vegetable prices

Advertisment

ଖାଇବା ଥାଳି ଉପରେ ଜୋରଦାର ମହଙ୍ଗାମାଡ଼ । ଡାଲି, ତେଲ ଦର ବଢ଼ିବା ପରେ ପରିବା ଦର ବି ବଢ଼ିଛି । ଟ୍ବିନ୍ ସିଟିରେ ଆଜି ପରିବା ଦର ବଢ଼ିବା ପରେ ଏବେ ଛାନିଆ ଗ୍ରାହକ। କାରଣ ଗତ ଦୁଇ ଦିନ ତଳେ ଯେଉଁ ପରିବା ୩୦, ୪୦ ଟଙ୍କାରେ ମିଳୁଥିଲା ତାହା ଏବେ ୧୦ରୁ ୨୦ ଟଙ୍କା ଅଧିକରେ ବିକ୍ରି ହେଉଛି। କଟକ ଛତ୍ରବଜାରରେ ବାଇଗଣ ୫୦ ଟଙ୍କା, କଲରା ୮୦ ଟଙ୍କା, ପୋଟଳ ୫୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପିଆଜ ଦର ବଢ଼ି ୪୦ ଟଙ୍କାରେ ପହଞ୍ଚିଛି । 

Advertisment

ତେବେ ଚାଉଳ, ଡାଲି ଓ ତେଲଠୁ ଆରମ୍ଭ କରି ଅଟା, ମଇଦା ଓ ସୁଜି ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଗତ କିଛି ଦିନ ଭିତରେ ଆଶାତୀତ ବୃଦ୍ଧି ପାଇବା ପରେ, ଚିନ୍ତାରେ ଖାଉଟି। ତେବେ ଏହି ଦରବୃଦ୍ଧି ପାଇଁ ଉତ୍ପାଦନ ହ୍ରାସ ଓ କର୍ପୋରେଟ୍ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣକୁ ଦାୟୀ କରିଛି ବ୍ୟବସାୟୀ ସଂଘ।

ଏପଟେ କଲବଲ କରୁଛି ନିତିଦିନିଆ ଖାଦ୍ୟ ସାମଗ୍ରୀର ଉଚ୍ଚା ଦର । ୧୫ ଦିନରେ ଚାଉଳ କ୍ବିଣ୍ଟାଲ ୪ ଶହ ଟଙ୍କା ମହଙ୍ଗା ହେଲାଣି। ପୂର୍ବରୁ ଯେଉଁ ଚାଉଳ କେଜି ପିଛା ୩୧ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୩୫। ସୋରିଷ ତେଲ ବି ଲିଟର ପିଛା ୧୨ ରୁ ୧୫ ଟଙ୍କା ବଢ଼ି, ୧୩୫ ଛୁଇଁଲାଣି।

Advertisment

ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି । ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି। ରୋଷେଇ ଘର ସାମଗ୍ରୀର ଏମିତି ଦରବୃଦ୍ଧି ଦେଖି, ଗୃହିଣୀଠୁ ଆରମ୍ଭ କରି ସାଧାରଣ ଖାଉଟି ଏବଂ ଚାଳିଆ ହୋଟେଲ ମାଲିକ ବି ତ୍ରାହି ତ୍ରାହି ଡାକିଲେଣି।

ଭାତଥାଳି ଉପରେ ମହଙ୍ଗା ମାଡ଼ର କାରଣ କଣ ? 

ଖାଦ୍ୟ ସାମଗ୍ରୀର ବଜାର ଦରବୃଦ୍ଧି ପାଇଁ ଉତ୍ପାଦନ ହ୍ରାସ ଓ କର୍ପୋରେଟ୍ ସଂସ୍ଥାଙ୍କ ମନୋମୁଖୀ ଦର ନିୟନ୍ତ୍ରଣକୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ। ସଂଘ କହିଛି, କେବଳ ମୋଟା ଚାଉଳ ବ୍ୟତୀତ ଓଡ଼ିଶା ସରୁ ଚାଉଳ, ଗହମଜାତ ଉତ୍ପାଦ, ଡାଲି ଓ ତେଲ ଆଦି ପାଇଁ ଅନ୍ୟ ରାଜ୍ୟ ଓ ବିଦେଶ ଉପରେ ନିର୍ଭରଶୀଳ। ଅପରପକ୍ଷରେ ଖୁଚୁରା ବ୍ୟବସାୟରେ ପାଦ ଥାପିଥିବା କିଛି ବଡ଼ କର୍ପୋରେଟ୍ ହାଉସ, ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ହୋର୍ଡିଂ କରି ଦରବୃଦ୍ଧି କରାଉଛନ୍ତି। ତେଣୁ ସରକାର ଦେଶରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧି ସହ ଦରବୃଦ୍ଧି ପଛର ବାସ୍ତବ କାରଣ ଖୋଜି ତାହାର ନିରାକରଣ ପାଇଁ ପଦକ୍ଷେପ ନିଅନ୍ତୁ। ନଚେତ ଆଗକୁ ଦରବୃଦ୍ଧି ସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ।

Advertisment
Vegetable Vegetable Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ