ଆଗରୁ ଗଞ୍ଜେଇ କରୁଥିଲେ ଏବେ କାଙ୍କଡ଼ ଚାଷ, ମାଲେମାଲ ଚାଷୀ..

ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରା ଏ ଅଞ୍ଚଳରେ ଆଗରୁ ମାଓବାଦୀଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଲୋକେ ଗଞ୍ଜେଇ ଚାଷ କରୁଥିଲେ।

Vegetable Farming

ଆଗରୁ ମାଓ ଅଧ୍ୟୁଷିତ ପାହାଡ଼ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ପ୍ରୋତ୍ସାହନରେ ସେମାନେ କରୁଥିଲେ ବେଆଇନ୍ ଗଞ୍ଜେଇ ଚାଷ। ଏବେ ପରିସ୍ଥିତି ବଦଳିବା ସହ ବଦଳିଛି ପରିବେଶ। ଗଞ୍ଜେଇ ଚାଷ ବଦଳରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରୋତ୍ସାହନରେ ସେମାନେ ନିଜ ଜମିରେ ଫଳାଉଛନ୍ତି ଅର୍ଥକରୀ ଦେଶୀ କାଙ୍କଡ଼। ଫଳରେ ସେମାନଙ୍କ ଆର୍ଥିକ ଦୁରବସ୍ଥା ଦୂର ହେବା ଜୀବନ ଧାରଣ ମାନରେ ବି ଉନ୍ନତି ଆସିଛି।

ବେଆଇନ୍ ଗଞ୍ଜେଇ ଚାଷକୁ ବାୟ ବାୟ। ଅର୍ଥକାରୀ କାଙ୍କଡ଼ ଚାଷକୁ ଆଦର। ପରିବେଶ ଓ ପରିସ୍ଥିତି ସହିତ ବଦଳି ଯାଇଛି ଆଦିବାସୀ ମୂଲକ ଚାଷୀଙ୍କ ରୂଚି ଓ ଅଭ୍ୟାସ। ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳ ଥିବା ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ କୁସୁମଗୁଡ଼ି ଗାଁର ବହୁ ଚାଷୀଙ୍କ କ୍ଷେତ ଏବେ ଏମିତି ହରାଭରା। ଏକର ଏକର ଜମିରେ ଫଳୁଛି ଦେଶୀ କାଙ୍କଡ଼ ଭଳି ଅର୍ଥକାରୀ ପରିବା। ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୧୫ରୁ ଅଧିକ ଚାଷୀ ଏବେ ଏହି ଦେଶୀ କାଙ୍କଡ଼ ଚାଷକୁ ଆଦରି ନେବା ସହ ଭଲ ଅମଳ ସାଙ୍ଗକୁ ଆୟ ବି କରୁଛନ୍ତି। ଚାଷ ପାଇଁ ଅନୁକୂଳ ପରିବେଶ ଓ ସ୍ୱେଚ୍ଛାସେବୀ ସଗଂଠନର ସହାୟତା ଚନ୍ଦ୍ରପୁର ଅଞ୍ଚଳର ଏ ଆଦିବାସୀ ଚାଷୀଙ୍କୁ ବେଶ୍ ସ୍ୱାବଲମ୍ବୀ କରିପାରିଛି।

କୁହାଯାଏ, ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରା ଏ ଅଞ୍ଚଳରେ ଆଗରୁ ମାଓବାଦୀଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଲୋକେ ଗଞ୍ଜେଇ ଚାଷ କରୁଥିଲେ। କିନ୍ତୁ ପୋଲିସର ଚଢାଉ, ଗିରଫଦାରୀ ଏବଂ ମୋକଦ୍ଦମାକୁ ଡରି ଆଉ ଚାଷ କରୁନଥିବା ବେଳେ ସେମାନଙ୍କ ପାଇଁ କାଙ୍କଡ଼ ଚାଷ ଭଳି ବିକଳ୍ପ ବ୍ୟବସ୍ଥା ସହ ସାଧନ ଯୋଗାଇ ଦେଇଥିଲା ସ୍ୱେଚ୍ଛାସେବୀ ସଂସ୍ଥା ''ପ୍ରଭାତ''। ଏହି ସଂଗଠନର ପ୍ରୋତ୍ସାହନ ଓ ସହଯୋଗରେ ଆଦିବାସୀ ଚାଷୀମାନେ ଜମିରେ ଉନ୍ନତମାନର ଦେଶୀ ଓ ବିଦେଶୀ କାଙ୍କଡ଼ ଫଳାଇ ବେଶ୍ ଲାଭବାନ ହୋଇପାରୁଛନ୍ତି। ଫଳରେ ସେମାନଙ୍କ ଜୀବନ ଧାରଣର ମାନରେ ବି ପରିବର୍ତ୍ତନ ଆସିଛି।

ଚନ୍ଦ୍ରପୁର ବ୍ଲକରେ ଦେଶୀ କାଙ୍କଡ଼ା ଚଷ ପ୍ରତି ଚାଷୀଙ୍କ ଆଗ୍ରହ ଫଳରେ ଅଞ୍ଚଳରେ ବଢୁଛି କାଙ୍କଡ଼ ଉତ୍ପାଦନ। ତେଣୁ ଆଗକୁ ଚାଷୀ ଯେପରି ଅଭାବୀ ବିକ୍ରିର ଶିକାର ନହୁଏ, ସେଥିପାଇଁ ପ୍ରଶାସନ ଦୃଷ୍ଟି ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ଚାଷୀ।