ବେଆଇନ୍ ଆପାର୍ଟମେଣ୍ଟର ହଟ୍‌ସ୍ପଟ୍ ପାଲଟିଛି ରାଜଧାନୀ, ଭୁବନେଶ୍ୱରରେ କେବଳ ୬୮୯ଟି ମାମଲା

ରାଜ୍ୟରେ ନିର୍ମାଣ ହୋଇଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Minister Krushna Chandra Mohapatra

ରାଜ୍ୟରେ ନିର୍ମାଣ ହୋଇଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଧିବଦ୍ଧ ଆକଳନ କରାଯାଇ ନଥିଲେ ମଧ୍ୟ ୭୧୯ଟି କୋଠା ବେଆଇନ ଥିବା ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେଥିରୁ ୬୮୯ଟି ମାମଲା କେବଳ ଭୁବନେଶ୍ୱର ମହାନଗର ନିଗମରେ ଦାଏର ହୋଇଛି ।

ରାଜ୍ୟକୁ ଆସିଥିବା ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି । ୨୦୧୬ରୁ ୨୪ ମସିହା ଭିତରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ । ପୂର୍ବ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନଥିବାରୁ ପକ୍କା ଘର ଫେରିଯାଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।

ଗୃହରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ । ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ଘର ଶେଷ ହୋଇଛି । ଆଉ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣାଧୀନ ରହିଛି । ମଂଜୁର ହୋଇଥିବା ୩୨ ହଜାର ୯୧୩ ଘର ଆରମ୍ଭ ହୋଇନି । ଏଯାଏଁ ଓଡ଼ିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ଘର କେନ୍ଦ୍ର ସରକାର ଦେଇଛନ୍ତି ।

ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବେଦନ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ଗୃହରେ ମାହାଙ୍ଗା ତାତି । କଟକ ମାହାଙ୍ଗାରେ ପାନୀୟ ଜଳ ସମସ୍ୟା ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିବା ସହ ପୂର୍ବର ବିଜେଡି ସରକାର ଦଳ ଭିତ୍ତିରେ ପାନୀୟ ଜଳ ଯୋଗାଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏପରିକି ନିଜ ଘରକୁ ପାଇପ ପାଣି ଆସୁନଥିବା କହିଛନ୍ତି ବିଧାୟକ ସାରଦା ପ୍ରଧାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ସରପଞ୍ଚଙ୍କ ପାଖରେ ବ୍ରାଞ୍ଚ ପାଇପର ଚାବି ରହୁଛି । ସେ ମନମାନିରେ ପାଣି ଛାଡୁଛନ୍ତି । ସମସ୍ତ ବିଧାୟକ ଗ୍ରାଉଣ୍ଡ ଜିରୋକୁ ଆସି ପାନୀୟ ଜଳ ସମସ୍ୟା ଦେଖିବାକୁ ସେ ଦାବି କରିଛନ୍ତି । ସେପଟେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇବାକୁ ଚେଷ୍ଟା କରାଯାଉଛି । କିଛି ସ୍ଥାନରେ ଠିକାଦାର କାମରେ ବିଳମ୍ବ କରିଥିବାରୁ ସମସ୍ୟା ଉପୁଜିଥିବା ସେ କହିଛନ୍ତି । ଅନ୍ୟପଟେ ଏ ପ୍ରସଙ୍ଗରେ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି ।