୮୦ ହଜାର ବର୍ଷ ପରେ ଆକାଶରେ ବିରଳ ଦୃଶ୍ୟ

୧୫ ତାରିଖ ସଂଧ୍ୟା ୬.୧୫ରେ ଏହା ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ ।

COMET

ସୌର ଜଗତ ଏବଂ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କ ପାଇଁ ଖୁସି ଖବର । ୮୦ ହଜାର ବର୍ଷ ପରେ ଆକାଶରେ ଦେଖାଯାଇଛି ବିରଳ ଦୃଶ୍ୟ। ଆଜି ଭୋର୍ ସମୟରେ ଆମ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପ ସମୟ ପାଇଁ ଦେଖା ଦେଇଛି ସି-2023 ଏ-3 ଧୂମକେତୁ । ଯାହାର EXCLUSIVE ଫଟୋ କେବଳ ଓଟିଭି ପାଖରେ । ସେହି ଫଟୋଗୁଡ଼ିକୁ ସୁନ୍ଦର ଭାବେ ଉତ୍ତୋଳନ କରିବାରେ ସକ୍ଷମ ହୋଇଛନ୍ତି ଓଟିଭିର ସ୍ୱତନ୍ତ୍ର ରିପୋର୍ଟର ରାକେଶ ରାଉଳ ।

ଆଜି ସାମାନ୍ୟ ଦୃଶ୍ୟମାନ ହୋଇଥିବା ସେହି ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଏବଂ ବାଇନାକୁଲାରରେ ଦେଖାଯାଇପାରିଛି । ଖୁସିର କଥା ଏହା ଯେ, ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ଏହା ପୁଣି ଥରେ ଆକାଶରେ ଦେଖାଯିବ ଏବଂ ତାକୁ ଖାଲି ଆଖିରେ ବି ଦେଖାଯିବାର ଆଶା କରାଯାଉଛି । ଏହା ମାସ ଶେଷ ଯାଏ ଖାଲି ଆଖିକୁ ଦେଖାଯିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି । ଆସନ୍ତା ୧୨ ତାରିଖରେ ଏହା ପ୍ରାୟ ୭ କୋଟି କିଲୋମିଟର ଦୂରତାରେ ପୃଥିବୀର ନିକଟତମ ସ୍ଥାନକୁ ଆସିବ । ୧୫ ତାରିଖ ସଂଧ୍ୟା ୬.୧୫ରେ ଏହା ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ ।

 

ପରେ ଧିରେଧିରେ ତଳଆଡ଼କୁ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ । ପରବର୍ତ୍ତୀ ଦିନଗୁଡ଼ିକରେ ଏକା ସମୟ ଅର୍ଥାତ୍‌ ସନ୍ଧ୍ୟା ୬:୧୫ରେ ପୂର୍ବଦିନ ଠାରୁ ପ୍ରାୟ ୪ଡିଗ୍ରୀ ଉପରେ ଦେଖାଯିବ ଓ ପୂର୍ବ ଦିନ ତୁଳନାରେ ଅସ୍ତ ହେବାକୁ ୧୦ରୁ ୧୨ ମିନିଟ୍ ଅଧିକ ସମୟ ନେବ । ଏହିପରି ଦିନ ପରେ ଦିନ ଧିରେ ଧିରେ ଏହା ଉପରରୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ଡିଗ୍ରୀ ଉପରେ ପହଞ୍ଚିବ । ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ବଳତା କମି କମି ୨୦ ତାରିଖପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ‘ସି/୨୦୨୩ ଏ-୩’ ଧୂମକେତୁଟି ପୁଣି ଆଉ ଥରେ ଆମ ପାଖକୁ ଆସିବ ଆଉ ୮୦ ହଜାର ବର୍ଷ ପରେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ ଏହି ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତାକୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପ୍‌ସା ଲାଞ୍ଜଟିଏ ଭଳି ଦେଖାଯିବ। ବିଭିନ୍ନ ଫଟୋ ବା ଟିଭିରେ ଦେଖାଯାଉଥିବା ଚିତ୍ର ଭଳି ଏହା ଏତେବଡ ଓ ଉଜ୍ଜଳ କେବେବି ଖାଲି ଆଖିକୁ ଦେଖାଯିବ ନାହିଁ । ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ଫଟୋ ଓ ଚିତ୍ର ଗୁଡ଼ିକ ଦୂରବୀକ୍ଷଣରେ ନିଆଯାଇ କମ୍ପ୍ୟୁଟର୍‌ରେ ପ୍ରକ୍ରିୟାକରଣ କରାଯାଇଥାଏ ।

ଧୂମକେତୁଟିକୁ ଦେଖିବାପାଇଁ ଅକ୍ଟୋବର ମାସ ୧୫ ରୁ ୨0 ତାରିଖ ମଧ୍ୟରେ ଏକ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ପଶ୍ଚିମ ଦିଗ୍‌ବଳୟ ବାଛନ୍ତୁ । ଦୀର୍ଘ ୨୭ ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି । ବିଶେଷକରି ସହର ଆଲୋକ ଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଅସଂଖ୍ୟ ଛାତ୍ରଛାତ୍ରୀ ଏପରି ଏକ ବିରଳ ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ ।