ସମୟ ଗଡୁଛି, ବୟସ ବଢୁଛି...ତଥାପି ଥକିନି ପାଦ; ୯୮ ବର୍ଷ ବୟସରେ କରୁଛନ୍ତି ସାଇକେଲ୍ ମରାମତି...

ବର୍ଷ ଦୁଇଟା ପରେ ଶହେ ଛୁଇଁବ ବୟସ, ତଥାପି ଥକିନି ପାଦ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା । ସୁନାବେଡ଼ାର ୯୮ ବର୍ଷୀୟ ମୋହନ ବେହେରା । ୬୦ ବର୍ଷ ପୁରୁଣା ଦୋକାନରେ ଏବେବି କରନ୍ତି ସାଇକେଲ୍ ମରାମତି । ଦିଅନ୍ତି କର୍ମଠ ରହିବାକୁ ଯୁବ ସମାଜକୁ ପରାମର୍ଶ ।

98-year-old cycle mechanic

ବୟସ ହେଲାଣି ୯୮ । ତଥାପି ଥକିନି ପାଦ । ସୁନାବେଡ଼ାର ମୋହନ ବେହେରାଙ୍କ ପରିଚୟ ତାଙ୍କ ବୟସ ନୁହେଁ, ଲୋକେ ତାଙ୍କୁ ଜାଣନ୍ତି ଯୁବସୁଲଭ କର୍ମତତ୍ପରତା ପାଇଁ । ଯେଉଁ ବୟସରେ ଲୋକଟି ହୁଏତ ଶଯ୍ୟାଶାୟୀ ହୋଇଥିବ ବୋଲି ଧାରଣା ଆସେ, ସେହି ବୟସରେ ସେ ସାଇକେଲ ମରାମତି କରନ୍ତି ନିଜର ୬୦ ବର୍ଷ ପୁରୁଣା ଦୋକାନରେ। ତାଙ୍କୁ ଦେଖି ଚକିତ ହୁଅନ୍ତି ସ୍ଥାନୀୟ ଯୁବବର୍ଗ । କହନ୍ତି ମିଗ୍ ନଗରୀର ମୋହନଙ୍କ ପାଇଁ ବୟସ ସତେକି ସଂଖ୍ୟାଟିଏ ମାତ୍ର। ଜାଣିବାକୁ ଚେଷ୍ଟା କରନ୍ତି ତାଙ୍କ ଯୋଶ୍‌ର ରାଜ୍ ।

ଘିରି ଘିରି ବୁଲୁଛି ସମୟର ଚକ । ଦିନ ପରେ ଦିନ ବିତୁଛି, ଆଉ ବର୍ଷ ପରେ ବର୍ଷ । ସମୟ ଗଡ଼ୁଛି, ବୟସ ବଢ଼ୁଛି । ହେଲେ ବୟସ ଆଗରେ ହାର୍ ନମାନି, ଏବେବି ଉଭୟ ଦେହରୁ ଓ ମନରୁ ପୂରା ଫିଟ୍ ଅଛନ୍ତି ୯୮ ବର୍ଷୀୟ ମୋହନ ବେହେରା । କୋରାପୁଟ ସୁନାବେଡ଼ା ସହରରେ କିଏ ତାଙ୍କୁ ବୁଢ଼ା ବାବୁ ଡାକେ, ଆଉ କିଏ ମୋହନ ବାପା । ଏ ସହର ଯେତିକି ପୁରୁଣା, ତାଙ୍କର ଏ ସାଇକେଲ ମରାମତି ଦୋକାନ ବି ସେତିକି ପୁରୁଣା। 

୧୯୬୩ରେ ଗଞ୍ଜାମ ସିନ୍ଧିଗାଁରୁ ସୁନାବେଡ଼ା ଆସି ପ୍ରଥମେ ଏଠି ସାଇକେଲ୍ ମରାମତି ଦୋକାନ କରିଥିଲେ ମୋହନ। ୬ ଦଶନ୍ଧି ଭିତରେ ସହର ବଦଳିଯାଇଛି ସିନା, ହେଲେ ବଦଳିନି ତାଙ୍କର ବେଉସା । ଖରା, ବର୍ଷା ହେଉ କି ଶୀତ, ସବୁଦିନ ଦୋକାନ ଖୋଲି ସାଇକେଲ ସଜାଡ଼ନ୍ତି ମୋହନ । ଯୁବାବସ୍ଥାରେ ହାଲ୍‌ରେ ଚାକିରି ପ୍ରସ୍ତାବ ମିଳିଥିଲେ ବି, ବ୍ୟବସାୟରୁ ମୋହ ତୁଟାଇ ପାରିନଥିଲେ ମୋହନ । ଆଉ ଏବେବି ତାଙ୍କର ସେଇ ଯୋଶ୍, ସାରା ଅଞ୍ଚଳ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।

ନିଇତି ସକାଳୁ ବଙ୍କୁଲି ବାଡ଼ି ଧରି ବାହାରି ପଡ଼ନ୍ତି ମୋହନ। ସୁନାବେଡ଼ା-୧  AEF ବଜାରକୁ ଆସି ଦୋକାନ ଖୋଲନ୍ତି। ଆଖପାଖ ଦୋକାନୀ ଓ ପୁରୁଣା ଗରାଖଙ୍କ ସହ ସୁଖଦୁଖ ହୁଅନ୍ତି । ବର୍ଷ ଦୁଇଟା ପରେ ବୟସ ଶହେ ଛୁଇଁବ । ହେଲେ ସମସ୍ତଙ୍କୁ ଆଚମ୍ବିତ କରେ ତାଙ୍କ କର୍ମଠ ପଣିଆ । ମୋହନ ସାଇକେଲ୍ ଓ ପେଟ୍ରୋମାକ୍ସ ଆଦି ମରାମତିରେ ଏମିତି ମଜ୍ଜି ଯାଆନ୍ତି ଯେ, ଭୁଲି ଯାଆନ୍ତି ଦୁଇ ପୁଅ ଓ ପତ୍ନୀଙ୍କୁ ହରାଇବାର ଦୁଃଖ । ତାଙ୍କର ଆଉ ଦୁଇ ପୁଅ ହାଲ୍ ବଜାରରେ ବ୍ୟବସାୟ କରନ୍ତି। ହେଲେ କାହା ଉପରେ ବୋଝ ହେବାକୁ ତାଙ୍କର ଜମାରୁ ଇଚ୍ଛା ନାହିଁ ।

ତେଣୁ ବୟସର ସାୟାହ୍ନରେ ବି କାମ କରି ଯାହାକିଛି ସମ୍ଭବ ରୋଜଗାର କରନ୍ତି । ଯଦିଓ ବାଇକ୍ ଓ ସ୍କୁଟି ଯୁଗରେ, ମାଗୁଣିର ଶଗଡ଼ ଭଳି ମୋହନଙ୍କ ସାଇକେଲ୍ ଦୋକାନର ଚାହିଦା କମିଛି; ତଥାପି ନିରାଶ ନୁହଁନ୍ତି ସେ । ତାଙ୍କ ଖୁସି ଯେ, ସେ ଏବେବି ଆତ୍ମନିର୍ଭରଶୀଳ ଏବଂ ତାଙ୍କଠୁ କାମ ଶିଖି ଆଉ ୫୦ ପିଲା ବି ସ୍ବାବଲମ୍ବୀ ହୋଇପାରିଛନ୍ତି ।