ପୂଜାରେ ସୁରକ୍ଷିତ ରହିବେ ରାଜଧାନୀ ବାସିନ୍ଦା, କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା

ଚଳିତବର୍ଷ ଟ୍ୱିନସିଟିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରରେ ୩୮ ପ୍ଲାଟୁନ୍ ଏବଂ କଟକରେ ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ ।

Crime Free Durga Puja

ଚଳିତବର୍ଷ ଟ୍ୱିନସିଟିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରରେ ୩୮ ପ୍ଲାଟୁନ୍ ଏବଂ କଟକରେ ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ । ମଣ୍ଡପରୁ ନେଇ ରାସ୍ତା, ସବୁଠି ରହିବ ପୋଲିସର କଡା ନଜର । ସବୁ ମଣ୍ଡପରେ ସିସିଟିଭି ସହ ଆପାର୍ଟମେଣ୍ଟର ସିସିଟିଭି ମଧ୍ୟ ଯୋଡି ହେବ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ ସହ ।

ପୂଜାରେ ସୁରକ୍ଷିତ ରହିବା ସହ ଶାନ୍ତିରେ ବୁଲିବେ ରାଜଧାନୀ ବାସିନ୍ଦା । ଏଭଳି ଆଶ୍ୱସ୍ତ କରିଛନ୍ତି ପୋଲିସ କମିଶନର । ପୂଜା ପାଇଁ କଡା ସୁରକ୍ଷା ବଳୟରେ ରହିବ ଟ୍ୱିନସିଟି । ଉଭୟ ଟ୍ରାଫିକ୍ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସିପି । ପୂଜା ସମୟରେ ଭାରିଯାନ ନିଷେଧ ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଚଳିବର୍ଷ ରାଜଧାନୀ ଭୁବନେଶ୍ୱରରେ ୧୮୭ଟି ପୂଜା ପେଣ୍ଡାଲ ପାଇଁ ୩୮ ପ୍ଲାଟୁନ ପୋଲିସ ମୁତୟନ ରହିବେ । ସେହିଭଳି କଟକରେ ୧୬୬ ମେଢ ପାଇଁ ମୁତୟନ ରହିବେ ୬୪ ପ୍ଲାଟୁନ ପୋଲିସ । ପୂଜା ବେଳେ ଛିନତାଇ ରୋକିବାକୁ ସାଦା ପୋଷାକରେ ରହିବେ ସ୍ୱତନ୍ତ୍ର ପୋଲିସ । ଏହାସହ ୬ ପ୍ଲାଟୁନ CRPF, ୩ ପ୍ଲାଟୁନ ରାପିଡ୍ ଆକ୍ସନ୍ ଫୋର୍ସ ବି ମୁତୟନ ରହିବେ ବୋଲି କହିଛନ୍ତି ସିପି ।

ତେଣେ ସମସ୍ତ ପୂଜା ମଣ୍ଡପ CCTV ସର୍ଭେଲାନ୍ସରେ ରହିବ । ପୂଜା ସମୟରେ ଆପାର୍ଟମେଣ୍ଟ ସୁରକ୍ଷା ଉପରେ ପୋଲିସର ରହିବ ବିଶେଷ ନଜର । ଆପାର୍ଟମେଣ୍ଟ ବାସୀଙ୍କ ଧନଜୀବନ ସୁରକ୍ଷା ନେଇ କମିଶନରେଟ ପୋଲିସର ଅଭିନବ ଉଦ୍ୟମ । ସମସ୍ତ ଆପାର୍ଟମେଣ୍ଟ ଗୁଡିକର ସିସିଟିଭି କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ ସହ ଯୋଡି ହେବ ।

କୌଣସି ଅଘଟଣ ଘଟିଲେ ତୁରନ୍ତ ପୋଲିସକୁ ଖବର ଯିବ । ଏହାସହ ଲୁଟେରାଙ୍କ ଉପରେ ନଜର ରଖିବାପାଇଁ ସହର ସାରା ସାଦା ପୋଷାକରେ ପୋଲିସ ବୁଲିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ପୂଜାରେ କ୍ରାଇମ ଫ୍ରି ସିଟି କରିବା ଲକ୍ଷ୍ୟରେ କମିଶନରେଟ ପୋଲିସ ।