ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍, କେବେ ଚେତିବ ପ୍ରଶାସନ ? 

ମୁକୁଳା ଡ୍ରେନ୍ ରେ ପଡ଼ି ଚାଲିଗଲା ୧୧ ବର୍ଷୀୟ ସାଇରାମର ଜୀବନ । ସାଇକେଲ ଚଳାଇ ଘରକୁ ଫେରୁଥିବାଳେ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ୍ କୁ ଜାଣିନପାରି ଭାସି ଯାଇଥିଲା।

Open Drain Tragedy

ପୁଣି ଜୀବନ ନେଇଛି ମୁକୁଳା ଡ୍ରେନ୍ । ଭୁବନେଶ୍ୱର ପରେ ବ୍ରହ୍ମପୁରରେ ବି ମୁକୁଳା ଡ୍ରେନ ଯୋଗୁ ଯାଇଛି ଗୋଟିଏ ଅମୂଲ୍ୟ ଜୀବନ । ଘରଠୁ ମାତ୍ର କେଇ ମିଟର ଦୂରରେ ଥିବା ମୁକୁଳା ଡ୍ରେନରେ ପଡି ଚାଲିଯାଇଛି ଜଣେ ୧୧ ବର୍ଷ ବାଳକର ଜୀବନ । ଏହି ଘଟଣା ପରେ ଅଞ୍ଚଳରରେ ଶୋକର ଛାଇ ଖେଳିଯାଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାମକୁ ନେଇ ତେଜୁଛି ଅସନ୍ତୋଷ।  .

ପୁଣି କାଳ ସାଜିଲା ମୁକୁଳା ଡ୍ରେନ ପାଣି । ସୁଅରେ ଅକାଳେ ଚାଲିଗଲା କଅଁଳ ଜୀବନ । ଜୀବନକୁ ଭଲଭାବେ ବୁଝିବା ପୂର୍ବରୁ ଡାକିନେଲା ମୃତ୍ୟୁ । ମୁକୁଳା ଡ୍ରେନ୍ ରେ ପଡ଼ି ଚାଲିଗଲା ୧୧ବର୍ଷୀୟ ସାଇରାମର ଜୀବନ । ଗତକାଲି ରାତି ଏମାନଙ୍କ ଜୀବନର ଥିଲା କାଳ ରାତି । କାରଣ କେଇଘଣ୍ଟାରେ ଓଲଟପାଲଟ ହୋଇଗଲା ସବୁକିଛି । ବାପା ମାଆଙ୍କ ଗେଲବସର ପୁଅ ସାଇରାମ ଆଉ ଘରକୁ ଫେରିଲା ନାହିଁ ।

ଗତକାଲି ସଂଧ୍ୟାରେ ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇ ରାସ୍ତା ଆଉ ନାଳ ଏକାକାର ହୋଇଯାଇଥିଲା। ଲକ୍ଷ୍ମୀ ନୃସିଂହ ସାହି ୧୪ ନଂ ଲାଇନରେ ଆଣ୍ଠୁଏ ଉଚ୍ଚ ପାଣି ଭିତରେ ସାଇକେଲ ଚଳାଇ ଘରକୁ ଫେରୁଥିଲା ସାଇ । ତେବେ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ୍ କୁ ଜାଣିନପାରି ଭାସି ଯାଇଥିଲା। ଘଟଣାସ୍ଥଳରେ ଥିବା ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଆଉ ପ୍ରାୟ ୪ ଘଣ୍ଟା ପରେ ମିଳିଲା ସାଇ, କିନ୍ତୁ ଜୀବନ୍ତ ନୁହେଁ ମୃତ ଅବସ୍ଥାରେ ।

ଏହି ଘଟଣା ପରେ ପ୍ରଶ୍ନ ଉଠୁଛି ଏଠି ଭୁଲ୍ କାହାର ? ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଏବେଯାଏ ମୁକୁଳା ଅଛି ଡ୍ରେନ୍ ? ବାରମ୍ବାର ଏଭଳି ଘଟଣା ଘଟୁଥିଲେବି କାହିଁକି ଚେତୁନି ପ୍ରଶାସନ ? ବ୍ରହ୍ମପୁର ସହରର ସବୁଠାରୁ ବଡ଼ ସାହି ଲକ୍ଷ୍ମୀନୃସିଂହ ସାହିର ଆରମ୍ଭରୁ ଏଭଳି ବଡ଼ ବଡ଼ ନାଳ ଗୁଡ଼ିକ ବିନା ଢ଼ାଙ୍କୁଣିରେ ରହିଛି । ତାସହ ତ୍ରିବେଣୀ ନଗରର ମୁଖ୍ୟ ନାଳ, ଗେଟବଜାର, ପ୍ରେମ ନଗର, ମିନାକ୍ଷୀ ନଗର ଠାରୁ ଆରମ୍ଭ କରି ବହୁ ଅଞ୍ଚଳ ସମେତ ସହରର ବହୁ ନାଳ ଏଭଳି ମୁକୁଳା ପଡ଼ିଛି । ବର୍ଷା ହେଲେ ଡ୍ରେନ୍- ରାସ୍ତା ଏକାକାର ।

ତେଣେ ଗତକାଲିର ଏହି ଦୁଭାର୍ଗ୍ୟପୂର୍ଣ୍ଣ ଘଟଣା ପରେ ମହାନଗର କମିଶନରଙ୍କ ପକ୍ଷରୁ ଡ୍ରେନେଜ ଓ ବିଏମ୍ ‍ସିର ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏକ ଟେକ୍ନିକାଲ ତଦନ୍ତ କମିଟି ଗଠନ କରାଯାଇଛି । ଏହାସହ ସହରରେ ମୁକୁଳା ଥିବା ନାଳ ଗୁଡ଼ିକ ଉପରେ ଅତିଶୀଘ୍ର ଢ଼ାଙ୍କୁଣି ପଡ଼ିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।