ବିଧାନ ପରିଷଦ ଗଠନ ନେଇ ପୁଣି ଚର୍ଚ୍ଚା,ରାଜ୍ୟରୁ ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ

ବିଧାନ ପରିଷଦ ଗଠନ ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିବା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ କହିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Kiren Rijiju

News Summary

କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତରକୁ ଆଶ୍ଚର୍ଯ୍ୟ ପ୍ରକାଶ କଲେ ସାଂସଦ

୨୦୧୮ରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା କହିଲେ ବାଚସ୍ପତି

ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବିଧାନ ପରିଷଦ ଗଠନ ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିବା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ କହିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ୨୦୧୫ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତତ୍କାଳୀନ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ ।

୨୦୧୮ ସେପ୍ଟେମ୍ବର ୬ରେ ଏନେଇ ସଂକଳ୍ପ ରାଜ୍ୟ ବିଧାନସଭାରେ ପାରିତ ହୋଇଥିଲା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ପୁଣି କେନ୍ଦ୍ର ସରକାର ବିଭିନ୍ନ ସମୟରେ ଏନେଇ ରାଜ୍ୟ ସରକାରଙ୍କଠାରୁ ତଥ୍ୟ ମାଗିଥିଲେ । ରାଜ୍ୟ ସରକାର ଏହାର ଜବାବ ମଧ୍ୟ ଦେଇଥିଲେ ବୋଲି ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ସେପଟେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ମଧ୍ୟ କେନ୍ଦ୍ର ସରକାରଙ୍କ ଏଭଳି ଜବାବକୁ ନେଇ ଅଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ପୂର୍ବରୁ ସଂସଦରେ ଏ ବାବଦରେ ପ୍ରସଙ୍ଗ ଉଠାଯାଇଛି ବୋଲି ସେ କହିଛନ୍ତି । ତେବେ ଗତକାଲି ବିଧାନ ପରିଷଦ ସଂପର୍କରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । ତେବେ ରାଜ୍ୟରୁ କୌଣସି ପ୍ରସ୍ତାବ ଆସିନଥିବା କହିଥିଲେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ ।