Advertisment

Women’s Contribution: ମାତୃଶକ୍ତି ହାତରେ ଦେଶର ଭବିଷ୍ୟତ, ବିକଶିତ ଭାରତ ପାଇଁ ଜରୁରୀ ମହିଳାଙ୍କ ଅବଦାନ

ଗ୍ରାମାଞ୍ଚଳରେ ମହିଳାମାନଙ୍କ ଅଂଶଗ୍ରହଣରେ ସାମାନ୍ୟ ବୃଦ୍ଧି ଘଟିଛି, କିନ୍ତୁ ଏହା ପ୍ରାୟତଃ ଅବୈତନିକ ଏବଂ ପାରିବାରିକ କାର୍ଯ୍ୟ ପର୍ଯ୍ୟନ୍ତ ସୀମିତ । ଅନ୍ୟପକ୍ଷରେ ସହରାଞ୍ଚଳ ଭାରତରେ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ସ୍ଥିର ରହିଛି । ଏହା ସହିତ ଅସୁରକ୍ଷିତ ସାର୍ବଜନୀନ ପରିବହନ, ପରିମଳ ବ୍ୟବସ୍ଥାର ଅଭାବ ଏବଂ ଅବୈତନିକ ଯତ୍ନ କାର୍ଯ୍ୟର ବୋଝ ମହିଳାମାନଙ୍କୁ ଶିକ୍ଷା ଏବଂ ନିଯୁକ୍ତି ଉଭୟରୁ ଦୂରେଇ ରଖୁଛି । ଅର୍ଥନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ଅପେକ୍ଷାକୃତ କମ ଥିବାରୁ ଏହା ଦେଶର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ଅଦ୍ୟତନ ହୋଇଛି
women

women

Advertisment

ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି । ଆମ ଦେଶ ପାଇଁ ଏବେ ବିଶ୍ୱ ଅର୍ଥନୀତି ଅନୁକୂଳ ରହିଛି । ହେଲେ ଭାରତୀୟ ଅର୍ଥନୀତିର ପ୍ରଗତି ସାମ୍ନାରେ ବଡ଼ କଣ୍ଟା ସାଜିଛି ଟ୍ରମ୍ପଙ୍କ ଟାରିଫ ନୀତି । ଭାରତୀୟ ସାମଗ୍ରୀ ରପ୍ତାନି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ୫୦ ପ୍ରତିଶତ ଶୁଳ୍କ ବାଧା ସୃଷ୍ଟି କରୁଛି । ଏହି ଶୁଳ୍କ ଯୋଗୁଁ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ୪୦ ଆରବ ଡଲାର ବ୍ୟବସାୟ ଉପରେ ଆର୍ଥିକ ସଙ୍କଟ ଘନେଇ ଆସୁଛି । ଏହାଦ୍ୱାରା ଦେଶର ଜିଡିପିରେ ପାଖାପାଖି ଏକ ପ୍ରତିଶତ ହ୍ରାସ ହେବାର ଆଶଙ୍କା ମଧ୍ୟ ରହିଛି ।

Advertisment

ବୟନ ଏବଂ ରତ୍ନ ଭଳି ଶ୍ରମ-ପ୍ରଧାନ କ୍ଷେତ୍ରଗୁଡ଼ିକରେ ଲକ୍ଷ ଲକ୍ଷ ଭାରତୀୟ ମହିଳାଙ୍କ ନିଯୁକ୍ତିକୁ ସଙ୍କଟରେ ପକାଇପାରେ ଟ୍ରମ୍ପଙ୍କ ଟାରିଫ । କାରଣ ଏହି କ୍ଷେତ୍ର ଗୁଡ଼ିକରେ ମହିଳାମାନେ ଅଧିକ କାର୍ଯ୍ୟରତ ଅଛନ୍ତି । ପ୍ରାୟ ୫୫ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଉଥିବା ବୟନ ଏବଂ ରତ୍ନ ଭଳି କ୍ଷେତ୍ରଗୁଡ଼ିକ ରପ୍ତାନିରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସର ସମ୍ମୁଖୀନ ହେବେ । ଏହାର ବିପରୀତ ଚୀନ, ଆଫ୍ରିକା ଏବଂ ୟୁରୋପ ଭଳି ବିଭିନ୍ନ ଅଞ୍ଚଳକୁ ସାମଗ୍ରି ରପ୍ତାନି କରୁଥିବାରୁ ଟ୍ରମ୍ପଙ୍କ ଟାରିଫ ନୀତି ଜିନପିଙ୍ଗ ସରକାରଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିବ ନାହିଁ ବୋଲି ଆକଳନ କରାଯାଉଛି ।

ଭାରତ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାପାଇଁ ମିଳିପାରେ । ଏହାର ଦୁଇଟି ମୁଖ୍ୟ କାରଣ ରହିଛି । ଗୋଟିଏ ହେଲା ୧୮ ପ୍ରତିଶତ ସାମଗ୍ରୀ ରପ୍ତାନି ପାଇଁ ଆମେରିକା ଉପରେ ନିର୍ଭରଶୀଳ ଭାରତ ଏବଂ ଦ୍ୱିତୀୟତଃ ଭାରତୀୟ ସାମଗ୍ରୀଗୁଡ଼ିକ ଭିଏତନାମ ପରି ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତୁଳନାରେ ୩୦-୩୫ ପ୍ରତିଶତ ଅଧିକ ମହଙ୍ଗା । ଏପରି ସଙ୍କଟ ସମୟରେ ମହାତ୍ମା ଗାନ୍ଧୀଙ୍କ କଥା ପ୍ରାସଙ୍ଗିକ ମନେହୁଏ, କୌଣସି ଦେଶର ଶକ୍ତି ସେଠାକାର ମହିଳାମାନଙ୍କ ଠାରେ ନିହିତ। ଏପରି ସ୍ଥିତିରେ ଅଧା ଜନସଂଖ୍ୟାକୁ ଆର୍ଥିକ ଭାବରେ ସଶକ୍ତ କରି ଏହି ଚ୍ୟାଲେଞ୍ଜକୁ ଦୂର କରାଯାଇପାରିବ ।

Advertisment

ଭାରତରେ ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ହାର ବହୁତ କମ୍, ଯାହା ୩୭ ପ୍ରତିଶତରୁ ୪୧.୭ ପ୍ରତିଶତ ମଧ୍ୟରେ ରହିଛି। ଅନ୍ୟପକ୍ଷରେ ବିଶ୍ୱ ଏବଂ ଚୀନର ହାର ପ୍ରାୟ ୬୦ ପ୍ରତିଶତ ରହିଛି । ମହିଳାମାନେ ଅର୍ଥନୀତିରେ ସକ୍ରିୟ ଭୂମିକା ଗ୍ରହଣ କଲେ ସମାବେଶୀ ଅଭିବୃଦ୍ଧି ସମ୍ଭବ ହୋଇଥାଏ। ଚୀନ୍, ଜାପାନ ଏବଂ ଆମେରିକା ଭଳି ଦେଶଗୁଡ଼ିକ ଏହାର ଉଦାହରଣ । ଜାପାନ ୱିମେନାମିକ୍ସ ରଣନୀତି ଗ୍ରହଣ କରି ମହିଳା ଅଂଶଗ୍ରହଣକୁ ୭୪ ପ୍ରତିଶତ ପହଞ୍ଚାଇବାରେ ସଫଳ ହୋଇପାରିଛି ।

ମହିଳାମାନଙ୍କ ଅଂଶଗ୍ରହଣ ଦ୍ୱାରା ଆମେରିକାର ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ଅନୁସାରେ, ଲିଙ୍ଗଗତ ପାର୍ଥକ୍ୟକୁ ଦୂର କରି ଭାରତ ୨୦୨୫ ଶେଷ ସୁଦ୍ଧା ଦେଶର GDP ୨୭ ପ୍ରତିଶତ ଅର୍ଥାତ୍ $770 ବିଲିୟନ ବୃଦ୍ଧି କରିପାରିବ। ଏହି ସଂଖ୍ୟା ୨୦୪୭ ସୁଦ୍ଧା $14 ଟ୍ରିଲିୟନରେ ପହଞ୍ଚିପାରେ । କିନ୍ତୁ ସାଂସ୍କୃତିକ ରକ୍ଷଣଶୀଳତା, ନୀତି ନିଷ୍କ୍ରିୟତା ଏବଂ ନିଯୁକ୍ତି ପାଇଁ ବ୍ୟବସ୍ଥାଗତ ପ୍ରତିବନ୍ଧକ ଏଥିରେ ବାଧା ସୃଷ୍ଟି କରିପାରେ। ଅର୍ଥନୀତିରେ ମହିଳାମାନଙ୍କର କମ୍ ଅଂଶଗ୍ରହଣ ଏବଂ ବର୍ତ୍ତମାନ ଶୁଳ୍କ ବ୍ୟବସ୍ଥାର ଆଶଙ୍କା ଦେଶର ଆର୍ଥିକ ସମ୍ଭାବନାକୁ ଆହୁରି ଦୁର୍ବଳ କରିପାରେ।

Advertisment

ଭାରତ ବର୍ତ୍ତମାନ ତାର ଜନସଂଖ୍ୟାଗତ ଲାଭାଂଶର ଶୀର୍ଷରେ ଅଛି। ବର୍ତ୍ତମାନ ସମୟରେ ତୁଳନାତ୍ମକ ଭାବେ କର୍ମଜୀବୀ ଜନସଂଖ୍ୟା ନିର୍ଭରଶୀଳଙ୍କ ତୁଳନାରେ ବହୁତ ଅଧିକ ରହିଛି। ଏହି ସୁଯୋଗ ୨୦୪୫ ସୁଦ୍ଧା ଶେଷ ହୋଇଯିବ। ଚୀନ୍, ଜାପାନ ଏବଂ ଆମେରିକା ଭଳି ଦେଶ ଏହି ସୁଯୋଗକୁ ଅସ୍ତ୍ର କରି ବିକାଶ କରିଛନ୍ତି। ଏହି କ୍ଷଣିକ ସୁଯୋଗକୁ ସ୍ଥାୟୀ ସମୃଦ୍ଧିରେ ପରିଣତ କରିବା ପାଇଁ ଭାରତକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ।

ଏଥିପାଇଁ ମହିଳାମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ସାମିଲ କରିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ମହିଳାମାନଙ୍କ ଅଂଶଗ୍ରହଣରେ ସାମାନ୍ୟ ବୃଦ୍ଧି ଘଟିଛି, କିନ୍ତୁ ଏହା ପ୍ରାୟତଃ ଅବୈତନିକ ଏବଂ ପାରିବାରିକ କାର୍ଯ୍ୟ ପର୍ଯ୍ୟନ୍ତ ସୀମିତ । ଅନ୍ୟପକ୍ଷରେ ସହରାଞ୍ଚଳ ଭାରତରେ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ସ୍ଥିର ରହିଛି । ଏହା ସହିତ ଅସୁରକ୍ଷିତ ସାର୍ବଜନୀନ ପରିବହନ, ପରିମଳ ବ୍ୟବସ୍ଥାର ଅଭାବ ଏବଂ ଅବୈତନିକ ଯତ୍ନ କାର୍ଯ୍ୟର ବୋଝ ମହିଳାମାନଙ୍କୁ ଶିକ୍ଷା ଏବଂ ନିଯୁକ୍ତି ଉଭୟରୁ ଦୂରେଇ ରଖୁଛି । ଅର୍ଥନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ଅପେକ୍ଷାକୃତ କମ ଥିବାରୁ ଏହା ଦେଶର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହା ପରିବର୍ତ୍ତନ ହେବା ଉଚିତ।

ଏଥିପାଇଁ ମୋଦି ସରକାର ପ୍ରଥମରୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବେଟି ବଚାଓ, ବେଟି ପଢ଼ାଓ ମୋଦି ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯାହା ଭାରତରେ ଝିଅମାନଙ୍କ ଜୀବନକୁ ଉନ୍ନତ କରିବାରେ ସାହାଯ୍ୟ କରୁଛି। ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଶିଶୁ ଲିଙ୍ଗ ଅନୁପାତକୁ ଉନ୍ନତ କରିବା ଏବଂ ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି । ଝିଅମାନଙ୍କ ପ୍ରତି ମାନସିକତାକୁ ପରିବର୍ତ୍ତନ କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ଏହାର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଅଧୀନରେ ସରକାର ବିଭିନ୍ନ ଉପାୟରେ ଝିଅମାନଙ୍କ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ମାତୃତ୍ୱ ଲାଭ କାର୍ଯ୍ୟକ୍ରମ। ଏହି ଯୋଜନା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା, ଯାହା ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ । ଏହି ଯୋଜନା ଅଧୀନରେ ଜାନୁଆରୀ ୨୦୨୫ ସୁଦ୍ଧା ୩.୮୧ କୋଟି ମହିଳାଙ୍କୁ ୧୭,୩୬୨ କୋଟି ଟଙ୍କା ବଣ୍ଟନ କରାଯାଇଛି । ଗର୍ଭବତୀ ମହିଳାଙ୍କୁ ପ୍ରଥମ ଜୀବିତ ସନ୍ତାନ ଜନ୍ମ ସମୟରେ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତିନୋଟି କିସ୍ତିରେ ଜମା କରାଯାଏ। ମହିଳା ଜଣକ ଦ୍ୱିତୀୟ ଥର ଗର୍ଭବତୀ ହୋଇ ଯଦି କନ୍ୟା ଜନ୍ମ କରନ୍ତି, ତେବେ ଏକକାଳୀନ ୬୦୦୦ ଟଙ୍କା ଦିଆଯାଏ।

ମହିଳା ଶକ୍ତି କେନ୍ଦ୍ର ହେଉଛି ଭାରତ ସରକାରଙ୍କ ଦ୍ୱାରା ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏକ ଯୋଜନା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା। ଏହି ଯୋଜନା ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ମହିଳାମାନଙ୍କୁ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସହିତ ଯୋଡ଼ିବାରେ ସାହାଯ୍ୟ କରେ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଗ୍ରାମୀଣ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ସଚେତନ କରିବା, ଶିକ୍ଷା ଏବଂ ଦକ୍ଷତା ବିକାଶ ପ୍ରଦାନ କରିବା, ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା।

୨୦୧୫ ମସିହାରେ ମୋଦି ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କ ଭବିଷ୍ୟତ ପାଇଁ ସଞ୍ଚୟକୁ ଉତ୍ସାହିତ କରିବା। ଏହି ଯୋଜନା ଅଧୀନରେ ୧୦ ବର୍ଷରୁ କମ୍ ବୟସର ଝିଅମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇପାରିବ। ସୁକନ୍ୟା ସମୃଦ୍ଧି ଯୋଜନା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ସଞ୍ଚୟ ଯୋଜନା, ଯାହା ଝିଅମାନଙ୍କ ଭବିଷ୍ୟତକୁ ଆର୍ଥିକ ଭାବରେ ସୁରକ୍ଷିତ କରେ। ଏହି ଯୋଜନା ବେଟି ବଚାଓ, ବେଟି ପଢ଼ାଓ ଅଭିଯାନର ଏକ ଅଂଶ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଝିଅମାନଙ୍କ ଭବିଷ୍ୟତ ପାଇଁ ସଞ୍ଚୟକୁ ଉତ୍ସାହିତ କରିବା, ଶିକ୍ଷା ଏବଂ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ଝିଅମାନଙ୍କ ପ୍ରତି ଏକ ସକାରାତ୍ମକ ମନୋଭାବ ପୋଷଣ କରିବା । ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ଝିଅମାନଙ୍କ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କ ଦ୍ୱାରା ଆକାଉଣ୍ଟ ଖୋଲାଯାଇପାରିବ। ଏକ ଆର୍ଥିକ ବର୍ଷରେ ସର୍ବନିମ୍ନ ୨୫୦ ଟଙ୍କା ଏବଂ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇପାରିବ। ଏହି ଯୋଜନାରେ ଆକର୍ଷଣୀୟ ସୁଧ ହାର ପ୍ରଦାନ କରାଯାଏ, ଯାହା ସରକାର ସମୟ ସମୟରେ ସ୍ଥିର କରନ୍ତି।

ମୋଦିଙ୍କ ଏହି ସବୁ ଯୋଜନା ଗୁଡ଼ିକରେ ମହିଳାଙ୍କ ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି ସୁଧାରିବାକୁ ପ୍ରୟାସ କରାଯାଇଛି । ବିଭିନ୍ନ ଯୋଜନା ଦ୍ୱାରା ଲାଭବାନ ହୋଇ ମହିଳାମାନେ ଏବେ କର୍ମକ୍ଷେତ୍ରରେ ନିଦ୍ୱନ୍ଦ୍ୱରେ ପ୍ରବେଶ କରିପାରୁଛନ୍ତି । ପୂର୍ବରୁ ଘରୋଇ ଦାୟିତ୍ୱ ଯୋଗୁଁ ଏହା ଏପରି କରିବା ସମ୍ଭବପର ହୋଇପାରୁନଥିଲା । ଏଭଳି ସମୟରେ ଟ୍ରମ୍ପଙ୍କ ଟାରିଫ୍ ଚେତାବନୀ ଏକ ସୁଯୋଗ ମାତ୍ର । ଏହି କଠୋର ପରିସ୍ଥିତିରେ ଆମକୁ ଆମର ମହିଳାମାନଙ୍କ ଶକ୍ତିକୁ ଚିହ୍ନିବା ପାଇଁ ବାଧ୍ୟ କରିଛି । ଅନ୍ୟପକ୍ଷରେ ସିଧାସଳଖ କହିବାକୁ ଗଲେ ଏବେ ଭାରତର ଭବିଷ୍ୟତ ମାତୃଶକ୍ତି ଉପରେ ନିର୍ଭରଶୀଳ କହିଲେ ଚଳେ ।

ଅଧିକ ପଢ଼ନ୍ତୁ: ବଢ଼ିବ ନୌସେନା ଶକ୍ତି, ସେନାରେ ସାମିଲ ହେବ ୨ ନୂଆ ଯୁଦ୍ଧପୋତ

India Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ