ଅତୀତର ନିରାଶାକୁ ଭୁଲି ଏକ ସୁବର୍ଣ୍ଣ ଭବିଷ୍ୟତ ଆଶାରେ ମୂଳଦୁଆ ପକାଇଥିବା ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଭଳି କିମ୍ବଦନ୍ତୀ ଟିମ୍ଠାରୁ ଜିତି ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ସମଗ୍ର ଭାରତ ଉତ୍ସବମୁଖର ହୋଇଛି। ତେବେ ଏହାର ସବୁ ଶ୍ରେୟ ଦଳର ଅଧିନାୟକ ରାଣୀ ରାମ୍ପାଲ୍ଙ୍କ ଉପରକୁ ଯାଉଛି।
ଆବଶ୍ୟକ ସମୟରେ ଜଣେ ମିଡଫିଲ୍ଡର ଭାବରେ ଦ୍ୱିଗୁଣିତ କରିବାରେ ସକ୍ଷମ ଥିବା ଏକ କ୍ଲିନିକାଲ୍ ଫରୱାର୍ଡ, ଭାରତୀୟ ହକି ସୁପରଷ୍ଟାର ରାଣୀ ରାମ୍ପାଲ୍ଙ୍କୁ ବିଶ୍ୱର ଶ୍ରେଷ୍ଠ ମହିଳା ହକି ଖେଳାଳି ଭାବରେ ବିବେଚନା କରାଯାଏ ଏବଂ ତାଙ୍କର ନିର୍ଣ୍ଣାୟକ ଷ୍ଟ୍ରାଇକ୍ ଭଳି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବାର ଏକ ନକ୍ସା ଅଛି ଯାହା ଭାରତକୁ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସାହାଯ୍ୟ କରିଛି।
ଭାରତୀୟ ମହିଳା ହକି ଦଳର ଏହି ଅଧିନାୟକ ମଧ୍ୟ ରିଓ ଅଲିମ୍ପିକ୍ ୨୦୧୬ରେ ଭାରତର ପ୍ରତିନିଧିତ୍ୱ କରୁଥିବା ଦଳର ଏକ ଅଂଶ ହୋଇଥିଲେ। ତେବେ ମାତ୍ର ୯ ବର୍ଷ ବୟସରେ ସେ ବିଧିବଦ୍ଧ ଭାବେ ହକି ଖେଳିବାର ସୁଯୋଗ ପାଇଥିଲେ। ତାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ସେ ୨୦୧୦ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଜାତୀୟ ଦଳର ସର୍ବକନିଷ୍ଠ ଖେଳାଳି ଥିଲେ। ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ବି ହକି ମ୍ୟାଚ୍ ପାଇଁ ଅଭ୍ୟାସ ହେତୁ ସ୍ନାତକ ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇ ନ ଥିଲେ । ବର୍ତ୍ତମାନ ସୁଦ୍ଧା ରାଣୀ ୨୧୨ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୩୪ ଗୋଲ ସ୍କୋର କରିଛନ୍ତି।
Also Read
୧୯୯୪ ଡିସେମ୍ବର ୪ ତାରିଖରେ ହରିଆନାର କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ମରକନ୍ଦରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲା ଏହି କିମ୍ବଦନ୍ତୀ ଖେଳାଳିଙ୍କର। ତାଙ୍କ ବାପା ଟ୍ରଲି ଟାଣିଲେ ଘର ଚଳେ। ବହୁ କଷ୍ଟରେ ଘର ଚଳୁଥିବା ବେଳେ ସେତିକିବେଳେ ସେ ଦେଖୁଥିଲେ ହକି ଖେଳାଳିର ସ୍ୱପ୍ନ। ମାତ୍ର ୬ ବର୍ଷ ବୟସରୁ ସେ ହକି ପ୍ରତି ଆକର୍ଷିତ ହୋଇଥିଲେ। ୨୦୦୩ରେ ତାଙ୍କୁ ଯେତେବେଳେ ୯ ବର୍ଷ ସେ ଶାହାବାଦ ହକି ଏକାଡେମୀରେ ଦ୍ରୋଣାଚାର୍ଯ୍ୟ ବିଜେତା କୋଚ୍ ବଲ୍ଦେବ ସିଂହଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ। ତେବେ ଗ୍ୱାଲିଅର୍ କନିଷ୍ଠ ଜାତୀୟ ଓ ଚଣ୍ଡିଗଡ ସ୍କୁଲ୍ ଜାତୀୟ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ। ମାତ୍ର ୧୪ ବର୍ଷରେ ସେ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇବାର ସୁଯୋଗ ପାଇଥିଲେ।
ତେବେ ହକି ଖେଳାଳି ହେବା ସ୍ୱପ୍ନରୁ ଆରମ୍ଭ କରି ଆଜିର ଅଧିନାୟକ ପର୍ଯ୍ୟନ୍ତ ରାଣୀ ରାମ୍ପାଲ୍ ଯେଉଁ ଯନ୍ତ୍ରଣାଦାୟକ ଲମ୍ବା ଯାତ୍ରା କରିଛନ୍ତି ତାହା ଜାଣିଲେ ଯେ କେହି ବି ସ୍ତମ୍ଭୀଭୂତ ହୋଇଯିବ। ରାଣୀ କୁହନ୍ତି ଯେ “ଆର୍ଥିକ ଅନଟନ ଯୋଗୁଁ ସବୁଦିନ ଦୁଇ ଓଳି ଖାଇବାକୁ ମିଳୁ ନ ଥିଲା। ଘର ଭିତରେ ନର୍ଦ୍ଦମା ପାଣି ଭାସୁଥିଲା। ବାପା ଟ୍ରଲି ଟାଣି ପରିବାର ପୋଷୁଥିବା ବେଳେ ମା’ ପର ଘରେ କାମ କରୁଥିଲା। ଘର ପାଖରେ ଏକ ହକି ଏକାଡେମୀ ଥିଲା ସତ କିନ୍ତୁ ମୁଁ ସେଠାରେ ଖେଳିବାର ସୁଯୋଗ ପାଉ ନ ଥିଲି। କୋଚ୍ଙ୍କୁ ଅନୁରୋଧ କଲେ ମଧ୍ୟ ଅଭ୍ୟାସ ପୂରା କରିବା ନେଇ ମୋ ପାଖରେ ଶକ୍ତି ନାହିଁ ବୋଲି ସେ କହୁଥିଲେ। ମତେ ଦିନେ ଏକ ଭଙ୍ଗା ହକି ଷ୍ଟିକଟେ ମିଳିଯିବାରୁ ମୁ ସେହିଥିରେ ହିଁ ମୋର ଅଭ୍ୟାସ ଜାରି ରଖିଲି। କିଛି ଦିନ ପରେ ମୁ ଆଉଥରେ କୋଚ୍ଙ୍କୁ ଅନୁରୋଧ କରିବାରୁ ସେ ବହୁ କଷ୍ଟରେ ରାଜି ହେଲେ।”
ରାଣୀଙ୍କ କହିବା କଥା ପ୍ରତିଦିନ ବଡି ଭୋଅରୁ ଅଭ୍ୟାସ ଆରମ୍ଭ ହୁଏ। ସମସ୍ତକୁ ଅଧା ଲିଟର କ୍ଷୀର ନେଇ ଏକାଡେମୀକୁ ଆସିବା ବାଧ୍ୟତାମୂଳକ ଥିଲା। ଆମ ଘରେ ୨୦୦ ଏମ୍ଏଲ୍ ଦେଇପାରୁଥିଲେ। ତେଣୁ ମୁ ତାକୁ ଅଧା ଲିଟର କରିବା ନେଇ ସେଥିରେ ପାଣି ମିଶେଇ ଦେଉଥିଲି। ପରେ ମୋର ଆଗ୍ରହ ଓ ଦକ୍ଷତା ଦେଖି କୋଚ୍ ମୋ ପାଇଁ ହକି ଷ୍ଟିକ୍ ଆଉ ଜୋତା କିଣିଦେଲେ। ମୋତେ ତାଙ୍କ ଘରେ ରଖି ମୋର ସମସ୍ତ ଦାୟିତ୍ୱ ବି ନେଲେ। ମୋର ପରିଶ୍ରମ ମତେ ଆଗକୁ ନେଲା। ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ମତେ ୫୦୦ ଟଙ୍କା ମିଳିଥିଲା। ସେ ଟଙ୍କାକୁ ମୁ ମୋ ବାପାଙ୍କୁ ଦେଇଥିଲି, ସେ ବହୁତ ଖୁସି ହୋଇଯାଇଥିଲେ। ମୁଁ ସେତେବେଳେ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଆମର ବି ଗୋଟିଏ ନୂଆ ଘର ହେବ।”
ରାଣୀ ଆହୁରି କୁହନ୍ତି ଯେ “ମୁଁ ରାଜ୍ୟର ପ୍ରତିନିଧିତ୍ୱ କଲା ପରେ ଓ ବିଭିନ୍ନ ଚାମ୍ପିଅନ୍ସିପ୍ ଖେଳିବା ପରେ ୧୫ ବର୍ଷ ବୟସରେ ମୋତେ ଜାତୀୟ ଦଳ ପାଇଁ ସୁଯୋଗ ଆସିଥିଲା। ପରିବାରର ସମର୍ଥନ ମିଳିଲା। ଦେଶ ପାଇଁ କିଛି କରିବା ମୋର ଏକମାତ୍ର ଲକ୍ଷ ହୋଇଗଲା। ଶେଷରେ ମୋତେ ଭାରତୀୟ ଦଳର ଅଧିନାୟକ ପଦ ମଧ୍ୟ ମିଳିଲା। ୨୦୧୭ରେ ମୁ ମୋ ପ୍ରତିଶ୍ରୁତି ପୂରଣ କରି ମୋ ପରିବାର ପାଇଁ ଏକ ଘର କରିଲି। ଏତିକିରେ ମୋ ପ୍ରତିଶ୍ରୁତି ପୂରଣ ହୋଇନି। ମତେ ନେଇ ମୋ କୋଚ୍ ଓ ମୋ ପରିବାର ବର୍ଷ ବର୍ଷ ଧରି ସ୍ୱପ୍ନ ଦେଖିଛନ୍ତି। ଏ ବର୍ଷ ସେମାନଙ୍କୁ ଟୋକିଓରୁ ସ୍ୱର୍ଣ୍ଣ ପଦକ ଦେଇ ମୁଁ ମୋ ଋଣ ଶୁଝିବାକୁ ପ୍ରତିଜ୍ଞା କରିଛି।”