ମାଆ ପାଟି କରିବାରୁ ଛାତରୁ ଛୁଆକୁ ଫିଙ୍ଗିଦେଲା ବିଲେଇ

ଛାତ ଉପରେ ଝୁଲଣାରେ ଶୋଇଥିଲା ନବଜାତ ଶିଶୁ । ହଠାତ ମାଡ଼ି ଆସିଲା ଜଙ୍ଗଲୀ ବିଲେଇ । ଦାନ୍ତରେ କାମୁଡ଼ି ଛାତ ତଳକୁ ଫିଙ୍ଗିଦେଲା ।

Wild Cat Attack

ନବଜାତ ଶିଶୁକୁ ଛାତ ଉପରୁ ଫିଙ୍ଗିଦେଲା ଜଙ୍ଗଲୀ ବିଲେଇ । ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲା କଅଁଳା ଶିଶୁ । ଏମିତି ଭୟଙ୍କର ଘଟଣା ଉତ୍ତରପ୍ରଦେଶର ବୁଦାନ ଜିଲ୍ଲାରେ ଦେଖିବାକୁ ମିଳିଛି । ମାସରେ ଦ୍ୱିତୀୟ ଥର ପାଇଁ ଏହି ସମାନ ଘଟଣା ୟୁପିରେ ଘଟିଛି । ସୋମବାର ଏହି ଘଟଣା ଘଟିଥିବାର ପୋଲିସ ସୂଚନା ଦେଇଛି ।

ରେଶମା ଓ ତାଙ୍କ ସ୍ୱାମୀ ମହମ୍ମଦ ହାସନ ୟୁପିର ବୁଦାନ ଜିଲ୍ଲାର ଗୌଟରାପଟ୍ଟିରେ ଏକ ଭଡ଼ା ଘରେ ରହୁଥିଲେ । ହାସନ ଜଣେ ଦିନ ମଜୁରିଆ । ବିବାହର ୬ ବର୍ଷ ପରେ ତାଙ୍କର ଜାଆଁଳା ସନ୍ତାନ ଜନ୍ମ ହୋଇଥିଲା । ରେଶମାଙ୍କ କହିବାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଛୁଆଙ୍କୁ କ୍ଷୀର ପିଆଇ ଛାତ ଉପରେ ଝୁଲଣାରେ ଶୁଆଇ ଦେଇଥିଲେ । ଏହାପରେ ସେ ନିଜ ଘର କାମରେ ଲାଗି ପଡ଼ିଲେ ।

କିଛି ସମୟ ପରେ ରେଶମା ପୁଅ ରିହାନର କାନ୍ଦିବା ଶବ୍ଦ ଶୁଣିଥିଲେ । ସେ ଦୌଡ଼ି ଛାତକୁ ଗଲା ବେଳେ ଦେଖିଲେ ଯେ, ଗୋଟିଏ କଳା ରଙ୍ଗର ଜଙ୍ଗଲୀ ବିଲେଇଟି ରିହାନକୁ ପାଟିରେ ଜାବୁଡ଼ି ଧରିଛି । ରିହାନଙ୍କୁ ବଞ୍ଚାଇବା ପାଇଁ ସେ ଚିଲାଇବାରୁ ବିଲେଇଟି ଛାତରୁ ଡେଇଁ ପଡ଼ିଲା ଓ ଶିଶୁକୁ ଛାତ ତଳକୁ ଫିଙ୍ଗି ଦେଲା । ରେଶମା ତୁରନ୍ତ ରିହାନକୁ ମେଡିକାଲ ନେଇ ଯାଇଥିଲେ । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଶମାଙ୍କ ସ୍ୱାମୀ ହାସନଙ୍କ କହିବାନୁଯାୟୀ ସେ ଗତ ୧୫ ଦିନ ହେବ ଏକ ଜଙ୍ଗଲୀ ବିଲେଇକୁ ଘର ପାଖରେ ବୁଲୁଥିବାର ଦେଖିଥିଲେ ।

ପୋଲିସର କହିବାନୁଯାୟୀ ପରିବାରବର୍ଗ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ ନ କରାଇ ଶିଶୁର ଅନ୍ତିମ ସଂସ୍କାର କରିଦେଇଥିଲେ । ଯଦି କୌଣସି ଜଙ୍ଗଲୀ ଜନ୍ତୁ ଅଞ୍ଚଳରେ ବୁଲୁଛି, ତେବେ ସ୍ଥାନୀୟ ଲୋକେ ବନବିଭାଗକୁ ତୁରନ୍ତ ଜଣାଇବା ଦରକାର । ପୂର୍ବରୁ ମଧ୍ୟ ଯୁପିର ଆଗ୍ରା ଜିଲ୍ଲାର ବରୱାର ଗ୍ରାମରେ ଗୋଟିଏ ଦେଢ଼ ମାସର ଶିଶୁକୁ ଜଙ୍ଗଲୀ ବିଲେଇ ମାରି ଦେଇଥିଲା ।