Justin Trudeau
କୃଷି, ବାଣିଜ୍ୟ, ଟେକ୍ନୋଲୋଜିଠୁ ଆରମ୍ଭ କରି ପ୍ରତିରକ୍ଷା। ସବୁ କ୍ଷେତ୍ରରେ ଭାରତ ଓ କାନାଡ଼ା ମଧ୍ୟରେ ରହିଛି ନିବିଡ଼ ଦ୍ୱିପାକ୍ଷିକ ସହଯୋଗ। ଖାସ କରି ଇଣ୍ଡୋ ପାସିଫିକ ରଣନୀତିରେ ଭାରତର ଗୁରୁତ୍ୱ ସବୁଠୁ ଅଧିକ। କାରଣ ଭାରତର ବିନା ସହଯୋହ ଓ ଅଂଶୀଦାରୀରେ ଚୀନର ବିସ୍ତାରବାଦୀ ନୀତିର ମୁକାବିଲା କରିବା ଅସମ୍ଭବ। ନିଜ ଆଭ୍ୟନ୍ତରୀଣ ମାମଲାରେ ଚୀନ ହସ୍ତକ୍ଷେପରେ ଅତିଷ୍ଠ କାନାଡ଼ା ଇଣ୍ଡୋ-ପାସିଫିକ ସହଯୋଗକୁ ଦୃଢ଼ କରିବା ଲାଗି ବିପୁଳ ଅର୍ଥ ବି ବ୍ୟୟ କରୁଛି।
ମାତ୍ର କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ବାରତ ବିରୋଧୀ ମନ୍ତବ୍ୟ ଇଣ୍ଡୋ-ପାସିଫିକର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ତେବେ ଭାରତ ସହ ସହଯୋଗ ଅତିଗୁରୁତ୍ୱପୂର୍ଣ୍ଣ ଓ ଖଲିସ୍ତାନ ପ୍ରସଙ୍ଗ ଇଣ୍ଡୋ-ପାସିଫିକ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଆଶା ପ୍ରକାଶ କରିଛନ୍ତି କାନାଡ଼ା ପ୍ରତି ରକ୍ଷାମନ୍ତ୍ରୀ ବିଲ ବ୍ଲେୟାର। ମାତ୍ର ନିଜ୍ଜାର ହତ୍ୟା ମାମଲା ତଦନ୍ତରେ ସହଯୋଗ ଲାଗି ସେ ଭାରତକୁ କହିବା ତାଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି।
ମୋଦି ସରକାର ଅମଳରେ ଭରତର ବୈଦେଶିକ ନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଭାରତକୁ କେହି ନିଜ ଇଶାରାରେ ନଚାଇ ପାରିବେ ନାହିଁ ବୋଲି ନୂଆଦିଲ୍ଲୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି। ୟୁକ୍ରେନ ଯୁଦ୍ଧ ହେଉ କି ଋଷିଆଠାରୁ ପେଟ୍ରୋଲିୟମ କିଣିବା ପ୍ରସଙ୍ଗ, ୟୁରୋପୀୟ ଦେଶଙ୍କ ପ୍ରବଳ ଚାପସତ୍ତ୍ୱେ ଭାରତ ସ୍ୱାଧୀନଭାବେ ଦେଶ ସ୍ୱାର୍ଥରେ ନିଷ୍ପତ୍ତି ନେଇଛି। ଏଣୁ ଖଲିସ୍ତାନୀ ପ୍ରସଙ୍ଗରେ ଭାରତ ଆଦୌ ସାଲିସ କରିବ ନାହିଁ ବୋଲି କାନାଡ଼ା ବୁଝିବା ଦରକାର। ରାଜନୈତିକ ବାଧ୍ୟବାଧକତାରେ ଗୋଟିଏ ଗୋଷ୍ଠୀକୁ ସନ୍ତୁଷ୍ଟ କରିବାକୁ ଯାଇ କାନାଡ଼ା, ଭାରତ ଭଳି ଶକ୍ତିଶାଳୀ ଦେଶର ବିରୁଦ୍ଧାଚରଣ କରିଛି।
ତେବେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ କାନାଡ଼ା ପାଇଁ ବୁମେରାଂ ହେବ ବୋଲି କୁହାଯାଉଛି। ଖାସ କରି ଫାଇଭ୍ ଆଇ ସଦସ୍ୟ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ନିଜ୍ଜାର ପ୍ରସଙ୍ଗରେ କାନାଡାକୁ ସିଧାସଳଖ ସମର୍ଥନ ଦେଇନାହାନ୍ତି। ତେଣୁ ଆଗକୁ ଖଲିସ୍ତାନୀ ଆତଙ୍କବାଦ ଓ ନିଜ୍ଜାର ପ୍ରସଙ୍ଗ କେଉଁ ମୋଡ଼ ନେଉଛି ତା ଉପରେ ନଜର ରହିଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695782244.jpg)