ନଭେମ୍ବର ୧ରୁ ଭାରତରେ ଆରମ୍ଭ ହୋଇଛି ଡିଜିଟାଲ କରେନ୍ସି । ପାଇଲଟ ପ୍ରୋଗେକ୍ଟ ଭାବେ ଏହାକୁ RBI ପକ୍ଷରୁ ଆରମ୍ଭ କରାଯାଇଛି । ପ୍ରଥମେ ହୋଲସେଲ୍ ଆକରରେ ଏହାକୁ ଟ୍ରାଏଲ୍ ଭର୍ସନ୍ରେ ପ୍ରଚଳନ କରାଯାଇଛି । ଖୁଚୁରା ବଜାରରେ ବି ଏହାକୁ ଖୁବ୍ଶୀଘ୍ର ଟ୍ରାଏଲ୍ ବେସିସ୍ରେ ଛଡ଼ାଯିବ । ଏହି ଡିଜିଟାଲ କରେନ୍ସି ଯେତେବେଳେ ସମ୍ପୂର୍ଣ୍ଣ ରୂପେ ବଜାରକୁ ଆସିଯିବ ସେତେବେଳେ ଏକ ବିରାଟ ପରିବର୍ତ୍ତନ ଦେଖାଦେବ । ବ୍ୟବସାୟୀଙ୍କ ପାଇଁ ଏହା ଖୁବ୍ ଉପଯୋଗୀ ହେବ । ଡିଜିଟାଲ କରେନ୍ସି ପ୍ରଚଳନ ହେଲେ ଚୋରି କିମ୍ବା ଲୁଟ୍ର ଭୟ ରହିବ ନାହିଁ । ଏମିତିକି RBIର କହିବାନୁଯାୟୀ ଏହି ଡିଜିଟାଲ କରେନ୍ସି ସହ ବ୍ୟାଙ୍କର କୌଣସି ଲିଙ୍କ୍ ରହିବ ନାହିଁ । ଯାହାଫଳରେ ବ୍ୟାଙ୍କ ଆକାଉଣ୍ଟରୁ ଚୋରି କିମ୍ବା ଫ୍ରଡ୍ ଆଶଙ୍କା ରହିବ ନାହିଁ । ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ ।
ଅଧିକ ପଢ଼ନ୍ତୁ: ଜାଣନ୍ତି କି କଣ ଏହି ଡିଜିଟାଲ କରେନ୍ସି ?
Also Read
ତେବେ ପ୍ରଥମ ପର୍ଯ୍ୟାୟରେ ୯ଟି ବ୍ୟାଙ୍କ ଏହି ଡିଜଟାଲ କରେନ୍ସିର ଦାୟିତ୍ୱ ନେଇଛନ୍ତି । ଏଥିରେ ସ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଚ୍ଡିଏଫ୍ସି ବ୍ୟାଙ୍କ, ICICI ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, IDFC ବ୍ୟାଙ୍କ ଏବଂ HSBC ସାମିଲ ଅଛନ୍ତି । ଏହି ଇ-ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ । କେନ୍ଦ୍ରୀୟ ବ୍ୟାଙ୍କର ଇ ରୁପି ସେଟଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକସନ୍ ଖର୍ଚ୍ଚ କମିବ । ଏହା ଡିଜିଟାଲ ଫର୍ମରେ ଷ୍ଟୋର ହେବ । ଏହାକୁ ପେପର କରେନ୍ସିରେ ବଦଳାଯାଇପାରିବ ।
ସରଳ ଭାଷାରେ କହିଲେ ଏହା ହେଉଛି ଆମେ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ । ଗତ ବଜେଟ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପାଇଲଟ୍ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରିଥିଲେ ।
ତେବେ ଏହି ଡିଜିଟାଲ କରେନ୍ସି କ’ଣ ?
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରିବା ବେଳେ ଏକଥା କହିବା ପରେ ସାରା ଦେଶରେ ଏହି ଚର୍ଚ୍ଚା । ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ଏହି ଡିଜିଟାଲ ଟଙ୍କା ।
ଆମେମାନେ ସାଧାରଣତଃ କାଗଜରେ ତିଆରି ଟଙ୍କା ବ୍ୟବହାର କରୁଛୁ । ତେବେ ଏହି ଡିଜିଟାଲ ଟଙ୍କାକୁ କିଭଳି ବ୍ୟବହାର କରାଯିବ, ଏନେଇ ଏକ ଗାଇଡଲାଇନ୍ ଜାରି କରିବାକୁ ଯାଉଛି ଆରବିଆଇ । ବିଶ୍ୱ ବଜାରରେ କ୍ରିପ୍ଟୋ କରେନ୍ସିର ଚାହିଦା ବଢ଼ୁଥିବା ଦେଖି ଭାରତ ମଧ୍ୟ ନିଜ ଅର୍ଥନୀତିରେ ଏହାକୁ ଲାଗୁ କରିବାକୁ ଗୋଡ କାଢ଼ିଛି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରେ ଏହା ପ୍ରଚଳିତ ହେବ । ଏହା ଭିତରେ ବିଶେଷଜ୍ଞ ଶୁଣାଇଛନ୍ତି ଅଭୟବାଣୀ । ବ୍ୟସ୍ତ ହେବାର କାରଣ ନାହିଁ, ଡିଜିଟାଲ କରେନ୍ସି ଏବେକାର ପ୍ରଚଳିତ ମୁଦ୍ରାର ଭିନ୍ନ ଏକ ରୂପ ।
ବିଶେଷଜ୍ଞଙ୍କ ମତରେ, ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ହେଉଛି ଭାରତୀୟ ମୁଦ୍ରାର ଡିଜିଟାଲ ରୂପ । ଅନ୍ୟ କ୍ରିପ୍ଟୋକରେନ୍ସି ଭଳି ବ୍ଲକଟେନ୍ ଟେକ୍ନୋଲୋଜିରେ ତିଆରି ହେବ ଏହି ଡିଜିଟାଲ କରେନ୍ସି, ଯାହାକି ସମ୍ପୂର୍ଣ୍ଣ ନିରାପଦ । କାରଣ ଏ ଡିଜିଟାଲ କରେନ୍ସି ଏଣ୍ଡ-ଟୁ-ଏଣ୍ଡ ଏନ୍କ୍ରିପ୍ଟେଡ୍ ରହିବ, ଅର୍ଥାତ ଏହାକୁ ଚୋରି କରିବା ସହଜ ନୁହେଁ ।
ଡିଜିଟାଲ କରେନ୍ସି ପ୍ରସଙ୍ଗ ଶୁଣିବା ପରେ ସମସ୍ତଙ୍କ ମନରେ ସନ୍ଦେହ, ହଜିଯିବନି ତ ଆମେ ବ୍ୟବହାର କରୁଥିବା ନୋଟ୍ ଓ ମୁଦ୍ରା ? ବ୍ୟାଙ୍କରଙ୍କ ମତ, ଫିଜିକାଲ କରେନ୍ସିର ସ୍ଥାନ କେହି ନେଇପାରିବେ ନାହିଁ । କାରଣ ଏହା ଲୋକଙ୍କର ସବୁଠୁ ପସନ୍ଦର ଦେଣନେଣର ମାଧ୍ୟମ । ସରକାରଙ୍କ ଘୋଷଣା ପରେ ଡିଜିଟାଲ କରେନ୍ସି ବ୍ୟବହାରକୁ ଆନୁଷ୍ଠାନିକ ଅନୁମତି ମିଳିଛି ।
ତେଣେ ଆରବିଆଇ ଦ୍ୱାରା ପ୍ରଚଳିତ ହେବାକୁ ଯାଉଥିବା ଡିଜିଟାଲ କରେନ୍ସିକୁ କେବଳ ଲିଗାଲ ଟେଣ୍ଡର ମାନ୍ୟତା ମିଳିବ ବୋଲି ଅର୍ଥ ସଚିବ ଟିଭି ସୋମନାଥ ସ୍ପଷ୍ଟ କରିଛନ୍ତି । ବିଶ୍ୱର ଅନ୍ୟ କୌଣସି କ୍ରିପ୍ଟୋକୁ କେବେବି ଏହି ମାନ୍ୟତା ଦିଆଯିବ ନାହିଁ । ତେଣୁ ନିବେଶକାରୀ କ୍ଷତି ସହିଲେ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ ରହିବ ନାହିଁ ବୋଲି କୁହାଯାଉଛି ।