ଶେଷ ଯାତ୍ରା ହେଲା କାଉଡ଼ି ଯାତ୍ରା : ପାଣି ଢ଼ାଳିବା ପୂର୍ବରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୧୦ ମୃତ

୧୦ କାଉଡ଼ିଆଙ୍କ ଜୀବନ ନେଇଗଲା କରେଣ୍ଟ୍‌

ଭୋଳାନାଥଙ୍କ ଦର୍ଶନ ପୂର୍ବରୁ ମାଡ଼ି ଆସିଲା କାଳ

ଭୋଳାନାଥଙ୍କ ଦର୍ଶନ ପୂର୍ବରୁ ମାଡ଼ି ଆସିଲା କାଳ । କରେଣ୍ଟ୍‌ ଲାଗି ୧୦ କାଉଡ଼ିଆଙ୍କ ମୃତ୍ୟୁ । ପଶ୍ଚିମବଙ୍ଗ କୁଚବିହାରରେ ରବିବାର ରାତିରେ ବଡ଼ ଅଘଟଣ ଘଟିଯାଇଛି । ଭୋଳାନାଥଙ୍କ ପାଖକୁ ପାଣି ଢ଼ାଳିବାକୁ ଯାଉଥିବା୧୦ ଜଣ କାଉଡ଼ିଆ ବିଦ୍ୟୁତ୍ ସଂଯୋଗ ଯୋଗୁଁ ଜୀବନ ହରାଇଛନ୍ତି । ଜଲପେଶ ଥିବା ଏକ ଶିବ ମନ୍ଦିରକୁ ସମସ୍ତେ ଯାଉଥିବା କୁହାଯାଉଛି ।

ପାଖାପାଖି ୨୭ ଜଣ କାଉଡ଼ିଆ ଏକ ପିକଅପ୍‌ ଭ୍ୟାନ୍‌ରେ ଜଳଲାଗି କରିବା ପାଇଁ ବାହାରିଥିଲେ । ତେବେ ସେମାନେ ଯାଉଥିବା ଗାଡ଼ିରେ ଲାଗିଥିଲା ଡିଜେ । ଆଉ ଗାଡ଼ି ଭିତରେ ଏକ ଜେନେରେଟର ମଧ୍ୟ ରଖାଯାଇଥିଲା । ଜେନେରେଟରରେ ସର୍ଟସର୍କିଟ ହେତୁ ଗାଡିରେ କରେଣ୍ଟ ଲାଗିଥିଲା । ଫଳରେ ପିକଅପରେ ସବାର ଯାତ୍ରୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ତେବ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ‌ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପିକଅପ୍ ଡ୍ରାଇଭର ଫେରାର୍‌ ମାରିଛନ୍ତି ।

ସୂଚନା ଅନୁସାରେ ପିକଅପ୍ ଭ୍ୟାନରେ ମୋଟ୍‌ ୨୭ ଜଣ ଯାତ୍ରୀ ସବାର ଥିଲେ । ସେଥିମଧ୍ୟରୁ ୧୬ ଜଣଙ୍କୁ ଜାଲପାଇଗୁଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ପିକଅପ୍ ଭ୍ୟାନରେ ଡିଜେ ସିଷ୍ଟମରେ ଜେନେରେଟର ଲାଗିଥିବାରୁ ଏହି ଅଘଟଣ ଘଟିଥିବା ପୋଲିସ୍‌ କହିଛି । ପରିବାର ଲୋକଙ୍କୁ ଏଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଗାଡ଼ିକୁ ଜବତ କରାଯାଇଛି, କିନ୍ତୁ ଡ୍ରାଇଭର ଫେରାର ଅଛି । ତଦନ୍ତ ଆରମ୍ଭ କରିସାରିଥିବା ବେଳେ ଡ୍ରାଇଭର୍‌କୁ ଖୋଜୁଛି ପୋଲିସ୍ ।