ପାକିସ୍ତାନର ଫୁଟାଣି
ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୧୪୦ କୋଟି ଭାରତୀୟଙ୍କ କ୍ରୋଧ କମିବାର ନାଁ ନେଉନାହିଁ । ପାକିସ୍ତାନ ସହିତ କୌଣସି ପରିସ୍ଥିତିରେ ଆଉ ବନ୍ଧୁତା କରନାହିଁ ବୋଲି ୧୪୦ କୋଟି ଭାରତୀୟ ଚାହୁଁଛନ୍ତି। ଆମ ଦେଶରେ ଦିନ ଦ୍ବିପହରେ ମାରି ପଳାଇଲା, ସେମାନଙ୍କୁ ଛଡ଼ାଯିବା ଉଚିତ୍ ନୁହେଁ ବୋଲି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଏହି କଥା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧର ଭାବନା ବୃଦ୍ଧି ପାଉଛି। ଜମ୍ମୁ-କଶ୍ମୀରର ପହଲଗାମ୍ରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ନାଗରିକଙ୍କ ଜୀବନ ଯାଇଥିଲା। ଏହି ଆକ୍ରମଣ ସାରାଦେଶକୁ ଏବେ ବି ବୁଡ଼ାଇ ରଖିଛି।
ଏହି ଆକ୍ରମଣର ପ୍ରତିଶୋଧ ପାଇଁ ଭାରତ ପୁରା ଦମ୍ରେ ପ୍ରସ୍ତୁତ ରହିଛି। ସବୁ ପ୍ରକାର ପ୍ରାକ୍ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଆକ୍ରମଣ ପରେ ପୁରା ବିଶ୍ବରେ ଆତଙ୍କବାଦକୁ ବିରୋଧ କରି ଭାରତକୁ ଇସ୍ରାଏଲ, ଆମେରିକା ଓ ଋଷର ସମର୍ଥନ ରହିଛି। ଏତେ ସବୁ ପରେ ବି ପାକିସ୍ତାନ ମୁହଁତୋଡ଼ କମୁନି। ଏବେ ବି ଆତଙ୍କବାଦୀକୁ ସବୁଠି ସକ୍ରିୟ କରି ପାଳିବାକୁ ଇନ୍ଧନ ଯୋଗାଇଛି। ଏହି ଆକ୍ରମଣ ପରେ ପରେ ଭାରତୀୟ ବାୟୁସେନା ମୁଖ୍ୟଙ୍କ ସହିତ ତିନି ସେନା ମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବୈଠକ ସରିଛି।
ଏଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି। ଯେ କୌଣସି ମୂହୁର୍ତ୍ତରେ ଯୁଦ୍ଧ ହୋଇପାରେ। ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ଡ୍ରୋନ୍ ଓ ହେଲିକପ୍ଟରକୁ ମାତ୍ ଦେବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି।
ଆତଙ୍କବାଦର ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ ଭାରତ
ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବ ଭାରତ ନିଶ୍ଚିତ ରୂପେ ନେବ ବୋଲି ଅମିତ୍ ଶାହା କଡ଼ା ଚେତାବନୀ ଦେଇଛନ୍ତି । ଆତଙ୍କବାଦର ମୂଳପୋଛ ନ କରିବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ରହିପାରିବୁ ନାହିଁ। ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଆମ ସହ ପୂରା ବିଶ୍ବ ଅଛି ଆତଙ୍କବାଦର ଶେଷ ହେବା ପର୍ଯ୍ୟନ୍ତ ଭାରତ ଲଢ଼େଇ କରିବ ବୋଲି ଶ୍ରୀ ଶାହା କହିଛନ୍ତି। ସେହିପରି ମୋଦୀ ବି ବିହାରର ନିର୍ବାଚନୀ ପ୍ରଚାରରେ କହିଥିଲେ ପାତାଳରେ ଲୁଚିଥିଲେ ବି ଖୋଜି ଖୋଜି ମାରିବୁ । ଭାରତର ଆତ୍ମା ଉପରେ ଆକ୍ରମଣ କରି ଭୁଲ କରିଛନ୍ତି ଆତଙ୍କବାଦୀ । ଆତଙ୍କୀଙ୍କ ଭୂସ୍ବର୍ଗକୁ ମାଟିରେ ମିଶେଇ ଦେବୁ ବୋଲି କହି କଟୁ ଆକ୍ଷେପ କରିଥିଲେ ।
ଫୁଟାଣି ଛାଡ଼ୁଣି ପାକିସ୍ତାନ
୧୯୪୭ରେ ଏକାସାଙ୍ଗରେ ଭାରତ ଏବଂ ପାକିସ୍ତାନ ସ୍ବାଧୀନତା ପାଇଥିଲେ। ଏହା ଭିତରେ ବିତିଗଲାଣି ୭ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ। ୭ ଦଶନ୍ଧି ପରେ ଭାରତ ଓ ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ୬୮୮ ବିଲିୟନ ଡଲାର ଥିବାବେଳେ ପାକିସ୍ତାନ ମୁଦ୍ରା ଭଣ୍ଡାରରେ ମାତ୍ର ୧୫ ବିଲିୟନ ଡଲାର ରହିଛି। ଜଳବାୟୁ ସ୍ଥିରତା ନିମନ୍ତେ ପାକିସ୍ତାନ ଆଇଏମ୍ଏଫ୍ରୁ ୧.୩ ବିଲିୟନ ଡଲାର ଋଣ ପାଇଁ ନିବେଦନ କରିଛି। ଏହାକୁ ରୋକିବା ପାଇଁ ଭାରତ ଜୋରଦାର ଉଦ୍ୟମ କରୁଛି। ପାକିସ୍ତାନ ଏହି ଅର୍ଥ ନେଇ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗାଉଥିବା ଭାରତ ଅଭିଯୋଗ କରିଛି। ପାକିସ୍ତାନର ଅର୍ଥନୈତିକ ଗତିପଥ ଅସ୍ଥିରତା ଦ୍ୱାରା ପ୍ରଭାବିତ ହୋଇଛି। କିନ୍ତୁ ଭାରତ ସମୟ ତାଳ ଦେଇ ସବୁ ପରିସ୍ଥିତିର ମୁକାବିଲା କରିଛି। ଅନ୍ୟପକ୍ଷରେ ପାକିସ୍ତାନ ନିଜ ରାଷ୍ଟ୍ରର ଅର୍ଥନୀତିର ବିକାଶ ନ କରା ଆମେରିକା, ଚୀନ୍ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ରୁ ବାହ୍ୟ ସହାୟତା ଉପରେ କ୍ରମାଗତ ଭାବରେ ନିର୍ଭରଶୀଳ ହୋଇଗଲା। ଫଳ ସ୍ବରୂପ ପାକିସ୍ତାନ ଏବେ ସବୁ କ୍ଷେତ୍ରରେ ଦୁର୍ବଳ। ଏସବୁ ସତ୍ତ୍ବେ ବି ଫୁଟାଣି ମାରୁଛି ପାକିସ୍ତାନ। ବାରମ୍ବାର ଫାଙ୍କା ଭାଷଣ ଦେଇ ଭୟଭୀତ କରୁଛି ସମଗ୍ର ବିଶ୍ବବାସୀଙ୍କୁ।
କିଏ ଶକ୍ତିଶାଳୀ : ଭାରତ ନା ପାକିସ୍ତାନ
-ଭାରତ ପାଖରେ ମୋଟ ଏୟାରକ୍ରାଫ୍ଟ ୨୨୨୯ ଥିବା ବେଳେ ପାକିସ୍ତାନ ପାଖରେ ମାତ୍ର ୧୩୯୯
-ଭାରତ ପାଖରେ ୫୧୩ଟି ଫାଇଟର ଜେଟ୍ ଥିବା ବେଳେ ପାକିସ୍ତାନ ପାଖରେ ୩୨୮ଟି
-ହେଲିକପ୍ଟର: ଭାରତ ପାଖରେ ୮୯୯, ପାକିସ୍ତାନ ପାଖରେ ୩୭୩
-ଆଟାକ୍ ହେଲିକପ୍ଟର: ଭାରତ ପାଖରେ ୮୦, ପାକିସ୍ତାନ ପାଖରେ ୫
-ଆକ୍ରମଣାତ୍ମକ ଏୟାରକ୍ରାଫ୍ଟ: ଭାରତ ପାଖରେ ୧୩୦, ପାକିସ୍ତାନ ପାଖରେ ମାତ୍ର ୯୦
ପହଲଗାମ ଆକ୍ରମଣ ପରେ ୧୧ ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ
ଆତଙ୍କବାଦୀକୁ ପାଳିପୋଷି ମଣିଷ କରିଥିବା ଦେଶ ହେଉଛି ପାକିସ୍ତାନ। ଏକଥା ସାରା ବିଶ୍ବ ସ୍ବୀକାର କରୁଥିଲେ ବି ପାକିସ୍ତାନ ମାନିବାକୁ ନାରାଜ। ଭାରତ କ୍ରମାଗତ ଭାବେ ଅନେକ କଟକଣା କରିଥିଲେ ବି ଟିକିଏ ବି ଭୟଭୀତ ହେଉନି ପାକ୍। ଫଳରେ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି)ରେ ପାକିସ୍ତାନୀ ସେନାର ଉତ୍ପାତ ଜାରି ରହିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଲଗାତାର ୧୧ଥର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା।
ଅବଶ୍ୟ ଭାରତୀୟ ସେବା ଏହାର ମୁହଁତୋଡ଼ ଜବାବ ଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏଲଓସିର ଲମ୍ବ ହେଉଛି ୭୪୦ କିଲୋମିଟର। ଏହାର ଉଭୟ ପାର୍ଶ୍ୱରେ ଭାରତ-ପାକିସ୍ତାନ ସେନା ଏହାର ସୁରକ୍ଷାରେ ନିୟୋଜିତ ରହିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ କେହି କାହା ଉପରେ ଫାଙ୍କା ଗୁଳିଚାଳନା କରିବେ ନାହିଁ ବୋଲି ଅସ୍ତ୍ରବିରତି ଚୁକ୍ତି ସମ୍ପାଦିତ ହୋଇଥିଲା। କିନ୍ତୁ ଏହାକୁ ପାକିସ୍ତାନ ମାନିବାକୁ ନାରାଜ। ଚୁକ୍ତିରୁ ଊର୍ଦ୍ଧ୍ବରେ ରହି ଏପରି ନାରକୀୟ କାଣ୍ଡ ବାରମ୍ବାର ଘଟାଉଛି। ଯୁଦ୍ଧ କୌଣସି ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ତେବେ ଭାରତ ଯୁଦ୍ଧ କରିବାକୁ ଚାହୁଁ ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହେଉଛି। ଭାରତ ହେଉଛି ଶାନ୍ତିପ୍ରିୟ ଦେଶ। ପାକିସ୍ତାନ ବାରମ୍ବାର ଧୋକ୍କା ଦେଉଥିବାରୁ ଏଥର ଭାରତ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇସାରିଛି।
-Email id : : serveforthenation@gmail.com
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746515968.jpg)