ଜୋରଦାର ଚାଲିଥିଲା CMଙ୍କ ରୋଡ୍‌ ସୋ, ଫ୍ଲପ୍‌ କରିଦେଲା ମଞ୍ଚ ଭୁଶୁଡ଼ିବା ଭିଡିଓ

କିଛି କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ କିଛି ଜଣଙ୍କ ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଚାରି ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

CM Shivrajsingh Chauhan

ମଧ୍ୟପ୍ରଦେଶର ନିମଚରେ ଚାଲିଥିଲା ସିଏମ୍ ଶିବରାଜ ସିଂ ଚୌହାନଙ୍କ ଜୋରଦାର ରୋଡ୍ ସୋ । ଆଉ ଏହି ସମୟରେ ଘଟିଗଲା ଏକ ବିରାଟ ଦୁର୍ଘଟଣା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚ ଭୁଶୁଡ଼ି ପଡ଼ିଲା । ଏଥିରେ ଏକାଧିକ ଲୋକ ଗୁରୁତର ହେଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଗଲା । ଆଉ ସବୁଠାରୁ ବଡ଼ କଥା ହେଲା ଏହି ମଞ୍ଚ ଭୁଶୁଡ଼ିବା ଘଟଣାର ପୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମଞ୍ଚ ଠିକ୍‌ ସେତିକି ବେଳେ ଭୁଶୁଡ଼ିଲା ଯେତେବଳେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ ମଞ୍ଚ ପାଖରେ ପହଞ୍ଚିଥିଲା । ଆଉ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବି ସେହି ପାଖରେ ହିଁ ଥିଲେ ।

ମାନସାରେ ଜନପଦ୍ ପଞ୍ଚାୟତ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ୱାଗତ ମଞ୍ଚ ଭାଙ୍ଗିଯାଇଥିଲା । ଏଥିରେ କିଛି କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ କିଛି ଜଣଙ୍କ ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଚାରି ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବନ୍ଧା ଯାଇଥିବା ଏହି ମଞ୍ଚରେ କର୍ମୀଙ୍କ ଭିଡ଼ ବଢ଼ିବା କାରଣରୁ ତାହା ଭାଙ୍ଗିଯାଇଥିଲା । ଯେତେବେଳେ ରୋଡ୍‌ ସୋ ମଞ୍ଚ ପାଖାପାଖି ପହଞ୍ଚିଥିଲା ସେତେବେଳେ ମଞ୍ଚରେ କର୍ମୀଙ୍କ ଭିଡ଼ ବଢ଼ିଥିଲା । ଯାହାଫଳରେ ଏଭଳି ସ୍ଥିତି ଉପୁଜିଥିଲା ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶ କାର୍ଯ୍ୟରେ ସାମିଲ ହେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରୁଛନ୍ତି । ଏହି କ୍ରମରେ ଉଜ୍ଜେନ୍ ବି ସାମିଲ ଥିଲା । ଏଠାରେ ଗୋଟିଏ ଦିନରେ ୧୩ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହି ଅବସରରେ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଏକ ବିରାଟ ରୋଡ୍‌ ସୋର ଆୟୋଜନ ମଧ୍ୟ କରାଯାଇଥିଲା ।