ଚାକିରି ଶେଷ ହେବାର ୫ବର୍ଷ ପୂର୍ବରୁ ପଦ ଛାଡ଼ିଲେ UPSC ଅଧ୍ୟକ୍ଷ, ଜାଣନ୍ତୁ କାରଣ..

ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭୂତି ଦେଖାଇଥିବା ଅଭିଯୋଗ ହେବା ପରେ UPSCର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ୫ବର୍ଷ ପୂର୍ବରୁ ଆୟୋଗର ଅଧ୍ୟକ୍ଷ ମନୋଜ ସୋନି ଇସ୍ତଫା ନେଇ ଚର୍ଚ୍ଚା ଲାଗିରହିଛି ।

UPSC chairperson Manoj Soni resigns

ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ନେଇ ଚାଲିଥିବା ବିବାଦ ଭିତରେ ଇସ୍ତଫା ଦେଲେ ୟୁନିଅନ ପବ୍ଲିକ ସର୍ଭିସ କମିସନ (UPSC) ଅଧ୍ୟକ୍ଷ ମନୋଜ ସୋନି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ପୂଜା ଖେଡକରଙ୍କ ଚୟନ ଅନିୟମିତତାକୁ ନେଇ ୟୁପିଏସସି ବିବାଦ ଘରରେ ଥିବା ବେଳେ ହଠାତ ପଦ ଛାଡିଛନ୍ତି ମନୋଜ ସୋନି।

ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ କାର୍ଯ୍ୟକାଳ ଶେଷ ହେବାର ୫ବର୍ଷ ପୂର୍ବରୁ ସେ ଆୟୋଗର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ରରେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଏଥିସହ କହିଛନ୍ତି, ବର୍ତ୍ତମାନ UPSCକୁ ନେଇ ଚାଲିଥିବା ବିବାଦ ସହ ଏହାର କୌଣସି ସମ୍ପୃକ୍ତି ନାହିଁ। ମନୋଜ ସୋନି ୨୦୧୭ ମସିହାରେ ୟୁପିଏସ୍‌ସିର ସଦସ୍ୟ ହୋଇଥିଲେ। ଗତବର୍ଷ ମେ’ ୧୬ ତାରିଖରେ କେନ୍ଦ୍ର ଜନସେବା ଆୟୋଗର ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୯ ମସିହା ମେ’ ୧୫ ତାରିଖ ଯାଏ ଥିଲା । ମାତ୍ର ଚାକିରିର ୫ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

ମନୋଜ ସୋନି ପ୍ରାୟ ଏକ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିଲେ। ତେବେ ତାଙ୍କ ଇସ୍ତଫା ଗ୍ରହଣ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବୃତ୍ତିଗତ ଭାବେ ମନୋଜ ସୋନି ଜଣେ ଶିକ୍ଷାବିତ। ସେ ଏକାଧିକ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ୨୦୦୫ରେ ବରୋଦାର ମହାରାଜ ଶାଓଜୀରାଓ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦେଶର ସର୍ବକନିଷ୍ଠ କୁଳପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ ମସିହାରେ ୟୁପିଏସ୍‌ସିରେ ନିଯୁକ୍ତ ହେବା ପୂର୍ବରୁ ସୋନି ଗୁଜୁରାଟର ଦୁଇଟି ବିଶ୍ୱବିଦ୍ୟାଳୟରେ କୁଳପତି ଭାବରେ ତିନି ଥର କାର୍ଯ୍ୟ କରିଥିଲେ। ସେ ୨୦୦୯ ମସିହାରୁ ୨୦୧୫ ପର୍ଯ୍ୟନ୍ତ ଗୁଜୁରାଟର ଡକ୍ଟର ବାବାସାହେବ ଆମ୍ବେଦକର ଓପନ୍ ୟୁନିଭରସିଟିର କୁଳପତି ଭାବରେ କାର୍ଯ୍ୟ କରିଥିଲେ।

ତେବେ ମହାରାଷ୍ଟ୍ରର ଟ୍ରେନି ଆଇଏଏସ ପୂଜା ଖେଡକାରଙ୍କ ମାମଲାରେ UPSC ବିବାଦ ଘେରରେ ରହିଛି । ପୂଜାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର ହୋଇଛି । ପୂଜା ନିଜ ଆୟ ପ୍ରମାଣପତ୍ର ଓ ଶାରିରୀକ ଭିନ୍ନକ୍ଷମତା ସମ୍ପର୍କରେ ମିଥ୍ୟା ମେଡିକାଲ ପ୍ରମାଣପତ୍ର ଦେଇ ଚୟନ ହେଇଥିବା ଅଭିଯୋଗ ହୋଇଥିଲା । ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭୂତି ଦେଖାଇଥିବା ଅଭିଯୋଗ ହେବା ପରେ UPSCର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ ୫ବର୍ଷ ପୂର୍ବରୁ ଆୟୋଗର ଅଧ୍ୟକ୍ଷ ମନୋଜ ସୋନି ଇସ୍ତଫା ନେଇ ଚର୍ଚ୍ଚା ଲାଗିରହିଛି ।