ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ଲାଉଡସ୍ପିକର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ

ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍‌ସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ ।

ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ସରକାର

ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ସରକାର । ମନ୍ଦିର, ମସଜିଦ ଠାରୁ ଚର୍ଚ୍ଚ ଓ ଗୁରୁଦ୍ୱାରା ପର୍ଯ୍ୟନ୍ତ ସବୁ ଧର୍ମାନୁଷ୍ଠାନରୁ ଖୋଲା ଚାଲିଛି ମାଇକ । ଯେଉଁ କେତେଟା ଲାଉଡ ସ୍ପିକର ଲଗାଇବାକୁ ଅନୁମତି ଦିଆଯାଇଛି, ସେସବୁର ଶବ୍ଦ ଯେପରି ପରିସର ବାହାରକୁ ନଯାଏଁ, ସେଥିପାଇଁ ତାଗିଦ କରାଯାଇଛି । ଏବେ ସୁଦ୍ଧା ପ୍ରାୟ ୧୧ ହଜାର ଲାଉଡ ସ୍ପିକର ବିଭିନ୍ନ ଧର୍ମାନୁଷ୍ଠାନରୁ ବାହାର କରାସାରିଲାଣି ଉତ୍ତର ପ୍ରଦେଶ ପୋଲିସ । ୩୫ ହଜାର ଲାଉଡ ସ୍ପିକରର ଭଲ୍ୟୁମ କମ୍ କରାଯାଇଛି ।

ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍‌ସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ । ଏହାପରେ ସଂପୃକ୍ତ ସ୍ଥଳର ଧର୍ମଗୁରୁମାନଙ୍କ ସହ ଆଲୋଚନା କରି କିଛି ଲାଉଡ୍‌ସ୍ପିକରକୁ ହଟାଇ ଦିଆଯାଇଥିବା ବେଳେ ଆଉ କିଛିର ଶବ୍ଦ ଯେପରି ପରିସର ଭିତରେ ହିଁ ସୀମିତ ରହେ ସେ ଦିଗରେ ପଦକ୍ଷେପ ନିଆଯାଇଛି । ଏଭିତରେ ସରକାରୀ ନିୟମକୁ ବେଖାତିର କରି ବିଭିନ୍ନ ଧର୍ମାନୁଷ୍ଠାନ ପରିସରରେ ଲାଉଡସ୍ପିକର ଲଗାଉଥିବା ଅଭିଯୋଗ ଆସିବା ପରେ, ପୋଲିସ ବିଶୁ କାମ୍ବୋଜ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ସେପଟେ ୟୁପି ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଦୂରଇ ରହିବା ପାଇଁ ସରକାର ଏଥିରେ ମାତିଥିବା ସେ କହିଛନ୍ତି । ସେପଟେ ଆସନ୍ତା ୩ ତାରିଖରେ ପାଳନ ହେବାକୁ ଥିବା ଇଦ୍ ଏବଂ ଅକ୍ଷୟ ତୃତୀୟାକୁ ଶ୍ରଦ୍ଧା ଓ ଆନନ୍ଦର ସହ ମନାଇବାକୁ ସବୁ ସଂପ୍ରଦାୟକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।