ଦେଶର ରାଜଧାନୀ ଦିଲ୍ଲୀ ପ୍ରଦୂଷିତ ହେବାରେ ଲାଗିଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା କମିବାର ନାଁ ଧରୁନାହିଁ। ଧୂଆଁର ଏକ ସ୍ତର ଚାରିଆଡ଼େ ଘେରି ରହିଛି। ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ସେପଟେ ତାପମାତ୍ରା ହ୍ରାସ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ପ୍ରଦୂଷଣକୁ ନଜରରେ ରଖି ସରକାର ସମାଧାନ ନଖୋଜି ଖାଲି ବିତର୍କରେ ରହିଲେ କିଛି ବି ନିଷ୍କର୍ଷ ବାହାରିବ ନାହିଁ। ରାଜନୀତିରୁ ଊର୍ଦ୍ଧ୍ବରେ ରହି ବାୟୁ ପ୍ରଦୂଷଣକୁ ରୋକିବାକୁ ସବୁ ଦଳ ଚେଷ୍ଟା କରିବା ଜରୁରୀ। ଦିଲ୍ଲୀରେ ଏପରି ସମସ୍ୟା ଯୋଗୁଁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲୋକଙ୍କୁ ଗଳା ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ହେଉଛି।
କାହିଁକି ବଢ଼ୁଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ
ଦିଲ୍ଲୀର ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରଦୂଷଣକାରୀ ଗାଡ଼ି ଓ କାର୍ଯ୍ୟକଳାପ ଉପରେ କଡ଼ା କଟକଣା ଜାରି ସତ୍ତ୍ବେ ସ୍ଥିତିରେ ସୁଧାର ଆସିପାରୁନାହିଁ। ପାକିସ୍ତାନ, ଆଫଗାନିସ୍ତାନ ଯୋଗୁଁଁ ବଢୁଛି ଦିଲ୍ଲୀର ପ୍ରଦୂଷଣ। ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ ପାକିସ୍ତାନର ଦୁଇଟି ସହର ଲାହୋର ଓ ମୁଲତାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୦୦୦ ଅତିକ୍ରମ କରିବା ପରେ ପାକିସ୍ତାନ ସରକାର ଏହି ଦୁଇ ସହରରେ ସମ୍ପୂର୍ଣ୍ଣ ଲକଡାଉନ ନିର୍ଦେଶ ଦେଇଛନ୍ତି।
ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତିବର୍ଷ ଶୀତଦିନେ ବିପଜ୍ଜନକ ସ୍ତର ଅତିକ୍ରମ କରିଥାଏ। ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଚାଷ ଜମିରେ ନିଆଁ ଲାଗିଥାଏ। ଯାହା ଫଳରେ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଦ୍ରୁତ ଗତିରେ ବଢିବାରେ ଲାଗେ। ଏଇ ନିକଟରେ ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ସାଟେଲାଇଟ୍ ଫଟୋ ଜାରି କରିଛି, ଯେଉଁଥିରେ ଭାରତ ଓ ପାକିସ୍ତାନର ଏକ ବଡ଼ ଅଂଶ କଳା ଧୂଆଁରେ ଆଚ୍ଛାଦିତ ହୋଇଛି। ଶୀତଦିନେ ଭାରତର ୭୨ ପ୍ରତିଶତ ବାୟୁ ଉତ୍ତର ପଶ୍ଚିମ ଦିଗରୁ ଆସିଥାଏ। ଏହି ପବନ ରାଜସ୍ଥାନ, ପାକିସ୍ତାନ ଓ ଆଫଗାନିସ୍ତାନର ଧୂଳି ମାଟି ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଦିଲ୍ଲୀର ବାୟୁ ପ୍ରଦୂଷଣର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।
ବାୟୁ ପ୍ରଦୂଷଣ : ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ
ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ କ୍ଷୁବ୍ଧ। ଏକ ଶୁଣାଣିରେ କୋର୍ଟ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଉତ୍ତର ସନ୍ତୋଷଜନକ ନୁହେଁ। ଦିଲ୍ଲୀର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି। ଏକ୍ୟୁଆଇ ସ୍ତର ୯୯୦ରୁ ଅଧିକ ରହିଛି। ଦିଲ୍ଲୀ ଏବଂ ଏନସିଆରରେ ଏକ୍ୟୁଆଇ ସ୍ତର ଅନେକ ସ୍ଥାନରେ ୯୯୯ ଦେଖାଯାଉଥିଲା। ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି। ୯୯୯ର ଅର୍ଥ ହେଉଛି ସ୍ବାସ୍ଥ୍ୟ ପାଇଁ ଦିଲ୍ଲୀ ଅନୁପଯୁକ୍ତ ହୋଇଯାଇଛି। ଏକ୍ୟୁଆଇ ମିଟରରେ ୯୯୯ରୁ ଅଧିକ ସ୍ତର ଦେଖାଏ ନାହିଁ। ଏହା ହିଁ ସର୍ବୋଚ୍ଚ ସ୍ତର। ତେଣୁ ଦିଲ୍ଲୀ ଏବେ ସବୁଠାରୁ ବିପଦଜ୍ଜନକ ସ୍ଥାନ ହୋଇପଡ଼ିଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରଦୂଷଣ ମୁକ୍ତ ପରିବେଶ ନିଶ୍ଚିତ କରିବା ରାଜ୍ୟ ଓ କେନ୍ଦ୍ରର ସାମ୍ବିଧାନିକ ଦାୟିତ୍ୱ। ସରକାର ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ୍। ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) ଅନ୍ତର୍ଗତ ସମସ୍ତ ରାଜ୍ୟରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ (ଜିଆର୍ଏପି) ଚତୁର୍ଥ ପର୍ଯ୍ୟାୟ ତୁରନ୍ତ ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀରେ ବାୟୁ ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିଲେ ମଧ୍ୟ ସରକାର ଏହାର ପ୍ରତିକାର ପାଇଁ କଠୋର ପଦକ୍ଷେପ ନେବାରେ ବିଳମ୍ବ କରୁଛନ୍ତି। ବାୟୁ ପ୍ରଦୂଷଣ ରୋକିବାକୁ ଜିଆର୍ଏପି ପ୍ରଥମେ ୨୦୧୭ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିଲା। ବାୟୁ ଗୁଣବତ୍ତା ଅନୁଯାୟୀ ଏହାର ବିଭିନ୍ନ ପର୍ଯ୍ୟାୟ ଲାଗୁ କରାଯାଇଥାଏ। ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ରହିଲେ ଜିଆର୍ଏପିର ପ୍ରଥମ ପର୍ଯ୍ୟାୟ ଲାଗୁ ହେଉଥିବାବେଳେ ଏହି ସ୍ତର ୩୦୧ରୁ ୪୦୦ ରହିଲେ ଦ୍ୱିତୀୟ ପର୍ଯ୍ୟାୟ, ୪୦୧ରୁ ୪୫୦ ରହିଲେ ତୃତୀୟ ପର୍ଯ୍ୟାୟ ଏବଂ ୪୫୦ ଟପିଲେ ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥାଏ। କେତେକ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସ୍ଥିତିରେ ସୁଧାର ଆସିନାହିଁ।
ତେଜିଲାଣି ରାଜନୀତି
ଦିଲ୍ଲୀର ବିଷାକ୍ତ ବାୟୁକୁ ନେଇ କଂଗ୍ରେସ ଏମପି ଶଶି ଥରୁର ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି। ସେ ଏଥିରେ କହିଛନ୍ତି, ଦିଲ୍ଲୀ ଆନୁଷ୍ଠାନିକ ଭାବରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର, ବିପଜ୍ଜନକ ସ୍ତରର ଚାରି ଗୁଣ ଏବଂ ଦ୍ୱିତୀୟ ପ୍ରଦୂଷିତ ସହର ଢାକା ଠାରୁ ପ୍ରାୟ ପାଞ୍ଚ ଗୁଣ ଖରାପ। ଆମ ସରକାର ବର୍ଷ ବର୍ଷ ଧରି ଏହି ଦୁଃସ୍ବପ୍ନ ଦେଖୁଛନ୍ତି, କିନ୍ତୁ କିଛି କରିପାରୁନାହାନ୍ତି। ମୁଁ ୨୦୧୫ ପରଠାରୁ ସଂସଦୀୟ ସଦସ୍ୟଙ୍କ ସମେତ ବିଶେଷଜ୍ଞ ଏବଂ ଭାଗଚାଷୀଙ୍କ ପାଇଁ ବାୟୁ ଗୁଣବତ୍ତା ରାଉଣ୍ଡ ଟେବୁଲ ଆୟୋଜନ କରିସାରିଛି। କିନ୍ତୁ ଗତ ବର୍ଷ ଏହାକୁ ଛାଡି ଦେଇଥିଲି କାରଣ କିଛି ପରିବର୍ତ୍ତନ ହୋଇନଥିଲା ଏବଂ କେହି ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ। ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ଏହି ସହରଟି ନିଛାଟିଆ ଏବଂ ବର୍ଷର ଅବଶିଷ୍ଟ ସମୟ ଏଠାରେ ଅତି କଷ୍ଟରେ ରହିବାକୁ ପଡ଼ିବ। ଏହା ଦେଶର ରାଜଧାନୀ ରହିବା ଉଚିତ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଦିଲ୍ଲୀ ସରକାରଙ୍କୁ ସ୍ଥାନୀୟ ଲୋକେ ମଧ୍ୟ ସମାଲୋଚନା କରିଛନ୍ତି।
ବିତର୍କ ନୁହେଁ, ସମାଧାନ ଖୋଜନ୍ତୁ
ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଆଗକୁ ଗ୍ରାପ୍-୪ କଟକଣା ଜରି ରହିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଦିଲ୍ଲୀ ପ୍ରଦୂଷଣ ରୋକିବା ଦିଗରେ ସିଏକ୍ୟୁଏମର ପଦକ୍ଷେପ ସଂପର୍କରେ ପ୍ରଦୂଷଣ ପରିଚାଳନା ବୋର୍ଡ ସୂଚନା ଦେଇଛି ଯେ, ରାଜଧାନୀକୁ ଟ୍ରକ୍ ପ୍ରବେଶ ଉପରେ ବିଶେଷ ଧ୍ୟାନ ଦେବା ଲାଗି ସିଏକ୍ୟୁଏମ୍ ଦିଲ୍ଲୀ ପୁଲିସ କମିଶନର, ଟ୍ରାଫିକ୍ ସ୍ବତନ୍ତ୍ର କମିଶନ, ଅତିରିକ୍ତ ମୁଖ୍ୟ ସଚିବ, ପରିବହନ କମିଶନର, ଏମସିଡି କମିଶନରଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ତେବେ କଥା ହେଉଛି ଏତେ ସବୁ ପ୍ରସ୍ତୁତି ଆଉ ସଜାଗ ପରେ ବି କାହିଁକି ରୋକାଯାଇପାରୁନି ଏଭଳି ସମସ୍ୟା। ପ୍ରତିବର୍ଷ ଏ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜନତା। ଏହାକୁ ନେଇ ନାନା ବିତର୍କ ଲାଗିଥିଲେ ବି ଏହାର କୌଣସି ସରଳ ସମାଧାନ ହୋଇପାରୁନାହିଁ। ପରିସ୍ଥିତି ଭୟଙ୍କର ହେବା ପୂର୍ବରୁ ସ୍ଥିତିରେ ବିରାମ ଲାଗିବା ଆବଶ୍ୟକ, ନ ହେଲେ ଏଥିରେ ଅଣନିଃଶ୍ବାସୀ ହୋଇ ସ୍ଥିତି ଆହୁରି ବିଗିଡ଼ିଯିବ, ଏଥିରେ ସନ୍ଦେହ ନାହିଁ।
-E-mail id: serveforthenation@gmail.com