ଦିନକ ପରେ ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି, ହାଲୁକା ହେବ କି ଆୟକର ବୋଝ ?

ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Union Budget

ଦିନକ ପରେ ସାଧାରଣ ବଜେଟ୍ । ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମୋଦି ସରକାର ଏଥର ବଜେଟରେ ଦେଶବାସୀଙ୍କର, ଖାସ୍ କରି ମଧ୍ୟବିତ୍ତ ଓ ସାଧାରଣ ବର୍ଗର ଆଶା ଆକାଂକ୍ଷା ପୂରଣ ପାଇଁ କିଭଳି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।

ଏଥର ବଜେଟରେ ହାଲୁକା ହେବ କି ଆୟକର ବୋଝ ? ମଧ୍ୟବିତ୍ତ ଓ ବେତନଭୋଗୀଙ୍କୁ ମିଳିବ କି 'ଟିକସ' ଆଶ୍ବସ୍ତି ? ଆଉ ଦିନକ ପରେ ଖୋଲିବ ନିର୍ମଳାଙ୍କ 'ବଜେଟ୍' ପେଡ଼ି । ଆସନ୍ତା ମଙ୍ଗଳବାର ମୋଦି ସରକାର 3.0ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ବେଳେ, ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ଏହାକୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ବଜେଟ୍ ଉପରେ ସାରା ଦେଶର ନଜର ଥିବା ବେଳେ, ଆୟକରରେ କିଛି ଆଶ୍ବସ୍ତି ମିଳିପାରେ ବୋଲି ଆଶାବାଦୀ ଅଛନ୍ତି ମଧ୍ୟବିତ୍ ଓ ବେତନଭୋଗୀ ।

ଗତବର୍ଷର ବଜେଟରେ ଆୟକରଦାତାଙ୍କୁ ଆଶ୍ବସ୍ତି ଦେଇଥିଲେ ନିର୍ମଳା । ନୂଆ ରେଜିମ୍‌ରେ ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ପାଇଁ କୌଣସି ଟିକସ ଦେବାକୁ ପଡ଼ୁନଥିଲା । ହେଲେ ପୁରୁଣା ରେଜିମ୍ ଯଥାବତ୍ ରହିଥିଲା । ତେବେ ଏଥର ଉଭୟ ବ୍ୟବସ୍ଥାରେ ଆୟକର ଛାଡ଼ ସୀମା ବୃଦ୍ଧି ସହ ଟିକସ ହାର କୋହଳ ହେଉ ବୋଲି ମତ ରଖିଛନ୍ତି ଅର୍ଥନୀତି ବିଶାରଦ । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ସହ, 80 C ଅଧୀନରେ ଦେଢ଼ ଲକ୍ଷ ଟଙ୍କାର ଡିଡକ୍ସନ ଆହୁରି ବଢ଼ିବା ଦରକାର ବୋଲି କହିଛନ୍ତି ।

ଡାଲି, ଚାଉଳ.. ଆଳୁ, ପିଆଜ ଓ ପରିବାଠୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ । ସବୁଥିରେ ଦର ବଢ଼ି ଚାଲିଛି । ତେଣୁ ଗତ ୧୦ ବର୍ଷରେ ବଢ଼ିଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି, ଏଥର ସାଧାରଣ ଖାଉଟିଙ୍କ ପକେଟକୁ ସୁହାଇଲା ଭଳି ବଜେଟ୍ ହେଉ ବୋଲି ଆଶା ରଖିଛନ୍ତି ଗୃହିଣୀ ଓ ଆୟକରଦାତା । ତେଣୁ ଟ୍ୟାକ୍ସ ସ୍ଲାବରେ ସଂସ୍କାର ଜରୁରୀ ବୋଲି ମତ ପ୍ରକାଶ ପାଉଛି ।

ଏବେ କିଛି ଏଭଳି ରହିଛି ପୁରୁଣା ଓ ନୂଆ ରେଜିମର ଆୟକର ସ୍ଲାବ। ତେବେ ଏଥିରେ ସଂସ୍କାର ଆଣି, ଆୟକର ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି କରିଛି ଅଲ୍ ଇଣ୍ଡିଆ ଫେଡେରେସନ ଅଫ୍ ଟ୍ୟାକ୍ସ ପ୍ରାକ୍ଟିସନର୍ସ । ଆୟକର ସ୍ଲାବକୁ ୫ ରୁ ୧୦ ଲକ୍ଷ ପାଇଁ ୧୦ ପ୍ରତିଶତ, ୧୦ ରୁ ୨୦ ଲକ୍ଷ ପାଇଁ ୨୦ ପ୍ରତିଶତ ଓ ୨୦ ଲକ୍ଷରୁ ଅଧିକ ପାଇଁ ୨୫ ପ୍ରତିଶତ କରିବାକୁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛି AIFTP । ଏପଟେ ଦରଦାମ ହ୍ରାସ ଦିଗରେ ସରକାର ବଜେଟରେ ବ୍ୟବସ୍ଥା କଲେ, ସାଧାରଣ ବର୍ଗଙ୍କ ସଞ୍ଚୟ ଆଉ ସଂକୁଚିତ ନ ହୋଇ ବୃଦ୍ଧି ପାଇପାରିବ ବୋଲି ଅର୍ଥନୀତି ବିଶାରଦ ଆଶା ରଖିଛନ୍ତି।

୨୦୨୭ ସୁଦ୍ଧା ଭାରତକୁ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ମାନୁଫାକ୍ଚରିଂ ଓ ହାଉସିଂ ନିର୍ମଳାଙ୍କ ଫୋକସରେ ରହିପାରେ। ଏଥିସହ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ ଓ ପର୍ଯ୍ୟଟନକୁ ବି ଗୁରୁତ୍ବ ମିଳିବ ବୋଲି ଆଶା କରାଯାଉଛି ।