ଉଦୟପୁର ଟେଲର୍‌ ହତ୍ୟାକାଣ୍ତ: ଗୁଜବ୍‌ରେ ବିଶ୍ୱାସ ନକରିବାକୁ ଡିଜିପିଙ୍କ ଅପିଲ୍‌

ଉଦୟପୁରରେ ଜଣେ ଟେଲରଙ୍କୁ ଗଳାକାଟି ନୃଶଂସ ହତ୍ୟା ପରେ ବଢ଼ୁଥିବା ଉତ୍ତେଜନା ଧିରେ ଧିରେ ଶାନ୍ତ ହେଲାଣି ।

Udaipur Beheading

ରାଜସ୍ଥାନ ଉଦୟପୁରରେ ଫେରୁଛି ଶାନ୍ତି । କର୍ଫ୍ୟୁ ସାମାନ୍ୟ କୋହଳ ହୋଇଥିବା ବେଳେ ଆଗକୁ ସ୍ଥିତି ଦେଖି ନିୟମ କୋହଳ କରାଯିବା ନେଇ ପୋଲିସ କହିଛି । ଲୋକେ ଏବେ ଘରୁ ବାହାରକୁ ଆସି କିଣାକିଣି କରୁଛନ୍ତି । ଯାତାୟାତ ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ହେଲାଣି । ତେବେ ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି । କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଉଦୟପୁର ଆଡିସନାଲ ଡିଜିପି ଲୋକଙ୍କୁ ଅପିଲ୍ କରିଛନ୍ତି ।

ଉଦୟପୁରରେ ଜଣେ ଟେଲରଙ୍କୁ ଗଳାକାଟି ନୃଶଂସ ହତ୍ୟା ପରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ସ୍ଥିତିକୁ ଦେଖି ସାରା ରାଜ୍ୟରେ ୧୪୪ ଧାରା ଲାଗୁ କରାଯିବା ସହ ଉଦୟପୁରରେ କର୍ଫ୍ୟୁ ଲଗାଯାଇଥିଲା । ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୦ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇ ଦେଇଛନ୍ତି । ଏନ୍‌ଆଇଏ ମାମଲାର ଛାନ୍‌ଭିନ୍‌ ଚଳାଇଛି ।

ଉଦୟପୁର ଘଟଣାର ପ୍ରତିବାଦ କରି ରାଜସ୍ଥାନ ଢୋଲପୁରରେ ବନ୍ଦ ପାଳନ ହୋଇଛି । ଢୋଲପୁର ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ଢୋଲପୁରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଡ୍ରୋନ୍ ଯୋଗେ ସ୍ଥିତି ଉପରେ ନଜର ରଖିଛି ପୋଲିସ । ତେବେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହେଉଥିବା ଢୋଲପୁର ଆଡିସନାଲ୍ ଏସ୍ପି କହିଛନ୍ତି ।