ଆଜି ହେବ ସବୁଠୁ ବଡ଼ ରାତି। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍। ଅର୍ଥାତ୍ ୧୩ ଘଣ୍ଟା ୧୯ ମିନିଟ୍ ରହିବ ରାତିର ଅବଧି। ସେହିପରି ସବୁଠୁ ଛୋଟ ଦିନ ବି ଦେଖିବେ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା। ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍। ତେବେ ସ୍ଥଳ ବିଶେଷରେ ଏହା କମ୍ ବେଶୀ ହୋଇପାରେ।
ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ଛୋଟ ଓ ରାତି ସବୁଠୁ ବଡ଼ ହୁଏ। ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଉତ୍ତର ଗୋଲାର୍ଦ୍ଧରେ ଯେତେବେଳେ ଶୀତଋତୁ ହୋଇଥାଏ ସେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ। ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହେଲେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ।’
ଅଧିକ ପଢ଼ନ୍ତୁ: ସ୍ମୃତିର ଆଇନାରେ . . .୨୦୨୨ରେ ଦୁନିଆକୁ ଛାଡ଼ି ଯାଇଛନ୍ତି ଏହି ବିଶିଷ୍ଟ ବ୍ୟକ୍ତିତ୍ୱ
ପ୍ରତ୍ୟେକ ବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଛୋଟ ଦିନ ହୋଇଥାଏ। ତେବେ ଭୁବନେଶ୍ୱରରେ ଆଜି ଓ କାଲି ଦିନ-ରାତି ମଧ୍ୟରେ ବେଶୀ ଫରକ୍ ରହିବ ନାହିଁ। ଦିନର ଅବଧି ୧୦ ଘଣ୍ଟା ୫୪ ମିନିଟ୍ ରହିବାକୁ ଥିବାବେଳେ ରାତିର ଅବଧି ୧୩ ଘଣ୍ଟା ୫ ମିନିଟ୍ ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।