ଗୁରୁତର ମାଙ୍କଡ଼ର ଜୀବନ ବଞ୍ଚାଇଦେଲେ କାର୍ ଡ୍ରାଇଭର୍ ! ମୁହଁରେ ମୁହଁ ଲଗେଇ ନିଶ୍ୱାସ ଦେଲେ, ହସ୍ପିଟାଲ୍ ପହଞ୍ଚାଇଲେ

ଭିଡିଓଟି ଦେଖିଲେ ଆଖିକୁ ଲୁହ ଆସିଯିବ । ତାମିଲନାଡୁର ଜଣେ ଡ୍ରାଇଭର ମାଙ୍କଡ଼ଟିକୁ ରାସ୍ତାରେ ଆହତ ଅବସ୍ଥାରେ ଉଦ୍ଧାର କରି ତାକୁ ବଂଚେଇବାକୁ ଚେଷ୍ଟା କରିଥିଲେ । ଏମିତିକି ସେ ତା ମୁହଁରେ ମୁହଁ ଲଗେଇ ପମ୍ପିଂ କରିବାକୁ ଚେଷ୍ଟା କରିଥିଲେ ଓ ସେଥିରେ ସଫଳ ହୋଇଥିଲେ। ମାଙ୍କଡ଼ଟି ଯେତେବେଳେ ଜୀବନ ପାଇଗଲା ଦେଖନ୍ତୁ ଏହି ଡ୍ରାଇଭର ଭାଇଙ୍କ ଖୁସି।

ଆହତ ମାଙ୍କଡ଼କୁ ନୂଆ ଜୀବନ ଦେଲେ କାର୍ ଡ୍ରାଇଭର

ଚେନ୍ନାଇ : ଆହତ ମାଙ୍କଡ଼କୁ ନୂଆ ଜୀବନ ଦେଲେ କାର୍ ଡ୍ରାଇଭର । ମୁହଁରେ ମୁହଁ ଲଗେଇ ନିଶ୍ୱାସ ଦେବା ସହ ନିରୀହ ପଶୁକୁ ହସ୍ପିଟାଲ ପହଞ୍ଚାଇଲେ । ତାମିଲନାଡୁର ଜଣେ କାର୍ ଡ୍ରାଇଭର ନିଜର ଚତୁରତା ଏବଂ ଉଦାରତା ପାଇଁ ମାଙ୍କଡ଼ର ଜୀବନ ରକ୍ଷା କରିପାରିଛନ୍ତି । ତେବେ ସେ ଆହତ ମାଙ୍କଡକୁ ଡାକ୍ତରଖାନାକୁ ନେଇଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଜଣେ ସାମ୍ବାଦିକ ଏହି ଭିଡିଓକୁ ଟ୍ୱିଟ୍ କରିଛନ୍ତି ।

ଯେଉଁଥିରେ କାର୍ ଡ୍ରାଇଭର୍ ଆହତ ମାଙ୍କଡ଼ର ଜୀବନ ବଞ୍ଚାଇବା ପାଇଁ ତା ହାର୍ଟକୁ ପମ୍ପ କରି ମୁହଁରେ ନିଶ୍ୱାସ ପ୍ରଶ୍ୱାସ ନେଉଥିବାର ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ପଶୁ ପ୍ରତି ତାଙ୍କର ସ୍ନେହ ଏବଂ ଉଦାରତା ପାଇଁ ଲୋକମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଏମ ପ୍ରଭୁ ବୃତ୍ତିରେ ଜଣେ କାର୍ ଡ୍ରାଇଭର । ମାଙ୍କଡ଼ଟିକୁ ରାସ୍ତାରେ ଆହତ ଅବସ୍ଥାରେ ଉଦ୍ଧାର କରି ତାକୁ ବଂଚେଇବାକୁ ଚେଷ୍ଟା କରିଥିଲେ । ତାଙ୍କ କହିବା ଅନୁସାରେ କିଛି କୁକୁର ମାଙ୍କଡଟିକୁ ଗୋଡ଼ାଇ କାମୁଡ଼ି ପକାଇଥିଲେ । ତେବେ ମାଙ୍କଡ଼ଟି ନିଜକୁ ରକ୍ଷା କରିବା ପାଇଁ ଗୁରୁତର ଅବସ୍ଥାରେ ଗଛ ଉପରକୁ ଚଢ଼ିଯାଇଥିଲା । ତେବେ ତା’ର ସ୍ଥିତି ଦେଖି ମାଙ୍କଡଟିକୁ ଗଛରୁ ଓହ୍ଲାଇଥିଲେ ଏମ ପ୍ରଭୁ । ଏହା ପରେ ସେ ଜଣେ ବନ୍ଧୁଙ୍କ ସହ ନିଜ ବାଇକରେ ମାଙ୍କଡ଼କୁ ଧରି ପଶୁଡାକ୍ତରଙ୍କ ପାଖକୁ ନେଇଯାଇଥିଲେ ।

ତେବେ ରାସ୍ତାରେ ମାଙ୍କଡ଼ର ଅବସ୍ଥାର ଆହୁରି ଗୁରୁତର ହୋଇପଡ଼ିଥିଲା । ହଠାତ୍ କ’ଣ କରିବେ କିଛି ଚିନ୍ତା ନକରିପାରି କାର୍ ଡ୍ରାଇଭର୍ ପ୍ରଭୁ ମାଙ୍କଡ଼କୁ ପ୍ରାଥମିକ ଚିକିତ୍ସା ଦେବାକୁ ଚେଷ୍ଟା କରିଥିଲେ । ପ୍ରଥମେ ସେ ମାଙ୍କଡ଼ର ହାର୍ଟକୁ ପମ୍ପ କରିବା ସହ ମାଙ୍କଡ଼ ମୁହଁରେ ନିଶ୍ୱାସ ଦେଇଥିଲେ । ପ୍ରାଥମିକ ଚିକିତ୍ସାର କିଛି ସମୟ ପରେ ମାଙ୍କଡ଼ର ଅବସ୍ଥା ସ୍ଥିର ହେବାରେ ଦେଖିବାକୁ ମିଳିଥିଲା । ଆଉ ତା’ପରେ ମାଙ୍କଡକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ସେଠାରେ ତା’ର ଚିକିତ୍ସା କରାଇଥିଲେ ।

ଇଣ୍ଟରନେଟରେ ଏହି ଭିଡିଓ ବର୍ତ୍ତମାନ ବେଶ୍ ଭାଇରାଲ୍ ହେଉଛି । ଡ୍ରାଇଭର ପ୍ରଭୁଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ୟୁଜର୍ । ଜଣେ ୟୁଜର୍ ଲେଖିଛନ୍ତି, ଆପଣ ଯାହା କଲେ କେହି କରିପାରିବେ ନାହିଁ ଭାଇ । ମୁଁ ଆପଣଙ୍କ କାମ ପାଇଁ ହୃଦୟରୁ ସମ୍ମାନ କରୁଛି ।