• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶି ମାର୍ଲେନା ସିଂ। ଶୀଲା ଦିକ୍ଷୀତ ଓ ସୁଷମା ସ୍ୱରାଜଙ୍କ ପରେ ତୃତୀୟ ମହିଳା ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ ଆତିଶି । ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀର ସରକାରର ମଙ୍ଗ ଧରିବେ ଆପର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି । ଶିକ୍ଷା, ପୂର୍ତ୍ତ, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମେତ ପୂର୍ବରୁ ସେ ଦିଲ୍ଲୀ ସରକାରରେ ଅନେକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ଅକ୍ସଫୋର୍ଡ ୟୁନିଭରସିଟିରେ ଗ୍ରାଜୁଏସନ ଓ ଶିକ୍ଷକତା କରୁଥିଲେ ଆତିଶି । ଏଥିସହ ସ୍ୱାମୀଙ୍କ ସହ ମିଶି ଜୈବିକ ଚାଷ କରୁଥିଲେ ।  

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିବା ସମସ୍ତଙ୍କ ଭାଗ୍ୟରେ ନଥାଏ । ତେବେ ଆତିଶି ମାର୍ଲେନା ସିଂ ଏହି ବିରଳ ସଫଳତାର ଅଧିକାରୀ ହୋଇଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ହାସଲ କରିଥିବା ସଫଳତା ମଧ୍ୟରେ ଏହାକୁ ଶ୍ରେଷ୍ଠ ସଫଳତା କୁହାଯାଇପାରେ । ଏକ ପ୍ରଫେସର ପରିବାରରେ ବର୍ଷ ୧୯୮୧ରେ ଆତିଶିଙ୍କ ଜନ୍ମ । ତାଙ୍କର ପିତାମାତା ବିଜୟ ସିଂ ଓ ତ୍ରିପ୍ତା ୱାହି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଛନ୍ତି । ଦିଲ୍ଲୀର ସ୍ପ୍ରିଙ୍ଗଡେଲ୍ସ ସ୍କୁଲରେ ସ୍କୁଲ ଶିକ୍ଷା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନ ସେଣ୍ଟ୍ ଷ୍ଟିଫେନସ କଲେଜରେ ସେ ବ୍ୟାଚଲର ଡିଗ୍ରୀ କରିଛନ୍ତି । ଏହାପରେ ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଆତିଶି ।

ରାଜନୀତିରେ ପାଦ ଥାପିବା ପୂର୍ବରୁ ଶିକ୍ଷକତା କରୁଥିଲେ ଆତିଶି । ଆନ୍ଧ୍ର ପ୍ରଦେଶର ଏକ ସ୍କୁଲରେ ଇତିହାସ ଓ ଇଂରାଜୀ ଶିକ୍ଷକ ଥିଲେ । IIT ଦିଲ୍ଲୀ ଓ IIM ଅହମ୍ମଦାବାଦର ପୂର୍ବତନ ଛାତ୍ର ରହିଥିବା ସ୍ୱାମୀ ପ୍ରବୀଣ ସିଂଙ୍କ ସହ ମିଶି ଆତିଶି ଜୈବିକ ପଦ୍ଧତିରେ ଚାଷ ମଧ୍ୟ କରୁଥିଲେ । 

ତେବେ ଆତିଶିଙ୍କ ନାଁକୁ ନେଇ ଏକ ରୋଚକ ତଥ୍ୟ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆତିଶିଙ୍କ ମିଡିଲ୍ ନେମ୍ ମାର୍ଲେନା । ଯାହାକି ଦୁଇଟି ନାମ ମାର୍କ୍ସ ଓ ଲେନିନଙ୍କ ମିଶ୍ରଣ । ୨୦୧୮ ପର୍ଯ୍ୟନ୍ତ ସେ ମାର୍ଲେନାକୁ Last Name ଭାବେ ବ୍ୟବହାର କରୁଥିଲେ ଓ Surname ଲେଖୁନଥିଲେ । ମାତ୍ର ରାଜନୈତିକ କାରଣରୁ ସେ ତାଙ୍କର ଦ୍ୱିତୀୟ ନାମ ମଧ୍ୟ ସମସ୍ତ ଦଳୀୟ ରେକର୍ଡରୁ ହଟାଇବାରୁ ବାଧ୍ୟ ହୋଇଥିଲେ । ପ୍ରଚାର ସମୟରେ ଭୋଟରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ ପରେ ସେ ମାର୍ଲେନା ହଟାଇ ଦେଇଥିଲେ । ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜର ସରନେମ୍ ମଧ୍ୟ ହଟାଇ ଦେଇଥିଲେ ।

ତେବେ ଆତିଶିଙ୍କ ପ୍ରକୃତ ସରନେମ୍ ହେଉଛି ସିଂ। ସେ ଏକ ପଞ୍ଜାବୀ ରାଜପୁତ ପରିବାର ଝିଅ । ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର  ମେନିଫେଷ୍ଟୋ ଡ୍ରାଫ୍ଟିଂ କମିଟିର ସକ୍ରିୟ ସଦସ୍ୟ ରହିଥିଲେ ଆତିଶି । ଏହିଠାରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ।

୨୦୧୯ରେ ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ଆତିଶି ଲୋକସଭା ଇନଚାର୍ଜ ନିଯୁକ୍ତ ହୋଇଥିଲେ । ତେବେ ସେ ବିଜେପିର ଗୌତମ ଗମ୍ବୀରଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୨୦ରେ ବିଜେପିର ଧରମବୀର ସିଂଙ୍କୁ ହରାଇ କାଲକାଜି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ଆତିଶି । ପରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ କ୍ୟାବିନେଟରୁ ବାଦ୍ ପଡ଼ିବାରୁ ଆତିଶିଙ୍କୁ ଦିଲ୍ଲୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଯାଇଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now