‘ପ୍ରାଣପ୍ରତିଷ୍ଠା ଉତ୍ସବରେ ନଆସି ଜାନୁଆରୀ ୨୬ ପରେ ଅଯୋଧ୍ୟା ଆସନ୍ତୁ’

ଭବ୍ୟ, ଦିବ୍ୟ ଶ୍ରୀରାମ ମନ୍ଦିରରେ କେଉଁଠି ଲାଗିବେ କେଉଁ ପାର୍ଶ୍ୱ ମୂର୍ତ୍ତି । ତ୍ୱରିତ ଗତିରେ ମନ୍ଦିର ନିର୍ମାଣ ସାଙ୍ଗକୁ ମୂର୍ତ୍ତିନିର୍ମାଣ କାର୍ଯ୍ୟଶାଳାରେ ରାମାୟଣର ପ୍ରତିଟି କଥାବସ୍ତୁକୁ ଦର୍ଶାଉଥିବା ଏସବୁ ମୂର୍ତ୍ତି ନିର୍ମାଣ ବି ଶେଷ ପର୍ଯ୍ୟାୟରେ ।

Ayodhya Ram Mandir

ଜାନୁଆରୀ ୨୨ରେ ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଏବେ ଯେମିତି ସବୁଦିନ ଉତ୍ସବ । ସପ୍ତମ ଦୀପୋତ୍ସବରେ ସରଜୁ ନଦୀତଟରେ ଆଜି ଏକକାଳିନ ୨୪ ଲକ୍ଷ ଦୀପ ଜଳିଛି । ଉତ୍ସବରେ ବୁଡ଼ିଛି ଅଯୋଧ୍ୟା । ଆଉ ଏତିକିବେଳେ ରାମ ମନ୍ଦିର ନିର୍ମାଣ କାମ ଓ ଭଗବାନଙ୍କ ପ୍ରାଣପ୍ରତିଷ୍ଠା ସଂପର୍କରେ ଓଟିଭିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ । କହିଛନ୍ତି ଅଯୋଧ୍ୟାରେ ପୂଜା ପାଇବେ ପ୍ରଭୁ ଶ୍ରୀରାମଙ୍କ ବାଳକ ସ୍ୱରୂପ।

ଭବ୍ୟ, ଦିବ୍ୟ ଶ୍ରୀରାମ ମନ୍ଦିରରେ କେଉଁଠି ଲାଗିବେ କେଉଁ ପାର୍ଶ୍ୱ ମୂର୍ତ୍ତି । ତ୍ୱରିତ ଗତିରେ ମନ୍ଦିର ନିର୍ମାଣ ସାଙ୍ଗକୁ ମୂର୍ତ୍ତିନିର୍ମାଣ କାର୍ଯ୍ୟଶାଳାରେ ରାମାୟଣର ପ୍ରତିଟି କଥାବସ୍ତୁକୁ ଦର୍ଶାଉଥିବା ଏସବୁ ମୂର୍ତ୍ତି ନିର୍ମାଣ ବି ଶେଷ ପର୍ଯ୍ୟାୟରେ । ବିଶାଳ ଦିବ୍ୟଶିଳା, ଯେଉଁଥିରେ ତିଆରି ହେଉଛି ଭଗବାନ ରାମଙ୍କ ପ୍ରତିମୂର୍ତ୍ତି । ତେବେ ମନ୍ଦିରରେ କେଉଁ ସ୍ୱରୂପରେ ପୂଜା ପାଇବେ ପ୍ରଭୁ ରାମଚନ୍ଦ୍ର?

ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ କହିଛନ୍ତି, ଅଯୋଧ୍ୟାରେ ପୂଜା ପାଇବେ ଶ୍ରୀରାମଙ୍କ ୫ ବର୍ଷିୟ ବାଳକ ସୂରୂପ । ଅର୍ଥାତ୍ ୫ ବର୍ଷ ବୟସରେ ପ୍ରଭୁଙ୍କ ରୂପ କାନ୍ତି, ମୁଖ ମଣ୍ଡଳ ଯାହା ହେବା କଥା ସେଇଭଳି ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି ୩ ଜଣ ମୂର୍ତ୍ତିକାର । କର୍ଣ୍ଣାଟକର ୨ଟି ଓ ରାଜସ୍ଥାନର ମକ୍ରାନାରୁ ଆସିଥିବା ଗୋଟିଏ ପଥରରେ ଏଇ ମୂର୍ତ୍ତି ନିର୍ମାଣ ଚାଲିଛି। ଯାହାର ୯୦ ପ୍ରତିଶତ କାମ ସରିଗଲାଣି, ଆଉ ମାତ୍ର ୧୫-୨୦ ଦିନରେ ସଂପୂର୍ଣ୍ଣ ହୋଇଯିବ ।

ଚମ୍ପତ ରାୟଙ୍କ କହିବା ଅନୁଯାୟୀ,  ଏବେ ସୁଦ୍ଧା ରାମ ମନ୍ଦିରର ଭୂତଳ ବା ଗ୍ରାଉଣ୍ଡ ଫ୍ଲୋର କାମ ସରି ପ୍ରଥମ ମହଲା କାମ ବି ସରିବା ଉପରେ । ଏହାପରେ ଦ୍ୱିତୀୟ ମହଲା ଓ ତା ପରେ ମନ୍ଦିର ଚୂଡ଼ା କାମ ହେବ । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାମ ମନ୍ଦିରର ସବୁ କାମ ସଂପୂର୍ଣ୍ଣ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ଜାନୁଆରୀ ୨୨ ତାରିଖରେ ନବ ନିର୍ମିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାରୁ ପ୍ରବଳ ଗହଳିକୁ ଦେଖି ଏହି ଦିନ ଅଯୋଧ୍ୟା ନ ଆସି ୨୬ ତାରିଖ ପରେ ଆସିବାକୁ ଭକ୍ତଙ୍କୁ ନିବେଦନ କରିଛନ୍ତି ଚମ୍ପତ ରାୟ । ସେହିପରି ୨୨ ତାରିଖ ଦିନ ନିଜ ଗାଁ ମନ୍ଦିରରେ ଉତ୍ସବ ପାଳନ ପାଇଁ ଆହ୍ୱାନ ଦେବା ସହ ବିଦେଶୀ ଶ୍ରଦ୍ଧାଳୁଙ୍କୁ ଫେବ୍ରୁଆରୀ ମାସରେ ଅଯୋଧ୍ୟା ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ସେଇ ବହୁ ପ୍ରତୀକ୍ଷିତ ଦିନ ଯେତିକି ଯେତିକି ପାଖୋଉଛି, ସେତିକି ଚଳଚଞ୍ଚଳ ହେଉଛି ଅଯୋଧ୍ୟା, ରାମଲାଲାଙ୍କୁ ନୂଆ ସ୍ୱରୂପରେ ଦେଖିବାକୁ ସେତିକି ବଢୁଛି ଦେଶବାସୀଙ୍କ ଉତ୍କଣ୍ଠା ।