ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ : ୩ ଗୁରୁତର

ଜାମସେଦପୁର ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।

ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଝାଡ଼ଖଣ୍ଡର ଜାମସେଦପୁରର ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ । ଫଳରେ ପ୍ଲାଣ୍ଟରେ ଭୟଙ୍କର ନିଆଁ ଲାଗିଯାଇଛି । ଏହି ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ତେବେ କୋଲ୍ ୟୁନିଟରେ ନିଆଁ କେମିତି ଲାଗିଲା ସେ ସମ୍ପର୍କରେ ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିପାରିନି ।

ଅଗ୍ନିକାଣ୍ଡ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ କରି କହିଛନ୍ତି, ଜାମସେଦପୁରର ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି । ଟାଟା ଷ୍ଟିଲ ମ୍ୟାନେଜମେଣ୍ଟ ସହ ସମନ୍ୱୟ ରକ୍ଷା କରି ଆହତଙ୍କ ଶୀଘ୍ର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ।

ତେବେ ଏହି ବିସ୍ଫୋରଣରେ ଆହତ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଡାକ୍ତରଙ୍କ ଏକ ୧୧ ଜଣିଆ ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । ଦୁର୍ଘଟଣା ପରେ ତାଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ବର୍ତ୍ତମାନ ଟାଟା ଷ୍ଟିଲ ପ୍ଲାଣ୍ଟରେ ଅନେକ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହାପୂର୍ବରୁ ଗତ ୨୦୧୩ ମସିହାରେ ବି ଏହି ପ୍ଲାଣ୍ଟରେ ନିଆଁ ଲାଗିଥିଲା । ଯେଉଁଥିରେ ୧୧ ଜଣ ଆହତ ହୋଇଥିଲେ ।