ରାମଦେବଙ୍କ କ୍ଷମା ପ୍ରାର୍ଥନା ପଢ଼ିବା ପାଇଁ ମାଇକ୍ରୋସ୍କୋପ ଆବଶ୍ୟକ: ସୁପ୍ରିମକୋର୍ଟ

ପତଞ୍ଜଳି ଯେତେବେଳେ ବିଜ୍ଞାପନ ଦିଏ, ସେତେବେଳେ ଏହାକୁ ଦେଖିବାକୁ ପଡ଼େନାହିଁ । କିନ୍ତୁ ଏହି କ୍ଷମା ପ୍ରାର୍ଥନା ପାଇଁ ଆମକୁ ମାଇକ୍ରୋସ୍କୋପର ବ୍ୟବହାର କରିବାକୁ ହେବ ବୋଲି ଅଦାଲତ କହିଛନ୍ତି ।

Patanjali

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ବାର୍ ବାର୍ କ୍ଷମା ପ୍ରାର୍ଥନା କରିଛି । ଏହା ସହ ୬୭ ଟି ନ୍ୟୁଜ୍ ପେପରରେ ମଧ୍ୟ ଏନେଇ କ୍ଷମା ପ୍ରାର୍ଥନା ସମ୍ବଳିତ ପାଠ ପ୍ରକାଶ କରିଛି । ତଥାପି ଏଥିରେ ଶାନ୍ତ ହୋଇ ନାହାଁନ୍ତି ସର୍ବୋଚ୍ଚ ଅଦାଲତ । ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହି କ୍ଷମା ପ୍ରାର୍ଥନା ଏକ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ସହ ସମାନ କି?

ବିଜ୍ଞାପନ ବେଳେ ଯେତେ ବଡ଼ ବଡ଼ ପୃଷ୍ଠା ବ୍ୟବହାର ହେଉଥିଲା, କ୍ଷମା ପ୍ରାର୍ଥନାର ଆକାର ସେପରି କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ପତଞ୍ଜଳି ତରଫରୁ କୁହାଯାଇଛି ଯେ, ବିଜ୍ଞାପନଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା । ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଛି ।

ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଛି ବୋଲି ପଚାରିଛନ୍ତି । କ୍ଷମା ପ୍ରାର୍ଥନା ବିଜ୍ଞାପନ ସହ ସମାନ ଆକାରର କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ବାଳକୃଷ୍ଣ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ଥିଲେ । ଶୁଣାଣିର ଠିକ୍‌ ଦିନକ ପୂର୍ବରୁ କାହିଁକି କ୍ଷମା ପ୍ରାର୍ଥନା ପ୍ରକାଶିତ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ପତଞ୍ଜଳି ଯେତେବେଳେ ବିଜ୍ଞାପନ ଦିଏ, ସେତେବେଳେ ଏହାକୁ ଦେଖିବାକୁ ପଡ଼େନାହିଁ । କିନ୍ତୁ ଏହି କ୍ଷମା ପ୍ରାର୍ଥନା ପାଇଁ ଆମକୁ ମାଇକ୍ରୋସ୍କୋପର ବ୍ୟବହାର କରିବାକୁ ହେବ ବୋଲି ଅଦାଲତ କହିଛନ୍ତି । ତେବେ ଏହି କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି । ପତଞ୍ଜଳି କ୍ଷମା ପ୍ରାର୍ଥନାର ବିଜ୍ଞାପନକୁ ପୁଣି ଥରେ ବଡ ସାଇଜ୍‌ ଆକାରରେ ଜାରି କରିବାକୁ କୋର୍ଟ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ କୋର୍ଟ ରାମଦେବ ଏବଂ ବାଳକୃଷ୍ଣଙ୍କୁ ଏପ୍ରିଲ ୩୦ରେ ପୁନର୍ବାର ହାଜର ହେବାକୁ କହିଛନ୍ତି । ସୂଚନାଯୋଗ୍ୟ, ରୋଗର ଚିକିତ୍ସା ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଳକୃଷ୍ଣଙ୍କୁ ଅବମାନନା ନୋଟିସ୍ ପଠାଇ ଜବାବ ମାଗିଥିଲେ, ଯାହାର ଉତ୍ତର କମ୍ପାନି ତରଫରୁ ଦିଆଯାଇନଥିଲା । ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ କମ୍ପାନୀ ଓ ବାଳକୃଷ୍ଣଙ୍କ ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ନୋଟିସ୍‌ର ଜବାବ ଦାଖଲ ନ କରିବା ନେଇ କଡ଼ା ଆପତ୍ତି ପ୍ରକାଶ କରିଥିଲେ ।

ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ବା IMA ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ୱାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା IMA ।

ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା । ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ୱାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।